ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ ଦୈନନ୍ଦିନ ବିଦ୍ୟୁତ୍ ଅଭାବ ୨ ହଜାର ୬୦ ମେଗାୱାଟ୍ରେ ପହଞ୍ଚିଛି। ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ବଳକା ରାଜ୍ୟ ଭାବେ ପରିଚିତ ଓଡ଼ିଶାରେ କମ୍ ବର୍ଷା ଯୋଗୁଁ ଚଳିତବର୍ଷ ଏହି ଅଭାବ ଦେଖାଦେଇଛି। ସାଧାରଣତଃ ଗ୍ରୀଷ୍ମଋତୁରେ ଚାରିଶହରୁ ପାଞ୍ଚଶହ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଅଭାବ ରହୁଥିବା ବେଳେ ଚଳିତ ବର୍ଷାଋତୁରେ ପ୍ରାୟ ୧ହଜାର ୬୦୦ ମେଗାୱାଟ୍ ଶକ୍ତି ଅଭାବ ରହିଛି। ଇନ୍ଦ୍ରାବତୀ ଏବଂ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପର ଉତ୍ପାଦନ କ୍ଷମତା ୩ ହଜାର ୭୨୫ ମେଗାୱାଟ୍ ଥିବାବେଳେ ସେଠାରେ ବନ୍ୟା ପରିସ୍ଥିତି ଯୋଗୁଁ ଏହା ୪୧୦ ମେଗାୱାଟ୍କୁ ହ୍ରାସ ପାଇଛି।
ଅନ୍ୟପକ୍ଷରେ ତାଳଚେର ଓ କଣିହାଁସ୍ଥିତ ତାପଜ ବିଦ୍ୟୁତ୍ ଶକ୍ତି କେନ୍ଦ୍ରରେ କୋଇଲା ଅଭାବ ଯୋଗୁଁ ଗତ ଦୁଇସପ୍ତାହ ଧରି ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। କଣିହାଁରେ ୪ଟି ୫୦୦ ମେଗାୱାଟ୍ ୟୁନିଟ୍କୁ ବନ୍ଦ ରଖାଯାଇଥିବା ବେଳେ ସେଠାରୁ ମାତ୍ର ୧୫ଶହ ମେଗାୱାଟ୍ ବିଦ୍ୟୁତ୍ଶକ୍ତି ଉତ୍ପାଦନ ହେଉଛି। ସମ୍ପୂର୍ଣ୍ଣ ବିଦ୍ୟୁତ୍ ଉତ୍ପାଦନ ପାଇଁ ଦୈନିକ ୫୫ ହଜାର ଟନ୍ କୋଇଲା ଆବଶ୍ୟକ ପଡ଼ୁଥିବା ବେଳେ ଲିଙ୍ଗରାଜ ମାଇନ୍ସରୁ ୨୩ ହଜାରରୁ ୪୩ ହଜାର ଟନ୍ ଏବଂ କଣିହାଁ ମାଇନ୍ସରୁ ୧୦ ହଜାର ଟନ୍ କୋଇଲା ମିଳିପାରୁଛି। ତାଳଚେର ଭରତପୁର କୋଇଲା ଖଣିରେ ଦୁର୍ଘଟଣା ପରେ ସେଠାରେ କୋଇଲା ଉତ୍ପାଦନ ବନ୍ଦ ରହିଥିବାରୁ ତାପଜ ବିଦ୍ୟୁତ ଉତ୍ପାଦନରେ ମଧ୍ୟ ପ୍ରଭାବ ପଡିଛି।
କଣିହାଁ ବିଦ୍ୟୁତ କେନ୍ଦ୍ରରୁ ଓଡିଶା ୫୨୦ ମେଗାୱାଟ ଶକ୍ତି ପାଇବାକୁ ବ୍ୟବସ୍ତା ଥିବା ବେଳେ ଏବେ ମାତ୍ର ୨୩୦ ମେଗାୱାଟ ଶକ୍ତି ମିଳିପାରୁଛି। ରାଜ୍ୟ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ଏବେ ରାଜ୍ୟ ସରକାର ନିଅଣ୍ଟ ପୁରାଣ ପାଇଁ ଦୈନିକ ୧୬ କୋଟି ଟଙ୍କା ବ୍ୟୟ କରି ବିଦ୍ୟୁତ ଶକ୍ତି କ୍ରୟ କରୁଛନ୍ତି। ରାଜ୍ୟସରକାରଙ୍କ ଅଧୀନସ୍ଥ ଗ୍ରୀଡ୍କୋ ଓ ଓଡ଼ିଶା ବାହାରେ ଥିବା ଏନ୍ଟିପିସି ୟୁନିଟ୍ରୁ ହଜାରେ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି କ୍ରୟ କରାଯାଉଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି।



