କଳିଙ୍ଗରେ ଟେନିସ କେନ୍ଦ୍ର ଲୋକାର୍ପିତ

ଆଇଟିଏଫ ଏସୀୟ ଜୁନିୟର ଟେନିସ ଟୁର୍ଣ୍ଣାମେଣ୍ଟ ଲୋଗୋ ଉନ୍ମୋଚିତ

ଭୁବନେଶ୍ବର : ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିରେ ଯୋଡ଼ି ହୋଇଯାଇଛି ଆଉ ଏକ ଫର୍ଦ୍ଦ। କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମିତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ବିଶ୍ବସ୍ତରୀୟ ଟେନିସ କେନ୍ଦ୍ର ଲୋକାର୍ପିତ ହୋଇଛି। ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଟେନିସ କେନ୍ଦ୍ରକୁ ଉଦ୍‌୍‌ଘାଟନ କରିଥିଲେ। ଏହି ଟେନିସ କୋର୍ଟ ଓଡ଼ିଶାର ଟେନିସ ପ୍ରତିଭା ସୃଷ୍ଟି କରିବାରେ ସହାୟକ ହେବ। ଖେଳାଳିମାନେ ଏଠାରେ ନିରନ୍ତର ଅଭ୍ୟାସ କରିବା ସହ ରାଜ୍ୟ ଓ ଦେଶ ପାଇଁ ପଦକ ହାସଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନ୍ତର୍ଜାତୀୟ ଟେନିସ ମହାସଂଘ, ଏସୀୟ ଟେନିସ ମହାସଂଘ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ର ନୂତନ ଟେନିସ କେନ୍ଦ୍ରରେ ଏପ୍ରିଲ ୪ରୁ ଆୟୋଜନ ହେବାକୁ ଥିବା ୧୪ ବର୍ଷରୁ କମ୍‌ ଏସୀୟ ଜୁନିୟର ଟେନିସ ଟୁର୍ଣ୍ଣାମେଣ୍ଟର ଲୋଗୋକୁ ଉନ୍ମୋଚନ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖେ​‌ାଖୋ ଖେଳାଳି ଅର୍ଚ୍ଚନା ମାଝି, ଧାବକ ସ୍ବାଧୀନ ମାଝି, ଟେନିସ ଖେଳାଳି ଦେବାଶିଷ ସାହୁ, ପାରା ଧାବିକା ଜୟନ୍ତୀ ବେହେରା ପ୍ରମୁଖଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ଲାଗି ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପ୍ରତିଯୋଗିତାରେ ସଫଳତା ଲାଗି ୪୫ ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଥ ପୁରସ୍କାର ସହ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର୍‌. ଭିନିଲ କ୍ରିଷ୍ଣା, ଓଡ଼ିଶା ଟେନିସ୍‌ ଆସୋସିଏସନ୍‌ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ୨୫ କୋଟି ଟଙ୍କ​‌ା ବ୍ୟୟରେ ନିର୍ମିତ ଉକ୍ତ ଟେନିସ କେନ୍ଦ୍ରରେ ସିନ୍ଥେଟିକ୍‌ କୋର୍ଟ ସହ ୭ଟି ଫ୍ଲଡ ଲାଇଟ୍‌ ଲଗାଯାଇଛି। ୧୪୦୦ ଦର୍ଶକ ବସିବା ପାଇଁ ଗ୍ୟାଲେରୀ ରହିଛି। ଦର୍ଶକମାନଙ୍କ ଲାଗି ଚଉକିର ବ୍ୟବସ୍ଥା ରହିଛି। ଏହାଛଡ଼ା ୧୬୦ ଆସନ ବିଶିଷ୍ଟ ଅଡିଟୋରିୟମ, ମେଡିକାଲ, ଫିଜିଓଥେରାପି ରୁମ୍‌, ପ୍ଲେୟାର ଚେଞ୍ଜିଂ ରୁମ୍‌, ମିଡିଆ ସେଣ୍ଟର, ଅମ୍ପାୟାର ଓ ଅଫିସିଆଲଙ୍କ ଲାଗି ମଧ୍ୟ ବିଶ୍ବସ୍ତରୀୟ ବ୍ୟବସ୍ଥା ହୋଇଛି। ଆଇଟିଏଫ୍‌ ସ୍ବିକୃତିପ୍ରାପ୍ତ ଉକ୍ତ ଟେନିସ କୋର୍ଟରେ ଏପ୍ରିଲ ୪ରୁ ଆଇଟିଏଫ ଜୁନିୟର ଏସୀୟ ଟେନିସ ଟୁର୍ଣ୍ଣାମେଣ୍ଟ ଖେଳାଯିବ। କଳିଙ୍ଗ ଷ୍ଟାଡ଼ିୟମରେ ଅତ୍ୟାଧୁନିକ ଟେନିସ ସେଣ୍ଟର ନିର୍ମିତ ହେବା ପରେ କବୀର ହଂସ, ଦେବାଶିଷ ସାହୁ, ସୋହିନୀ ସଞ୍ଜୟ ମହାନ୍ତି ଓ ଆରାଧ୍ୟା ବର୍ମାଙ୍କ ଭଳି ଖେଳାଳିଙ୍କୁ ଅଭ୍ୟାସ ସହ ଯୁବ ପ୍ରତିଭାଙ୍କୁ ଟେନିସ ପ୍ରତି ଆକୃଷ୍ଟ କରିବ ବୋଲି ଓଡ଼ିଶା ଟେନିସ ସଂଘ ପକ୍ଷରୁ କୁହାଯାଇଛି।

Comments are closed.