ଆଜିଠୁ ବିଧାନସଭା ; ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ଅତିରିକ୍ତ ବଜେଟ୍
ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ପୂର୍ବାହ୍ନ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ବିଧିବଦ୍ଧ ଭାବେ ବାଚସ୍ପତି ଆସନରେ ଅଳଙ୍କୃତ ହେବା ପରେ ପୂର୍ବତନ ବାଚସ୍ପତି ତଥା ବିଧାୟକ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଓ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯିବ। ଏହି ସ୍ବଳ୍ପକାଳୀନ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି। ଶୁକ୍ରବାରରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ।
ବିଧାନସଭା ସଚିବାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ୨୦୨୩-୨୪ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ସେପ୍ଟେମ୍ବର ୨୩ ଏବଂ ୨୪ରେ ଚତୁର୍ଥ ଶନିବାର ଏବଂ ରବିବାର ପାଇଁ କୌଣସି କାର୍ଯ୍ୟ ଦିବସ ରହିବ ନାହିଁ। ପ୍ରଥମ ଅତିରିକ୍ତ ବଜେଟ୍ ପାଇଁ ଆଗତ ଖର୍ଚ୍ଚ ଅନୁଦାନ ଦାବି ଉପରେ ସେପ୍ଟେମ୍ବର ୨୮ ଏବଂ ୩୦ ରେ ଆଲୋଚନା ହେବ। ଖର୍ଚ୍ଚଦାବି ଆଲୋଚନା ପରେ ଅକ୍ଟୋବର ୩ରେ ଅତିରିକ୍ତ ବଜେଟ୍ର ଖର୍ଚ୍ଚ ଅନୁଦାନ ଦାବି ପ୍ରସ୍ତାବ ଉପସ୍ଥାପିତ ହେବ। ଶେଷ ଦିନଟି ଘରୋଇ ସଦସ୍ୟଙ୍କ କାର୍ଯ୍ୟ (ବିଲ୍ ଏବଂ ସଙ୍କଳ୍ପ) ପାଇଁ ସଂରକ୍ଷିତ ରଖାଯାଇଛି। ଚଳିତ ଅଧିବେଶନଟି କିଭଳି ଶାନ୍ତିଶୃଙ୍ଖଳାର ସହ ଚାଲିବ ସେନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ସହିତ ତିନି ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ବିଭିନ୍ନ ଯୋଜନାକୁ ନେଇ ଏହି ଅତିରିକ୍ତ ବଜେଟ୍ ଅଧିବେଶନ ୨ମାସ ପୂର୍ବରୁ ଆହୂତ ହୋଇଛି। ଅତିରିକ୍ତ ବଜେଟ ଆକାରରେ ପ୍ରାୟ ୨୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରସ୍ତାବ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବାର ସମ୍ଭାବନା ରହିଛି।
ଆର୍ଥିକ ଅନିୟମିତତା କାରଣରୁ ବିଜେଡିର ଦୁଇଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଥିବାରୁ ଚଳିତ ଅଧିବେଶନଟି ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ। ଅନ୍ୟପକ୍ଷରେ ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବଧିର ହେଲେ ମଧ୍ୟ ରାଜ୍ୟେର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା, ନାରୀ ନିର୍ଯାତନା, ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ଆଦି ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି।
ଶ୍ରୀ ମାଝି କହିଛନ୍ତି ଯେ, ରାଜ୍ୟରେ ଗଣତନ୍ତ୍ରର ହତ୍ୟା କରାଯାଉଛି। ଶିକ୍ଷକଙ୍କ ଆନ୍ଦୋଳନ ଏକ ବଡ଼ ସମସ୍ୟା ହୋଇଛି। ସରକାର ସେମାନଙ୍କ ସମସ୍ୟାର ସମାଧାନ କରୁନାହାନ୍ତି। ସ୍କୁଲ ବନ୍ଦ ହେବା ଦ୍ବାରା ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ସବୁ ପ୍ରସଙ୍ଗକୁ ବିଜେପି ବିଧାନସଭାରେ ଉଠାଇବୁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, କେଉଁ କେଉଁ ପ୍ରସଙ୍ଗକୁ କଂଗ୍ରେସ ସର୍ବାଧିକ ଗୁରୁତ୍ବ ଦେବ ତାହା ଶୁକ୍ରବାର ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ରାଜ୍ୟରେ ବହୁ ସମସ୍ୟା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି। ରାଜ୍ୟରେ ଗଣତନ୍ତ୍ର ଶାସନ ନାହିଁ। ଖାଲି ରାଜ୍ୟ ରାଜଧାନୀରେ ନୁହେଁ ଜିଲାଗୁଡ଼ିକରେ ମଧ୍ୟ ପ୍ରଶାସନିକ ଅଧିକାରୀ ସରକାରୀ ଦଳର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି ଶିକ୍ଷକଙ୍କ ଆନ୍ଦୋଳନ ରାଜ୍ୟରେ ଭୟଙ୍କର ରୂପ ନେଲାଣି। ଆୟୁର୍ବେଦିକ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ସେମାନଙ୍କ ସମସ୍ୟା ସମାଧାନ ସରକାର କରୁନାହାନ୍ତି। ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାନସଭାରେ ଉଠାଇବ। ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଉଛନ୍ତି ତାହା ପାଳନ କରୁନାହାନ୍ତି। ସେ କଥା ଦେଇଥିଲେ, ପଦ୍ମପୁରକୁ ଜିଲା ଘୋଷଣା କରିବେ। ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ସେହିଭଳି ରାଜ୍ୟରେ ବେକାରୀ ସମସ୍ୟା, ଦରଦାମ୍ ବୃଦ୍ଧି, କୃଷକ ଓ କୃଷି ସମସ୍ୟା ରହିଛି। ଏହିସବୁ ପ୍ରସଙ୍ଗକୁ କଂଗ୍ରେସ ଗୃହରେ ଉପସ୍ଥାପନ କରିବା ସହ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ବିରୋଧୀମାନେ ଯଦି ଗଠନମୂଳକ ଆଲୋଚନାକୁ ଆସିବେ ତେବେ ସରକାର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ। ବିଜେଡି ସବୁ ବେଳେ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଅଗ୍ରଣୀ ରହିଛି।
Comments are closed.