ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦୁର୍ଦଶା : ବହି ହିନ୍ଦୀରେ ; ପାଠପଢ଼ା ଓଡ଼ିଆରେ

ଉତ୍କଳମଣିଙ୍କ ପ୍ରତିଷ୍ଠିତ ବିଦ୍ୟାଳୟକୁ ମିଳିନି ଉଚ୍ଚ ବିଦ୍ୟାଳୟ ମାନ୍ୟତା, ଓଡ଼ିଆ ବହି ଯୋଗାଇବା ପ୍ରତିଶ୍ରୁତି ଭୁଲିଗଲେ ସରକାର

ବାଙ୍ଗିରିପୋଷି : ଝାଡଖଣ୍ଡରେ ଓଡିଆକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବି ହୋଇଆସୁଅଛି। ଝାଡ଼ଖଣ୍ଡର ସିଂହଭୂମି ଜିଲାର ଷଢେଇକଳା ଓ ଖରସୁଆଁ ଅଞ୍ଚଳରେ ରୁହନ୍ତି ବହୁଳ ଓଡ଼ିଆ ଭାଷାଭାଷୀ ଲୋକ। ସିଂହଭୂମି ଜିଲାରେ ଓଡିଆଙ୍କର ବେଶ ପ୍ରଭାବ ବି ରହିଛି। ପୂର୍ବ ସିଂହଭୂମି ଜିଲାର ବହଡାଗୋଡା ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ବିଜୟ କ୍ଷେତ୍ରରେ ଓଡିଆଙ୍କ ଭୋଟ ନିର୍ଣ୍ଣାୟକ ରହିଆସିଛି। ଏଠାରେ ଶତକଡା ୭୫ ଭାଗରୁ ଅଧିକ ଭୋଟର ଓଡ଼ିଆ ହୋଇଥିବାରୁ ବହଡ଼ାଗୁଡା କ୍ଷେତ୍ରରୁ ଅଧିକାଂଶ ସମୟରେ ଓଡିଆମାନେ ନିର୍ବାଚିତ ହୋଇଆସୁଛନ୍ତି। ଡାକ୍ତର ଦୀନେଷ ଷଡଙ୍ଗୀ ସେଠାରେ ଦୀର୍ଘ ଦିନ ଧରି ନିର୍ବାଚିତ ହୋଇ ବିଭିନ୍ନ ବିଭାଗରେ ମନ୍ତ୍ରୀ ପଦରେ ଥିଲେ। ତାଙ୍କ ପୁତ୍ର କୁନାଲ ଷଡଙ୍ଗୀ ଏବଂ ବର୍ତ୍ତମାନ ସମୀର ମହାନ୍ତି ବିଧାୟକ ଅଛନ୍ତି। ମାତ୍ର ସିଂହଭୂମି ଜିଲା ତଥା ବହଡାଗୋଡା ବିଧାନସଭା କ୍ଷେତ୍ରରେ ଓଡିଆଙ୍କ ସମସ୍ୟା ଦୂର ହୋଇପାରୁନି। ବହଡାଗୋଡ଼ା ବ୍ଲକ ଖଣ୍ଡାମୌଦା ଗ୍ରାମ ପଞ୍ଚାୟତର ପାଂଚରୁଲିଆ ଗାଁ ଏହାର ଉଦାହରଣ। ଏହି ଗାଁରେ ଶହେକୁ ଶହେ ଲୋକ ଓଡିଆ। ଏହି ଗାଁ ସହିତ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଘନିଷ୍ଠ ସଂପର୍କ ରହିଥିଲା। ଉତ୍କଳମଣି ବିହାର ଓ ଓଡିଆ ବିଧାନ ପରିଷଦକୁ ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ତତ୍କଳୀନ ବିହାରର ସିଂହଭୂମି ଜିଲାରେ ବସବାସ କରୁଥିବା ଓଡିଆଙ୍କ ଦୁଃଖ ହୃଦବୋଧ କରିଥିଲେ। ଏଠାକାର ଓଡିଆଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ଗୋପବନ୍ଧୁ ୧୯୧୬ ମସିହାରେ ପାଂଚରୁଲିଆ ଗାଁରେ ଏକ ପ୍ରାଥମିକ ଓଡିଆ ସ୍କୁଲ ପ୍ରତିଷ୍ଠା କରିଥିଲେ। ଏହାର ନାମ ପାଂଚରୁଲିଆ ଓଡିଆ ମଧ୍ୟ ବିଦ୍ୟାଳୟ ଥିଲା। ବର୍ତ୍ତମାନ ଏହି ସ୍କୁଲକୁ ୧୦୪ ବର୍ଷ ପୂରିଯାଇଛି। ଦୁର୍ଭାଗ୍ୟର କଥା, ଏମାନେ ଓଡିଆ ଭାଷାରେ

prayash

ପାଠ ପଢୁଥିଲେ ହେଁ, ପାଠ୍ୟ ପୁସ୍ତକ ହିନ୍ଦୀରେ। ଝାଡ଼ଖଣ୍ଡ ଏକାଡେମୀ କାଉନସିଲ ପାଠ୍ୟ ଖସଡ଼ା ଅନୁସାରେ ଏହାର ଶିକ୍ଷାଦାନ ଓ ପରୀକ୍ଷା ପରିଚାଳିତ ହେଉଛି। ତଫାତ୍‌ ହେଉଛି ଝାଡ଼ଖଣ୍ଡର ଅନ୍ୟାନ୍ୟ ସ୍କୁଲରେ ହିନ୍ଦୀ ଭାଷାରେ ଶିକ୍ଷାଦାନ କରାଯାଉଥିବା ବେଳେ ଏଠାରେ ଓଡିଆ ମାଧ୍ୟମରେ ଶିକ୍ଷାଦାନ ଓ ପରୀକ୍ଷା କରାଯାଇଥାଏ। ମାତ୍ର ଓଡିଆରେ ବହି ନାହିଁ। ଝାଡ଼ଖଣ୍ଡ ଏକାଡେମୀ କାଉନସିଲ ଦ୍ୱାରା ପ୍ରଚଳିତ ହିନ୍ଦୀ ବହି ଗୁଡିକୁ ଉକ୍ତ ସ୍କୁଲର ଶିକ୍ଷକମାନେ ଓଡିଆ ଭାଷାକୁ ଅନୁବାଦ କରି ପିଲାମାନଙ୍କୁ ପାଠ ପଢାଉଛନ୍ତି। ସେହିଭଳି ଝାଡଖଣ୍ଡ ଏକାଡେମି କାଉନସିଲର ପାଠ୍ୟ ପ୍ରଣାଳୀ ଅନୁସାରେ ପ୍ରଶ୍ନପତ୍ର ମଧ୍ୟ ହିନ୍ଦୀରେ ଛପାଯାଉଛି। ମାତ୍ର ଏହି ସ୍କୁଲ ଶିକ୍ଷକମାନେ ଏହାକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ତିଆରି କରି ପିଲାମାନଙ୍କୁ ଯୋଗାଇଥାନ୍ତି।
କେବଳ ଏହି ସ୍କୁଲ ନୁହେଁ, ପୂର୍ବ ଓ ପଶ୍ଚିମ ସିଂହଭୂମି ଜିଲାରେ ଯେତେ ଓଡ଼ିଆ ବିଦ୍ୟାଳୟ ରହିଛି ସବୁଠି ଏଭଳି ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ। ଏମାନଙ୍କ ପାଇଁ ଓଡିଆଭାଷାରେ ପ୍ରକାଶିତ ବହି ଓ ପ୍ରଶ୍ନପତ୍ରର ଆବଶ୍ୟକତା ଥିବାବେଳେ ଏହା ଆଜିଯାଏଁ ସମ୍ଭବପର ହୋଇପାରୁନାହିଁ। ଅପରପକ୍ଷେ ଉତ୍କଳମଣିଙ୍କ ପ୍ରତିଷ୍ଠିତ ଓଡିଆ ବିଦ୍ୟାଳୟକୁ ଆଜିଯାଏଁ ହାଇସ୍କୁଲ ମାନ୍ୟତା ମିଳିପାରିନି। ଏହାକୁ ତୁରନ୍ତ ହାଇସ୍କୁଲର ମାନ୍ୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଝାଡଖଣ୍ଡ ସରକାରଙ୍କ ନିକଟରେ ଦାବି କରାଯାଉଥିବା ସ୍କୁଲ କମିଟି କହିଛି। ଓଡିଶା ସରକାରରେ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଥିବାବେଳେ ଦେବୀପ୍ରସାଦ ମିଶ୍ର ଏହି ବିଦ୍ୟାଳୟକୁ ଅତିଥି ହୋଇ ଆସିଥିଲେ ଏବଂ ଏଠାକାର ସମସ୍ତ ଓଡିଆ ସ୍କୁଲର ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ସରକାରଙ୍କ ପକ୍ଷରୁ ଓଡିଆ ଭାଷାରେ ପ୍ରକାଶିତ ବହି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ବି ମିଳିଥିଲା। ମାତ୍ର କାର୍ଯ୍ୟକାରୀ ହୋଇପାରିଲାନି।
ସେହିଭଳି ଖଣ୍ଡାମୈାଦା ଗାଁରେ ଗୋଟିଏ ମଧ୍ୟ ଓଡିଆ ବିଦ୍ୟାଳୟ (ପ୍ରଥମ ଶ୍ରେଣୀରୁ ଅଷ୍ଠମଶେଣୀ ଯାଏ) ଏବଂ ଗୋଟିଏ ଓଡିଆ ମାଧ୍ୟମ ହାଇସ୍କୁଲ (ନବମ, ଦଶମ ଶ୍ରେଣୀ) ରହିଛି। ଏହି ହାଇସ୍କୁଲକୁ ମହାବିଦ୍ୟାଳୟରେ ପରିଣତ କରିବାକୁ ଦୀର୍ଘ ଦିନର ଦାବି ପୁରଣ ହୋଇପାରୁନାହିଁ। ଦୁଇ ବର୍ଷ ତଳେ ଖଣ୍ଡାମୌଦା ଗ୍ରାମର ଶିକ୍ଷା କମିଟି ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୈାପଦୀ ମୁର୍ମୁଙ୍କୁ ଭେଟି ଏହାକୁ ମହାବିଦ୍ୟାଳୟ କରିବା ସହ ଓଡିଆ ଭାଷାରେ ପ୍ରକାଶିତ ବହି ଯୋଗାଇକୁ ଦାବି କରିଥିଲେ। ଝାଡଖଣ୍ଡ ରାଜ୍ୟପାଳ ଏହି ସମସ୍ୟାକୁ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେତେବେଳର ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଜିଯାଏଁ ଖଣ୍ଡାମୌଦା ଗ୍ରାମବାସୀଙ୍କ ଶିକ୍ଷା ଓ ଭାଷା ସମସ୍ୟାର ସମାଧାନ ହୋଇପାରିନାହିଁ। ଝାଡ଼ଖଣ୍ଡରେ ଥିବା ଓଡ଼ିଆଙ୍କର ମୟୂରଭଞ୍ଜ ଜିଲ୍ଲା ସହିତ ପାରିବାରିକ ଓ ଭାବଗତ ସଂପର୍କ ରହିଛି। ଓଡିଆ ଭାଷାକୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଖଣ୍ଡାଦୌମାରେ ଗଢି ଉଠିଛି ଏକ ବୃହତ୍‌ ଗୋପବନ୍ଧୁ ପାଠାଗାର। ମାତ୍ର ସ୍କୁଲ ଛାତ୍ରଛାତ୍ରୀ ଓଡିଆ ଭାଷାରେ ବହି ପାଉ ନଥିବାରୁ ପ୍ରାଥମିକ ଶିକ୍ଷାଦାନ ପ୍ରଭାବିତ ହେଇଛି।

Comments are closed.