ରାୟଗଡ଼ା: ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ)ର ଯବାନ ଗୌରୀ ପ୍ରସାଦ ତାଡିଙ୍ଗିଙ୍କ ସନ୍ଦେହଜନକ ମୃତ୍ୟୁ। ଆଜି ତାଙ୍କ ମୃତଦେହ ରାୟଗଡା ବ୍ଲକ ପିତାମହଲ ନିକଟସ୍ଥ ଏକ କପାବାଡ଼ରୁ ଉଦ୍ଧାର ହୋଇଛି। ରାୟଗଡ଼ା ବ୍ଲକ କେରେଡ଼ା ପଞ୍ଚାୟତର ତୁଳସୀୱାଲ୍ସା ଗ୍ରାମର ମୃତ ଗୌରୀ କିଛି ଦିନ ହେଲା ଅସୁସ୍ଥ ଥିଲେ। ତେବେ ଗତକାଲି ରାତ୍ରିରେ କାର୍ଯ୍ୟରେ ଯୋଗ ଦେବା ପାଇଁ ରାୟଗଡ଼଼ା ଆସିଥିଲେ। ତାଙ୍କ ମାଆ ମନା କରିବା ସତ୍ତ୍ବେ ଜଣେ ସଂପର୍କୀୟଙ୍କ ସହ ସେ ବାଇକରେ ଡ୍ୟୁଟି କରିବା ପାଇଁ ଗତକାଲି ନିଜ ଗାଁରୁ ରାୟଗଡ଼ା ଆସିଥିଲେ। କାର୍ଯ୍ୟ ସାରି ଆଜି ଭୋରରୁ ସେ ନିଜ ଗାଁ କୁ ଫେରୁଥିବା ବେଳେ ପିତାମହଲ ନିକଟରେ ସେ ବାଇକରୁ ଓଲ୍ଲାଇଥିଲେ। ଏହାର କିଛି ସମୟ ମଧ୍ୟରେ ତାଙ୍କର ମୃତଦେହ ଏକ କପାବାଡରୁ ମିଳିଥିଲା। ଏ ସଂପର୍କରେ ପରିବାର ବର୍ଗ ଖବର ପାଇ ଆସି ଦେଖିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ତେବେ ତାଙ୍କର ମୃତ୍ୟୁ କିଭଳି ହେଲା ସେ ନେଇ ସମସ୍ତେ ସନ୍ଧିହାନୀ ଅଛନ୍ତି। ଖବର ପାଇ ଶେଷଖାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। କେଉଁ କାରଣରୁ ଗୌରୀଙ୍କ ମୃତ୍ୟୁ ଘଟିଲା ତାଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ରାୟଗଡା ଏସଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି।
Popular Categories



