ମାଓ ଶିବିର ଠାବ, ୪ ନକ୍ସଲ ନିହତ ଆଶଙ୍କା

ନୂଆପଡ଼ା: ଦୀର୍ଘ ଦିନର ନୀରବତା ପରେ ନୂଆପଡ଼ା ଜିଲାରେ ମାଓବାଦୀମାନେ ପୁନଃ ନିଜର ଉପସ୍ଥିତି ଜାହିର କରିଛନ୍ତି। ଜିଲାର ସୁନାବେଡା ଅଭୟ।ରଣ୍ୟ​ରେ ଏକ ମାଓ ଶିବିର ଠାବ କରାଯାଇଥିବା ବେଳେ ସେଠାରୁ ବ୍ୟାପକ ମାଓସାମଗ୍ରୀ ଜବତ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଓ ସିଅରପିଏଫ କମାଣ୍ଡାଣ୍ଟ ରାଜେଶ କୁମାର ବତ୍ସ ସୂଚନା ଦେଇଛନ୍ତି। ଏହାସହ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ଚାଳନାରେ ଅନ୍ୟୁନ ୪ ମାଓବାଦୀ ନିହତ ହୋଇଥିବାର ଅନୁମାନ କରାଯାଉଥିବା ସେମାନେ ପ୍ରକାଶ କରିଛନ୍ତି।

ପଡୋଶୀ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତ ନୂଆପଡ଼ା ଜିଲାର ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀଙ୍କ ଗତିବଧି ରହିଥିବା ଏବଂ ସେମାନଙ୍କ ଏକ ବଡ଼ ଦଳ ଏକତ୍ରିତ ହେଉଥିବା ପୁଲିସକୁ ସୂଚନା ମିଳିଥିଲା। ନୂଆପଡ଼ା ଜିଲା ପୁଲିସ ରଣନୀତି ପ୍ରସ୍ତୁତ କରିଥିଲା। ଏହି ପରିପ୍ରେକ୍ଷୀ​ରେ ଗତ ୭ ତାରିଖରେ ଏସଓଜି ଯବାନଙ୍କ ୨ଟି ଦଳ ଓ ସୁନାବେଡା ସିଆରପିଏଫ ଶିବିର ଯବାନ ୨ଟି ଦଳ ଖାନତଲାସ ଆରମ୍ଭ କରିଥିଲେ। ଅଭୟାରଣ୍ୟର ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ମାଓବାଦୀମାନେ ଶିବିର କରି ରହୁଥିଲେ। ୯ତାରିଖ ସକାଳ ପ୍ରାୟ ୯ଟାରେ ସୁନାବେଡା ଅଭୟାରଣ୍ୟ ଭିତରେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲା ମେନପୁର ଥାନା ସିକାସର ଡେମ ନିକଟ ହତୋଡାଡି ଗାଁ ନିକଟରେ ମାଓବାଦୀଙ୍କ ସହ ଯବାନମାନଙ୍କ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ୧୫ରୁ ୨୦ଟି ଆଇଡି ବିସ୍ଫୋରଣ କରି ଛତ୍ରଭଙ୍ଗ ଦେଇଥିଲେ।

ସେହିଦିନଠାରୁ ନୂଆପଡା ପୁଲିସ ଦଳ ସିଆରପିଏଫ ସହ ମିଳିତ ଭାବରେ କମ୍ବିଂ ଜାରି ରହିଥିଲା। ପୁନଃ ଗତ ୧୦ତାରିଖରେ ଆଉ ଏକ ଦଳ ସେଠାକୁ ଯାଇ ଖାନତଲାସି ଜୋରଦାର କରିଥିଲେ। ତେବେ ୧୨ ତାରିଖ ସକାଳ ପ୍ରାୟ ୯ଟା ୪୫ରେ ଯବାନମାନେ ଖାନତଲାସ ଜାରି ରଖିଥିଲାବେଳେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆରକ୍ଷୀ ଅଧିକ୍ଷକଙ୍କ କହିବା ମୁତାବକ ୬୦୦ରୁ ୭୦୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଏଥିରେ ୩ରୁ ୪ ନକ୍ସଲ ନିହତ ହୋଇଥିବା ଆଶାଙ୍କା କରାଯାଉଥିଲେ ମଧ୍ୟ ତାର ସତ୍ୟାସତ୍ୟ ଜଣାପଡ଼ି ନାହିଁ। ଉକ୍ତ ସ୍ଥାନରୁ ଯବାନମାନଙ୍କୁ ୨ଟି ସୋଲାର ପ୍ଲେଟ, ୨୦୦ଲି ପ୍ଲାଷ୍ଟିକ ଡ୍ରମ, ବାସନପତ୍ର, ଔଷଧ, ୫ଟି ଛଥା, ତାର, ପାଣି ଜାରକିନ, ପ୍ଲାଷ୍ଟିକ ବାଲଟି, ମୋରଟାର ସେଲ ୩ଟି, କୋଡେକ୍ସ ତାର, ଜୋତା, ଟିଫିନ ବକ୍ସ, ମାଓ ପୋଷାକ, ମାଓ ସାହିତ୍ୟ, ଜିଆଇ ତାର,୧୨ ଭୋଲ୍ଟ ବ୍ୟାଟେରି ଗୋଟିଏ, ତାରପୋଲିନ, ରଶି, ଛୁରୀ, ପ୍ଲାଷ୍ଟିକ ବ୍ୟାଗ ଆଦି ଜବତ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସେକେଣ୍ଡ କମାଣ୍ଟାଣ୍ଟ ଧିରଜ କୁମାର ସିଂ, ଦେବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.