ଦେବଗଡ : ଗତ ୨୦୦୭ ମସିହାରେ ତତ୍କାଳୀନ ଦେବଗଡ ଥାନା ଅନ୍ତର୍ଗତ ତେଲିକୁସୁମ ଗ୍ରାମରେ ମାଓବାଦୀଙ୍କ ଦ୍ୱାରା ସଂଘଟିତ ବହୁ ଚର୍ଚ୍ଚିତ ଠିକାଦାର ପ୍ରଭାତ ପ୍ରଧାନ ଓରଫ ମହି ହତ୍ୟା ଘଟଣାର ଆଜି ରାୟ ପ୍ରକାଶ ପାଇଛି । ମାନ୍ୟବର ଦେବଗଡ ଅତିରିକ୍ତ ଜିଲା ଓ ଦୌରାଜଜ ଏହି ମାମଲାର ବିଚାର କରି ଉପଯୁକ୍ତ ପ୍ରମାଣ ଅଭାବରୁ ହତ୍ୟା ଅଭିଯୁକ୍ତ ତଥା କୁଖ୍ୟାତ କ୍ୟାଡର ମାଓବାଦୀ ଶତୃଘ୍ନ ବିଶ୍ୱାଳ, ମିତା ଓରଫ୍ ମଞ୍ଜୁଲତା ମୁଦୁଲୀ ଓ ସୁଜାତା ଓରଫ୍ କଲେଷ୍ଟିକା ମିଞ୍ଜଙ୍କୁ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୦୭ ମସିହା ଜୁନ ମାସ ୨୨ ତାରିଖ ରାତ୍ରୀ ପ୍ରାୟ ୨ଟା ସମୟରେ ତକ୍ରାଳୀନ ଦେବଗଡ ଥାନା ଅନ୍ତର୍ଗତ ତେଲିକୁସୁମ ଗ୍ରାମର ଠିକାଦାର ପ୍ରଭାତ ପ୍ରଧାନ ଓରଫ ମହିଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିଲା । ମିଲିଟାରୀ ପୋଷାକ ପରିଧାନ କରିଥିବା ୧୦/୧୨ ଜଣ ସଶସ୍ତ୍ର ପୁରୁଷ ଏବଂ ମହିଳା ମାଓବାଦୀ ପ୍ରଭାତଙ୍କ ଘରେ ପଶି ତାଙ୍କର ମା’, ବାପା ଓ ବଡଭାଇଙ୍କୁ ନିସ୍ତୁକ ମାଡ ମାରିବାସହ ବାନ୍ଧି ପକାଇଥିଲେ । ଏଥିସହ ବନ୍ଧୁକ ମୁନରେ ଭୟଭୀତ କରି ପ୍ରଭାତଙ୍କୁ ଗାଁ ଦାଣ୍ଡକୁ ଟାଣିନେବା ସହ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସକାଳେ ମୃତ ପ୍ରଭାତଙ୍କ ବଡଭାଇ ପ୍ରଦୀପ ପ୍ରଧାନ ଏନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ହତ୍ୟା, ଦେଶଦ୍ରୋହ ଓ ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର ଆଦି ବିଭିନ୍ନ ଦଫାରେ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ ଚଲାଇଥିଲା ।
ସେହିପରି ଏହି ମାମଲାରେ କୁଖ୍ୟାତ କ୍ୟାଡର ମାଓବାଦୀ ସମ୍ବଲପୁର ଜିଲା ଯୁଜୋମୁରା ଥାନା ଅଂଚଳର ଗଣେଶ ମିର୍ଦ୍ଧା ,ବର୍ତମାନ ନୟାଗଡ ଜେଲରେ ଦଣ୍ଡ ଭୋଗୁଥିବା ସବ୍ୟସାଚୀ ପଣ୍ଡା, ଜଗତସିଂପୁର ଜିଲା ଏରସମା ଥାନା ଅନ୍ତର୍ଗତ ଶତୃଘ୍ନ ବିଶ୍ୱାଳ, ଜଗତସିଂପୁର ଜିଲା ଏରସମା ଥାନା ଅନ୍ତର୍ଗତ ଲଛମାକଣା ଗ୍ରାମର ମିତା ଓରଫ ମଞ୍ଜୁଲତା ମୁଦୁଲୀ ଓ ତକ୍ରାଳୀନ ଦେବଗଡ ଥାନା ଅନ୍ତର୍ଗତ ମେଣ୍ଢିଆକାନି ଗ୍ରାମର ସୁଜାତା ଓରଫ୍ କଲେଷ୍ଟିକା ମିଞ୍ଜଙ୍କୁ ଗିରଫ କରିଥିଲା । ୨୦୦୮ ମସିହା ଜାନୁୟାରୀ ମାସ ୪ ତାରିଖରେ ତତ୍କାଳୀନ ଦେବଗଡ ଥାନା ପୁଲିସ କ୍ୟାଡର ମାଓବାଦୀ ସୁଜାତା ଓରଫ୍ କଲେଷ୍ଟିକା ମିଞ୍ଜଙ୍କୁ ଗିରଫ କରିଥିଲା । ସେହିପରି ସେହିବର୍ଷ ମାର୍ଚ୍ଚ ମାସ ୪ ତାରିଖରେ କ୍ୟାଡର ମାଓବାଦୀ ମିତା ଓରଫ୍ ମଞ୍ଜୁଲତା ମୁଦୁଲୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତୀ ସମୟରେ ଅନ୍ୟତମ କ୍ୟାଡର ମାଓବାଦୀ ଶତୃଘ୍ନକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମିତା ଓରଫ୍ ମଞ୍ଜୁଲତା ଓ ସୁଜାତା ଓରଫ୍ କଲେଷ୍ଟିକା ଦୀର୍ଘଦିନ ଧରି ବିଚାରାଧିନ ବନ୍ଦୀ ଭାବେ ଜେଲରେ ରହିବା ପରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହି ମାମଲା ମାନ୍ୟବର ଦେବଗଡ ଅତିରିକ୍ତ ଜିଲା ଓ ଦୌରାଜଜଙ୍କ ଅଦାଲତରେ ବିଚାରାଧିନ ଥିଲା । ମାନ୍ୟବର ଅଦାଲତ ଏ ମାମଲାର ବିଚାର କରି ୧୩ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରିବାସହ ଉଭୟ ପକ୍ଷର ଓକିଲଙ୍କ ଜବାବ ସୁଆଲକୁ ଭିତ୍ତିକରି ଉପଯୁକ୍ତ ପ୍ରମାଣ ଅଭାବରୁ ଗତକାଲି ଗଣେଶଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଅନୁରୂପ ଭାବେ ଉପଯୁକ୍ତ ପ୍ରମାଣ ଅଭାବରୁ ଆଜି କୁଖ୍ୟାତ କ୍ୟାଡର ମାଓବାଦୀ ଶତୃଘ୍ନ ବିଶ୍ୱାଳ, ମିତା ଓରଫ୍ ମଞ୍ଜୁଲତା ମୁଦୁଲୀ ଓ ସୁଜାତା ଓରଫ୍ କଲେଷ୍ଟିକା ମିଞ୍ଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡିଛି । ଅଭିଯୁକ୍ତ ଗଣେଶ, ମଞ୍ଜୁଲତା ଓ ସୁଜାତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଲ୍ଲିପ କୁମାର ଗୁରୁ ଓ ସିଦେ୍ଧଶ୍ୱର ମୋକଦ୍ଦମା ପରିଚାଳନା କରିଥିଲେ । ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ପ୍ରଭାତ ପ୍ରଧାନ ହତ୍ୟାକାଣ୍ଡର କିଛିମାସ ପୂର୍ବରୁ ପୁଲିସ ଗୁଳିରେ ବହୁ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା । ଫଳରେ ମାଓବାଦୀ ମାନେ ପ୍ରତିହିଂସା ପରାୟଣ ହୋଇପଡିବାସହ ପୁଲିସ ଇନଫର୍ମର ସନ୍ଦେହରେ ପ୍ରଭାତଙ୍କୁ ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ।



