www.samajalive.in
Wednesday, December 10, 2025
16.1 C
Bhubaneswar

ଆଜି ନୂଆଖାଇ

ସମ୍ବଲପୁର: ଗତ କିଛିବର୍ଷ ହେଲା ଅଗ୍ରପୂଜ୍ୟ ବିଘ୍ନବିନାଶକଙ୍କ ପୂଜା ସାରା ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଛି। ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ସାହି, ପଡ଼ାର ପୂଜାମଣ୍ଡପରେ ବେଶ ଜାକ୍‌ଜମକରେ ଏହାକୁ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାରେ ମଧ୍ୟ ଗଣେଶ ପୂଜା ପ୍ରତିବର୍ଷ ମହାଆଡ଼ମ୍ବରରେ ପାଳିତ ହେଉଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାଳନ ଅବସରରେ ମଣ୍ଡପର ବର୍ଣ୍ଣାଢ଼୍ୟ ସାଜସଜ୍ଜା ସହ ରଙ୍ଗୀନ ଆଲୋକସଜ୍ଜାରେ ଝଲସି ଉଡିଥାଏ ସମଗ୍ର ଅଞ୍ଚଳ। ତେବେ ଚଳିତବର୍ଷ କରୋନା କଟକଣା ଯୋଗୁଁ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ବିଭିନ୍ନ ସ୍ଥାନରେ ସୁସଜ୍ଜିତ ପୂଜାମଣ୍ଡପ ପରିବର୍ତ୍ତେ ବିଘ୍ନବିନାଶକ ଏଥର ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ପୂଜା ପାଇଛନ୍ତି। ଏପରିକି ଦେବଦୁର୍ଗ ଦେବଗଡ଼, ଯେଉଁଠି ଗଣେଶ ପୂଜା ଏକ ଗଣପର୍ବ। ବିଘ୍ନବିନାଶକ ଜିଲାର ପ୍ରତିଟି ସାହି, ବସ୍ତିରେ ପୂଜା ପାଇଥାନ୍ତି। ଆଲୋକମାଳାରେ ଝଲସୁଥାଏ ସହରଠାରୁ ଆରମ୍ଭ କରି ପୁରପଲ୍ଲୀ। ବଡ଼ ବଡ଼ ମଣ୍ଡପ ମାନଙ୍କରେ ବିଶାଳ ପ୍ରତିମା ଶୋଭା ପାଉଥାନ୍ତି। ସେଠାରେ ମଧ୍ୟ ଚଳିତବର୍ଷ କରୋନା କଟକଣା ଯୋଗୁଁ ସବୁକିଛି ଶୂନଶାନ। ଜିଲାପାଳଙ୍କ ନିର୍ଦେଶନାମା ଅନୁଯାୟୀ ଶିକ୍ଷାନୁଷ୍ଠାନ, କ୍ଳବ, ସାହି ଆଦିରେ ପୂଜା ବନ୍ଦ ରହିଥିଲା।

ଆଜି ରବିବାର, ନୂଆଁଖାଇ। ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ୧୦ଟି ଯାକ ଜିଲାରେ ଲୋକେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ, ଗ୍ରାମ ଦେବୀ ତଥା ଇଷ୍ଟ ଦେବୀଦେବତାଙ୍କଠାରେ ନବାନ୍ନ ଅର୍ପଣ କରି ନୂଆଁ ଖାଇବେ। ତେବେ, ପ୍ରତିବର୍ଷ ଭଳି ମାଁ ମାଣିକେଶ୍ୱରୀଙ୍କ ମୂଳ ପୀଠ କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣା ଏବଂ ଅନ୍ୟପୀଠ ଜୟପାଟଣା, ମହୁଲପାଟଣା, ଥୁଆମୂଳ ରାମପୁର, ଲାଂଜିଗଡ଼ ଓ ମଦନପୁର ରାମପୁର ଆଦି ଅଞ୍ଚଳରେ ରବିବାର ପରିବର୍ତ୍ତେ ଆସନ୍ତା ୨୭ ତାରିଖ ଭାଦ୍ରବ ଶୁକ୍ଲପକ୍ଷ ଦଶମୀ ତିଥିରେ ନୂଆଖାଇ ପାଳିତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୂର୍ବ ପରଂପରା ଅନୁଯାୟୀ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମବାସୀ ଗତ ୧୯ ତାରିଖ ସପ୍ତପୁରୀ ଅମାବାସ୍ୟା ତିଥିରେ ନୂଆ ଖାଇଛନ୍ତି।

- Advertisement -

ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ ଧାର୍ୟ୍ୟ ବିଶୁଦ୍ଧ ତୁଳା ଲଗ୍ନରେ ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ। ପୀଠ ପରିସରରେ ଥିବା ୧୧୫ ପାର୍ଶ୍ବ ଦେବଦେବୀଙ୍କୁ ପୂଜକମାନେ ନବାନ୍ନ ଲାଗି କରିବେ। ଏହାପରେ ଲୋକେ ନିଜ ନିଜ ଘରେ ନୂଆ ଖାଇବେ। ପ୍ରତିବର୍ଷ ନୂଆଁ ଲାଗି ହେବା ପରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରୁ ଆସି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଥାନ୍ତି। ଚଳିତବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଁ ସମଲେଶ୍ୱରୀଙ୍କ ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

ଦେବୀଙ୍କଠାରେ ନବାନ୍ନ ଲାଗି ଓ ରୁଦ୍ଧଦ୍ୱାର ପୂଜା ବ୍ୟତୀତ ଅନ୍ୟ ସମସ୍ତ କାର୍ୟ୍ୟକ୍ରମ ରବିବାର ପୂର୍ବାହ୍ନ ୯ଟା ୧୫ ମିନିଟରୁ ଫେସବୁକ୍‌ରେ ଲାଇଭ୍‌ ପ୍ରସାରଣ ବ୍ୟବସ୍ଥା କରାଯାଇଥିବା ମା’ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ କୁମାର ବାବୁ କହିଛନ୍ତି। ସକାଳ ୯ଟା ୧୫ ମିନିଟ ସମୟରେ ଚାରିଜଣ ପୂଜକଙ୍କ ଘରୁ ଭୋଗ ମନ୍ଦିରକୁ ଯିବ ଓ ନିର୍ଦ୍ଧାରିତ ସମୟରେ ଭୋଗ ଲାଗି ହେବାପରେ ଚତୁଃପାର୍ଶ୍ବରେ ଥିବା ଦେବଦେବୀଙ୍କଠାରେ ନବାନ୍ନ ଲାଗିର ସିଧା ପ୍ରସାରଣ କରାଯିବ। ଭକ୍ତମାନଙ୍କ ସକାଶେ ମହାଆଳତୀ ଓ ମାଁଙ୍କ ଦର୍ଶନ ଅନ୍‌ଲାଇନରେ ଦିନ ପ୍ରାୟ ସାଢ଼େ ୧୧ଟା ପର୍ୟ୍ୟନ୍ତ ଉପଲବ୍ଧ ହେବ। ଏହାପରେ ମାଁଙ୍କ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତ ଟ୍ରଷ୍ଟବୋର୍ଡର ଫେସବୁକ୍‌ର ‘ସମଲେଶ୍ବରୀ ଟେମ୍ପଲ ଟ୍ରଷ୍ଟ ବୋର୍ଡ’ ପେଜ୍‌ରେ ଭିଡିଓ ଦେଖିପାରିବେ ବୋଲି ଶ୍ରୀ ବାବୁ କହିଛନ୍ତି। ଚଳିତବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଦେବୀଙ୍କ ନବାନ୍ନ ଭୋଗ ବଣ୍ଟନ କରାନଯିବାକୁ ନିଷ୍ପତି ହୋଇଛି। ସଂପ୍ରତି ସମଲେଶ୍ୱରୀ ମନ୍ଦିର ବନ୍ଦ ରହିଥିଲେ ହେଁ ନୂଆଁଖାଇ ସକାଶେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ସମସ୍ତ ନୀତିନିର୍ଘଣ୍ଟ ପାଳନ କରାଯିବ ବୋଲି ଜଣାପଡ଼ିଛି।

କରୋନା କଟକଣା ଯୋଗୁଁ ବିଭିନ୍ନ ଜିଲାରେ ସୀମିତ ସମୟ ପାଇଁ ଦୋକାନ ବଜାର ଖୋଲା ରହୁଛି। ସେଥିପାଇଁ ଶନିବାର ସକାଳୁ ଦୋକାନବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ନୂଆଁଖାଇରେ ସ୍ୱତନ୍ତ୍ର ଭାବେ ଆବଶ୍ୟକ ହେଉଥିବା ସାରୁ ଓ ସାରୁପତ୍ର, ବିଭିନ୍ନ ପତ୍ରର ଦନା, ସୂତାର ରାକ୍ଷୀ, ମାଟିର ପାତ୍ର ଆଦିର ବେଶ ଚାହିଦା ଦେଖିବାକୁ ମିଳିଥିଲା। କରୋନା କଟକଣା ଯୋଗୁଁ ଜୁହାର ସମାବେଶ ଆଦି ବନ୍ଦ ରହିଥିବାରୁ ପଶ୍ଚିମ ଓଡ଼ିଶାର କଳାକାରମାନେ ଭର୍ଚୁଆଲ ଭାବେ ଅନ୍‌ଲାଇନ୍‌ରେ ସାଂସ୍କୃତିକ କାର୍ୟ୍ୟକ୍ରମ ତଥା କବିତା ପାଠୋତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ତେବେ, କରୋନା ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଗଣପର୍ବ ନୂଆଁଖାଇ ଫିକା ପଡ଼ି ଯାଇଥିବା ଦେଖାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories