କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ – ଅତୀତ ଓ ବର୍ତ୍ତମାନ
ରେଙ୍ଗାଲିକ୍ୟାମ୍ପ: ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ପାରମ୍ପରିକ ପର୍ବ। କୃଷି କ୍ଷେତ୍ରରେ ଫସଲକୁ ଦେଖି କୃଷକ ଧାନ ଅମଳର ଖୁସିକୁ ସେ ପରିବାର ମଧ୍ୟରେ ବାଣ୍ଟିବା ପାଇଁ ଏହି ପର୍ବର ପରିକଳ୍ପନା ରହିଥିଲା। ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ, ଗଣେଶ ଚତୁର୍ଥୀର ପରଦିନ ପାଳିତ ହୋଇଥାଏ। ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା। ବର୍ଷା ଶେଷ ହେବା ପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ପଶ୍ଚିମ ଓଡ଼ିିଶାରେ ନୂଆଁଖାଇ କୁହାଯାଏ।
ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ। ନୂଆଖାଇ ଏକ ଗଣପର୍ବ। ଅତୀତରେେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆ ଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ। ସ୍ଥାନ ବିଶେଷରେ ଏହା ଭିନ୍ନ ଭିନ୍ନ ଦିିନରେ ପାାଳିତ ହେଉଥିଲା। ତେଣୁ ଗୋଟିଏ ସ୍ଥାନର ନୂଆଖାଇ ପର୍ବ ସାାରିବା ପରେ ଲୋକେ ନିଜର ବନ୍ଧୁ ମାନଙ୍କ ଘରକୁ ଯାଉଥିଲେ। ନୂଆଖାଇ ପାାଳନ କରିବା ପାଇଁ ବନ୍ଧୁ ବର୍ଗମାନଙ୍କୁ ଡକା ଯାଉଥିଲା। ଏକ ନର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁ ମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା। ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି। କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ।
ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି। କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ବ୍ୟବହୃତ ହୋଇଥାଏ। ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି।
ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି। ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆ ଭାବରେ ଅମଳ କରାଯାଇଥିବା ଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି। ନୂଆଧାନରୁ ପ୍ରସ୍ତୁତ ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି। ଖାଇ ସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୋଇଥାଏ। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି। ଭେଟଘାଟ ଶେଷ ହେବା ପରେ ଗାଁରେ ଖେଳକୁଦ ପ୍ରତିଯୋଗିତା, ଝିଅ ମାନଙ୍କର ପୁଚି ଖେଳ, ହୁମୋବାଉଳି, ପୁରୁଷ ମାନଙ୍କ ଗୁଡୁ ଖେଳ, କସରତ ଖେଳ ଆଦି ଅନୁଷ୍ଠିତ ହେଉଥିଲା। ଗ୍ରାମର ଆବାଳ ବୃଦ୍ଧ ବନିତା ଏହା ଦେଖିବା ପାଇଁ ରୁଣ୍ଡ ହେଉଥିଲେ। ଏହା ବଡ କୌତୁହଳପୂର୍ଣ୍ଣ ଓ ମନୋରଂଜନଧର୍ମୀ ଥିଲା। ଏହା ବ୍ୟତୀତ ଲୋକଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହୁଥିଲା। ପରସ୍ପର ମଧ୍ୟରେ ଥିବା ପୂର୍ବର ରାଗ ରୋଷ ସବୁ ଭୁଲି ପୁଣି ଏକାଠି ହେବାର ସୁଯୋଗ ଦେଉଥିଲା।
ନୂଆଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ। ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ। ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ। ସେଥିପାଇଁ ଏହି ଦିନ ଆଇଁଷ ଖାଇଥାନ୍ତି।
କିନ୍ତୁ ସମୟ କ୍ରମେ ପୂର୍ବରୁ ଚାଲି ଆସୁଥିବା ଏହି ପର୍ବର ରୀତିନୀତିରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। ଆଧୁନିକ ବିଜ୍ଞାନର ଉନ୍ନତି, ଯନ୍ତ୍ରାଂଶର ବ୍ୟବହାର, ମୋବାଇଲର ବହୁଳ ବ୍ୟବହାର ଓ ସର୍ବୋପରି ମଣିଷର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀ ବହୁ ମାତ୍ରାରେ ଏଥିପାଇଁ ଦାୟୀ ବୋଲି କୁହାଯାଇପାରେ। ଆଜି ସମସ୍ତେ ଶିକ୍ଷିତ ହୋଇ ପ୍ରାୟ ୬୦ ପ୍ରତିଶତ ଲୋକ ବାହାରେ ଦେଶ ବିଦେଶରେ ରହି ଚାକିରୀ କରୁଛନ୍ତି। ତେଣୁ ବେଳେ ବେଳେ କାର୍ଯ୍ୟ ବ୍ୟସ୍ତତା ହେଉ ବା ନିୟମ ପ୍ରତିବନ୍ଧକ ସାଜିଛି। ଅନେକ ପରିବାର ଏଥିପାଇଁ ଏକତ୍ରିତ ହୋଇପାରୁ ନାହାନ୍ତି ନୂଆଖାଇରେ। ଦ୍ବିତୀୟତଃ ଖାଦ୍ୟର ରୁଚି ମଧ୍ୟ ବଦଳି ଯାଇଛି। ଅତୀତରେ ଯାହା ସବୁ ଖାଦ୍ୟ ତିଆରି ହେଉଥିଲା ତାହା ଶରୀର ପାଇଁ ସୁଷମ ଖାଦ୍ୟ ଯୁକ୍ତ ଥିଲା। କିନ୍ତୁ ଆଜିକାଲି ସବୁ ଅଧିକ ମସଲା ତଥା ତେଲ ଜାତୀୟ ଖାଦ୍ୟ ଲୋକଙ୍କ ରୁଚି ହୋଇଛି। ଯାହା ଶରୀର ପାଇଁ କ୍ଷତିକାରକ।
ଏହା ବ୍ୟତୀତ ଆଗ କାଳରେ ଲୋକେ ଖୋଲା ଆକାଶ ତଳେ, ମୁକ୍ତ ବାୟୁରେ ଖେଳକୁଦ କରୁଥିଲେ ଯାହା ଶରୀର ପାଇଁ ବ୍ୟାୟାମ ରୂପେ କାର୍ଯ୍ୟ କରୁଥିଲା। ଘର ଘର ଯାଇ ବଡମାନଙ୍କୁ ମୁଣ୍ଡିଆ ହୋଇ ନୂଆଖାଇ ଜୁହାର କରି ଆଶୀର୍ବାଦ ନେଉଥିଲେ। ଗାଆଁ ମାନଙ୍କରେ ପାଲା, ଦାସକାଠିଆ, ସଂକୀର୍ତ୍ତନ ଆଦି ହେଉଥିଲା। ଯାହା ଛୋଟ ଛୋଟ ପିଲାମାନଙ୍କ ମନରେ ନୈତିକତା ଗୁଣର ବିକାଶ କରୁଥିଲା। କିନ୍ତୁ ଆଜିକାଲି ମୋବାଇଲରେ ନୂଆଖାଇର ବାର୍ତାଟିଏ ପଠେଇ ଦେଇ ବେଶ୍ ଖୁସି ଅନୁଭବ କରୁଛନ୍ତି। ଘର ଘର ଯାଇ ବା ଗାଆଁ ଦାଣ୍ଡରେ ପାଦ ଛୁଇଁ ପ୍ରଣାମ କରିବା ଆଉ ବିଶେଷ ଦେଖିବାକୁ ମିଳୁନାହିଁ। ଅପର ପକ୍ଷରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ବି ହେଉଛି, କିନ୍ତୁ ଯେଉଁ ସବୁ ନୃତ୍ୟ ଗୀତ ପରିବେଷିତ ହେଉଛି ସେଥିରେ ଅଶ୍ଳୀଳ ଭାଷାର ବ୍ୟବହାର ରହିବା ସହ ବେଶ ପୋଷାକରେ ମଧ୍ୟ ଶାଳୀନତା ରହୁନାହିଁ। ଯାହା ମଣିଷ ମନରେ ତାମସିକ ଭାବନା ଜାଗ୍ରତ କରୁଛି। ଛୋଟ ଛୋଟ ପିଲାମାନେ ଘରେ ବସି ମୋବାଇଲରେ ଖେଳ ଖେଳୁଛନ୍ତି, ଫଳରେ ବାହ୍ୟ ଜ୍ଞାନର ଘୋର ଅଭାବ ରହିବା ସହ ଶରୀର ହୃଷ୍ଟ ପୁଷ୍ଟ ହୋଇ ପାରୁନାହିଁ। ରୋଗ ପ୍ରତିରୋଧକ କ୍ଷମତା କମିଯାଇଛି। ସ୍ବାସ୍ଥ୍ୟ ବେଶୀ ପରିମାଣରେ ଖରାପ ହେଉଛି। କିନ୍ତୁ ଏହି ନୂଆଖାଇ ପର୍ବ ଆଜି ଦେଶ ବିଦେଶରେ ରହୁଥିବା ଅଞ୍ଚଳର ଲୋକେ ଏକତ୍ରିତ ଭାବରେ ପାଳନ କରୁଛନ୍ତି। ଫଳରେ ବିଦେଶୀମାନେ ମଧ୍ୟ ନୂଆଖାଇର ପରମ୍ପରା ବିଷୟରେ ଜାଣୁଛନ୍ତି, ଯାହା ପଶ୍ଚିମ ଓଡ଼ିଶା ପାଇଁ ଏକ ଗର୍ବର କଥା। ଯାହା ବି ହେଉ, ପାଳନରେ ନୁତନତା ହେଉ ବା ପୁରାତନତା, କୋଣ ଅନୁକୋଣରେ ଏହି ପର୍ବର ମାନ୍ୟତା ଆଜି ବି ରହିଛି ଓ ଆଗକୁ ବି ରହିବ ଏଥିରେ ସନ୍ଦେହ ନାହିଁ।
Comments are closed.