ଶୁକ୍ରବାର ନୂଆଁଖାଇ
ସମ୍ବଲପୁର : ନୂଆଁଖାଇ ସକାଶେ ଗୁରୁବାର ପଶ୍ଚିମ ଓଡ଼ିଶାର ଗାଁରୁ ସହର ସବୁଠି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଇଷ୍ଟଦେବୀ ସମଲେଇଙ୍କ ପୀଠରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି। ଗୁରୁବାର ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଓ ଭିତର ପ୍ରବେଶ ଦ୍ୱାର ସୁସଜ୍ଜିତ କରାଯାଇଛି। ଶୁକ୍ରବାର ସକାଳେ ନୂଆଁଖାଇ ଲଗ୍ନ ଥିବାରୁ ପୂଜକମାନେ ପ୍ରସ୍ତୁତି କରି ସାରିଲେଣି।
ଗୁରୁବାର ମଧ୍ୟାହ୍ନରେ ମା’ଙ୍କ ରୂପା ଛତ୍ର, ମଥାମଣୀ, ଗଳାହାର ସମେତ ବିଭିନ୍ନ ଅଳଙ୍କାରଗୁଡ଼ିକୁ ପରିଷ୍କାର କରାଯାଇଥିଲା। ଶୁକ୍ରବାର ସକାଳେ ନୂଆଁଖାଇ ଲଗ୍ନ ଥିବାରୁ ଅନ୍ୟ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ହୋଇ ସାରିଛି ବୋଲି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ କହିଛନ୍ତି। ଶ୍ରୀ ରାୟ କହନ୍ତି ଶୁକ୍ରବାର ଭୋର ସାଢ଼େ ୪ଟାରୁ ମନ୍ଦିର କବାଟ ଫିଟାଯାଇ ମା’ ସମଲେଇଙ୍କ ମାର୍ଜନା ହେବ। ଶୁଦ୍ଧ ଜଳରେ ଦେବୀଙ୍କ ସ୍ନାନ ପରେ ନୂତନ ପାଟବସ୍ତ୍ର ଓ ଅଳଙ୍କାର ପରିଧାନ କରାଯିବ। ଏହାପରେ ମନ୍ଦିର କବାଟ କିିଛି ସମୟ ପାଇଁ ବନ୍ଦ ରହିବ। ସକାଳ ୭ଟାରେ ପୂଜକମାନେ ‘ବନା’ ବା ଝୁଟି ଦେବା କାମ ଆରମ୍ଭ କରିବେ। ଏହା ୪୫ମିନିଟ୍ ଲାଗିବ। ତା ପରେ ପୂଜକ ଅମ୍ବିକା ରାୟ, ଗଙ୍ଗାଧର ରାୟ, କୋଦଣ୍ଡ ରାୟ ଓ ପ୍ରଶାନ୍ତ ରାୟଙ୍କ ଘରୁ ନବାନ୍ନ ଓ ପୂଜା ସାମଗ୍ରୀ ଅଣାଯିବ। ସକାଳ ୮ଟାରେ ଗମ୍ଭୀରା କବାଟ ଫିଟାଯିବ ଓ ୮ଟା ୧୦ମିିନିଟରୁ ପୂଜାରମ୍ଭ ଓ ନବାନ୍ନ ଲାଗି ହେବ। ଏହା ପରେ ସମସ୍ତ ୧୧୫ ଜଣ ପାର୍ଶ୍ବ ଦେବଦେବୀଙ୍କ ପୂଜାର୍ଚ୍ଚନା ପରେ ମଙ୍ଗଳଆଳତୀ ହେବ। ୮ଟା ୪୦ରେ ପୂଜା ଶେଷ ହେବ। ଏହାପରେ ସମସ୍ତ ପୂଜକ ନିଜ ନିଜ ଘରକୁ ନବାନ୍ନ ଭୋଗ ନେବା ପରେ ଘରେ ଥିବା ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବେ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି। ମା’ଙ୍କୁ ନବାନ୍ନ ଲାଗି ହେବା ପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ନବାନ୍ନ ଭୋଗ ଓ ଭକ୍ଷଣର ପରମ୍ପରା ରହିଛି। ସହରରେ ନବାନ୍ନ ଭକ୍ଷଣ ପରେ ପରିବାର ଲୋକଙ୍କୁ ଜୁହାର, ମୁଣ୍ଡିଆ ମାରିବା ପରେ ପ୍ରାୟ ସମଲେଇ ଦର୍ଶନ କରିଥାନ୍ତି। ପରେ ସାଧାରଣ ଭୋଜନ, ଜୁହାର ଭେଟ ଆଦି ହୋଇଥାଏ।
ଗ୍ରାମାଞ୍ଚଳରେ ଜମି ବା ମାତୃକା ପୂଜାରୁ ନବାନ୍ନର ପୂଜାର୍ଚ୍ଚନା ପର୍ବ ଆରମ୍ଭ ହୋଇଥାଏ। ପଶ୍ଚିମ ଓଡ଼ିଶାର ସାଧାରଣ ପରମ୍ପରା ମୁତାବକ ଘରର ମୁରବୀ ଭୋରରୁ ନିତ୍ୟକର୍ମ ସାରି ନୂତନ ଶୁଳ୍କ ବସ୍ତ୍ର ପରିଧାନ କରିଥାନ୍ତି। ତା ପରେ ଗାଁ ମନ୍ଦିରକୁ ଭୋଗ ପ୍ରେରଣ, ଭୂମି ପୂଜା, ଗୋ ପୂଜା ହୋଇଥାଏ। ଏହା ପରେ ‘ମାହାପ୍ରୁ ବା ଦେବତା କୁଠି’ରେ ନିଜ ଇଷ୍ଟଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ। ସମଲେଇ ଗୁଡ଼ିରେ ନବାନ୍ନ ଲାଗି ପରେ ଘରେ ନବାନ୍ନ ଲାଗି ଓ ମୁରବୀଙ୍କ ହାତରୁ ପରିବାରର ସମସ୍ତେ ନବାନ୍ନ ଗ୍ରହଣ କରନ୍ତି। ପରେ ଦେବଦର୍ଶନ ଜୁହାର ଭେଟ ହୋଇଥାଏ।