www.samajalive.in
Monday, December 15, 2025
26.1 C
Bhubaneswar

ଏବେ ସୁଦ୍ଧା ୫ କୋଠା ଓ ୯ଟି ମୂଲ୍ୟବାନ ପ୍ଲଟ୍ ଠାବ – କାଶୀପୁର ରେଞ୍ଜରଙ୍କ ଠାରୁ ଏତିକି ଜବତ କଲେ ଭିଜିଲାନ୍ସ ଅଧିକାରୀ

ରାୟଗଡା/ବାଲିଗୁଡ଼ା : ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଶୁକ୍ରବାର ଭୋରରୁ ଚଢ଼ଉ କରିଛି। କାଶୀପୁର ରେଞ୍ଜରଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ବର୍ତ୍ତମାନ ସୁଦ୍ଧା ୫ଟି କୋଠା, ୯ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ୍ ସୁନା ଅଳଙ୍କାର ସହିତ ୨୭ ଲକ୍ଷ ୯୯ ହଜାର ୬୫୯ ଟଙ୍କା ବ୍ୟାଙ୍କ ଏବଂ ଡାକଘର (ପୋଷ୍ଟାଲ)ରେ ଜମା ରହିଛି। ଏହାବ୍ୟତୀତ ଘରକରଣା ସାମଗ୍ରୀ ଏବଂ ନଗଦ ଟଙ୍କା ୯.୪୩ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏହି ପରିମାଣ ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି। କନ୍ଧମାଳ ଜିଲା ବାଲିଗୁଡ଼ା ଏସବିଆଇରେ ଶ୍ରୀ ସାହୁ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଏକ ଲକର ରହିଛି।
ମିଳିଥିବା ସୂଚନା ମୁତାବକ, ଆଜି ଭୋରରୁ ଜୟପୁର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୭ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର, ୯ ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ବରେ ରାୟଗଡ଼ା, କନ୍ଧମାଳ, ଗଞ୍ଜାମ ଓ ନୟାଗଡ଼ ଜିଲାର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ତାଙ୍କ ସରକାରୀ ବାସଭବନ ସମେତ କନ୍ଧମାଳ ଜିଲା ବାଲିଗୁଡ଼ାରେ ସ୍ତ୍ରୀ ନାମରେ ଥିବା ଘର, ବାଲିଗୁଡ଼ାରେ ଥିବା ତାଙ୍କର ଆଉ ଏକ ଘର, ଦାରିଙ୍ଗବାଡ଼ିରେ ଥିବା ଶ୍ରୀ ସାହୁଙ୍କ ଘର, ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ କରଡପଡ଼ା ଗାଁରେ ଥିବା ଶ୍ବଶୁର ଘର, ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକର ଯୋଗିଆପଲ୍ଲୀ ଓ ଭଞ୍ଜନଗର ଦୋମୁହାଣୀରେ ଥିବା ଜଣେ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ। ସେ ୨୦୦୭ ମସିହାରେ ଫରେଷ୍ଟର ଭାବେ ଚାକିରିରେ ଯୋଗ ଦେଇଥିଲେ। ଚାକିରି କରିବାର ୧୮ ବର୍ଷ ମଧ୍ୟରେ ସେ ଅମାପ ସମ୍ପତ୍ତି ଠୁଳ କରିଥିଲେ।
ବର୍ତ୍ତମାନ ସୁଦ୍ଧା ୫ଟି କୋଠା, ୯ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି। କନ୍ଧମାଳ ଜିଲା ବାଲିଗୁଡ଼ାରେ ୨୨୫୦ ବର୍ଗଫୁଟ ଓ ୧୦୦୦ ବର୍ଗଫୁଟର ଦୁଇଟି ଘର, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶ୍ରନିକେତାରେ ୧୬୦୦ ବର୍ଗଫୁଟର ଏକ ଘର, ବ୍ରହ୍ମପୁର ଟକ୍ନୋ ପାର୍କରେ ୧୬୫୦ ବର୍ଗଫୁଟର ଏକ ଘର, ଦାରିଙ୍ଗବାଡ଼ିରେ ମଧ୍ୟ ଏକ ଘର ଠାବ କରିଛି ଭିଜିଲାନ୍ସ। ସେହିପରି ବାଲିଗୁଡ଼ା ସହର ଓ ଉପକଣ୍ଠରେ ୬ ପ୍ଲଟ୍ ଠାବ ହୋଇଥିବାବେଳେ ବ୍ରହ୍ମପୁର ଯୋଗିଆପଲ୍ଲୀରେ ଗୋଟିଏ ଓ ଖୋଡ଼ାସିଙ୍ଗିରେ ୨ଟି ପ୍ଲଟ୍ ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ଶ୍ରୀ ସାହୁ ଗତ ୨୦୨୩ ମସିହା ଅଗଷ୍ଟ ୧୦ ତାରିଖ ଠାରୁ କାଶୀପୁରରେ ରେଞ୍ଜର ଭାବେ କାର୍ଯ୍ୟ କରୁଛନ୍ତି। କାଶୀପୁର ବନାଞ୍ଚଳରେ ଗତ ୨ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ସହ ରାୟଗଡ଼ା ଭିଜିଲାନ୍ସ ଟିମ୍ ସହାୟତାରେ ଏହି ଚଢ଼ଉ ଜାରି ରହିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories