ପ୍ରଖାତ ଗାୟକ ଭୂପିନ୍ଦର ସିଂହଙ୍କ ପରଲୋକ
ମୁମ୍ବଇ : ବଲିଉଡ୍ର ଲବ୍ଧପ୍ରତିଷ୍ଠ ପ୍ରଚ୍ଛଦପଟ ଗାୟକ ଭୂପିନ୍ଦର ସିଂହଙ୍କର ସୋମବାର ପରଲୋକ ହୋଇଛି । ତାଙ୍କୁ ୮୨ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ସମ୍ପର୍କରେ ପତ୍ନୀ ମିତାଲି ସୂଚନା ଦେଇଛନ୍ତି । ମୂତ୍ରାଶୟ ସଂକ୍ରମଣ ପାଇଁ ୮ଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରୀକ୍ଷା ସମୟରେ ସେ କୋଭିଡ-୧୯ ସଂକ୍ରମିତ ଥିବା ଜଣାପଡିଥିଲା। କୋଲୋନ କ୍ୟାନସର ଓ କୋଭିଡ୍ ସଂକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ମିତାଲି କହିଛନ୍ତି।
୧୯୪୦ ଫେବୃଆରୀ ୬ରେ ପଞ୍ଜାବର ଅମୃତସରରେ ଜନ୍ମିତ ଭୂପିନ୍ଦରଙ୍କର ଆଦ୍ୟ ସଙ୍ଗୀତ ଗୁରୁ ଥିଲେ ତାଙ୍କ ପିତା ପ୍ରଫେସର ନାଥ ସିଂହ। ସେ ଆକାଶବାଣୀ ଓ ଦୂରଦର୍ଶନରେ ସଙ୍ଗୀତ ପରିବେଷଣ କରିଥିଲେ। ଦିଲ୍ ଧୂଣ୍ଡତା ହେ, ନାମ ଗୁମ୍ ଜାୟେଗା, ଏକ ଏକେଲା ଇସ୍ ସହର ମେ, କିଶି ନଜର କୋ ତେରା ଇନ୍ତଜାର ଆଜ୍ ଭି ହେ ଆଦି ତାଙ୍କର ପ୍ରମୁଖ ଗୀତ । ସେ ବାଂଲାଦେଶୀ ଗାୟିକା ମିତାଲି ମୁଖାର୍ଜୀଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ମିଳିତ ଭାବେ ଅନେକ ଆଲବମ୍, ଗଜଲ ଓ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ । ବଲିଉଡ ପ୍ରଚ୍ଛଦପଟ ଗାୟକ ସହିତ ଜଣେ ବିଶ୍ବ ପ୍ରସିଦ୍ଧ ଗଜଲ ଗାୟକ ଭାବେ ସେ ପ୍ରତିଷ୍ଠା ଲାଭ କରିଥିଲେ। ଏହା ସହିତ ସେ ଜଣେ ଗୀତାର ବାଦକ ଥିଲେ । ଭୂପିନ୍ଦରଙ୍କ ପୁଅ ନିହାଲ ସିଂହ ମଧ୍ୟ ଜଣେ ଗାୟକ।
Comments are closed.