ବିଚିତ୍ର ସରକାରୀ ନୀତି : ୭୬ ବର୍ଷରେ ମଧ୍ୟ ଅବସର ବୟସ ହୋଇନି

ଭୁବନେଶ୍ବର  : ରାଜ୍ୟ ସରକାରଙ୍କ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଜଣେ କର୍ମଚାରୀ ଅତି ବେଶିରେ ୬୦ବର୍ଷରେ ଅବସର ଗ୍ରହଣ କରିବେ। ଯଦି ସମ୍ପୃକ୍ତ ଚାକିରିଆଙ୍କ ଭଲ ପ୍ରଦର୍ଶନ ଥିବ ତେବେ ସରକାର ଚାହିଁଲେ ତାଙ୍କର କାର୍ଯ୍ୟକାଳ ପର୍ଯ୍ୟାୟକ୍ରମେ ୫ବର୍ଷ ପର୍ଯ୍ୟନ୍ତ ବଢ଼ାଇ ପାରିବେ; ନଚେତ୍ ଦୁର୍ନୀତି ଅଭିଯୋଗ ଥିଲେ ବାଧ୍ୟତାମୂଳକ ଅବସର ଦେଇ ପାରି​ବେ‌। ହେଲେ ଏସବୁ ନିୟମ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାଟୁ କରୁନାହିଁ। ଖୋଦ୍ ସାଧାରଣ ପ୍ରଶାସନ ଓ ସାଧାରଣ ଉଦ୍ୟୋଗ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏମିତି କି ଜଣେ ଲେଖାଏଁ କର୍ମଚାରୀ ୧୮ବର୍ଷ ତଳୁ ଅବସର ଗ୍ରହଣ କରିଥିଲେ ହେଁ ଏ ପର୍ଯ୍ୟନ୍ତ ପରାମର୍ଶଦାତା ଓ ସମୀକ୍ଷକ ଆଳରେ କାର୍ଯ୍ୟଭାର ତୁଲାଉଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ରାଜ୍ୟରେ ବେକାରୀ ସମସ୍ୟା ଦୂରୀକରଣ କରିବା ଲାଗି ସରକାର ବିଭିନ୍ନ ଶିଳ୍ପସଂସ୍ଥାକୁ ନିବେଶ ପାଇଁ ନିମନ୍ତ୍ରଣ କରୁଥିବାବେଳେ ଏହି ପରମ୍ପରା ମାନବିକ ଅଧିକାର ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସାଧାରଣ ଉଦ୍ୟୋଗ ବିଭାଗର ରବୀନ୍ଦ୍ରନାଥ ବଳ ନାମକ ଜଣେ କର୍ମଚାରୀଙ୍କ ବୟସ ୭୬ବର୍ଷ ଛୁଇଁଲାଣି। ହେଲେ ଏବେ ବି ବିଭାଗରେ ସେ ସମୀକ୍ଷକ କାର୍ଯ୍ୟ ତୁଲାଉଛନ୍ତି। ବିଭାଗର ନିଯୁକ୍ତି କାଗଜ କହୁଛି ଯେ ତାଙ୍କର ଅବସର ବୟସ ସୀମା ଉଲ୍ଲେଖ ନାହିଁ। ସବୁଠାରୁ ବଡ଼କଥା ହେଲା ବିଭାଗରେ ପରାମର୍ଶ ଦେବା ପାଇଁ ପୂର୍ବରୁ ନିଯୁକ୍ତ ହୋଇଥିବା ପ୍ରଭାତ କୁମାର ଲେଙ୍କା ଓ ତାଙ୍କ ୬ଜଣିଆ କର୍ମଚାରୀ ଟିମ ବାବଦକୁ ଗତ ୭ବର୍ଷରେ ୭କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ସରକାରୀ ଉଦ୍ୟୋଗ କିଭଳି ଲାଭବାନ ହେବ ତାହା ଥିଲା ପରାମର୍ଶଦାତାଙ୍କ ମୂଳ ଲକ୍ଷ୍ୟ। ହେଲେ ଗ୍ରିଡକୋ ଲିଃ. ସହିତ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଲିଃ, ଇଡ଼କଲ କଳିଙ୍ଗ ଆଇରନ ଲିଃ. ଇଡ଼କଲ କ୍ରୋମୋ ଆଣ୍ଡ ଆଲଏଜ ଲିଃ. ଓଡ଼ିଶା ରାଜ୍ୟ ଅର୍ଥ ନିଗମ ଏବଂ ମତ୍ସ୍ୟଚାଷ ଉନ୍ନୟନ ନିଗମ ପ୍ରଭୃତି ୭ଟି ସଂସ୍ଥା ଏବେ କ୍ଷତିରେ ଚାଲୁଛି। ମାତ୍ର ଶ୍ରୀ ଲେଙ୍କା ଓ ତାଙ୍କ ଟିମ୍ ଗୋଟିଏ ବି ପରାମର୍ଶ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଇ ନାହାନ୍ତି ବୋଲି ବିଭାଗୀୟ ସମୀକ୍ଷାରୁ ଜଣାଯାଇଥିଲା।

Comments are closed.