ନୀତି ଶିକ୍ଷା ନିଶ୍ଚୟ ପଢନ୍ତୁ – କାଲି ନୁହେଁ ଆଜି
ଆଗାମୀ କାଲି କାମ ଆଜି ଓ ଆଜିର କାମ ଏଇ ମୁହୂର୍ତ୍ତରେ କରିବା ଉଚିତ। ବିେଶଷ ଅସୁବିଧା ନଥିଲେ ଆଜିର କାମ କେବେ ବି କାଲିକୁ ରଖିବା ଉଚିତ ନୁହେଁ,କାଳ ଉପରେ କ’ଣ ବା ଭରସା? କିଏ ଜାଣେ ‘ଆଗାମୀ କାଲି’ ହୁଏତ କାହାରି କାହାରି ଜୀବନରେ ଆଉ ଆସି ନପାରେ। ଏହାର ଯଥାର୍ଥତା ପ୍ରତିପାଦନ ପାଇଁ ମହାଭାରତର ନିମ୍ନୋକ୍ତ ପ୍ରସଙ୍ଗ।ମହାଭାରତ ଯୁଦ୍ଧ ସରିଯାଇଥାଏ। ମହାରାଜ ଯୁଧିଷ୍ଠିର ହସ୍ତିନାପୁର ରାଜା ଭାବରେ ରାଜ୍ୟଶାସନ କରୁଥାନ୍ତି। ଚାରି କନିଷ୍ଠ ଭ୍ରାତା ସର୍ବଦା ତାଙ୍କର ସେବାରେ ଉପସ୍ଥିତ ଥାଆନ୍ତି। ଯୁଧିଷ୍ଠିର ପ୍ରତ୍ୟେକ ଦିନ ଦ୍ରୌପଦୀଙ୍କ ସହ ରାଜମହଲର ମୁଖ୍ୟ ଦ୍ବାରରେ ଉପସ୍ଥିତ ହୋଇ ଯାଚକମାନଙ୍କୁ ତାଙ୍କର ଇଚ୍ଛାନୁଯାୟୀ ସାମଗ୍ରୀ ଦାନ କରୁଥାନ୍ତି। ପ୍ରାତଃ କାଳରୁ ଆରମ୍ଭକରି ମଧ୍ୟାହ୍ନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥାଏ। ସେଦିନ ଧର୍ମରାଜ ନିୟମାନୁଯାୟୀ ଦାନଦେଇ ରାଜମହଲରେ ବିଶ୍ରାମ ନେବାକୁ ଯାଉଥିବା ସମୟରେ ବୃକୋଦର ସୂଚନା ଦେଇ କହିଥିଲେ- ଜଣେ ଯାଚକ ଦ୍ବାରରେ ଉପସ୍ଥିତ ଅଛନ୍ତି। ଆପଣଙ୍କୁ ସାକ୍ଷାତକରି କିଛି କାମନା ପୂର୍ତ୍ତି ଆଶାରେ ଆସିଛନ୍ତି। ବହୁ ଦୂରରୁ ଆସିଥିବା ହେତୁ ବିଳମ୍ବ ହୋଇଗଲା ବୋଲି କହୁଛନ୍ତି।
ଯୁଧିଷ୍ଠିର ବୃକୋଦରଙ୍କୁ କହିଥିଲେ- ‘ଯାଅ, ଯାଚକଙ୍କୁ କାଲି ପୂର୍ବାହ୍ଣ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହ। କାଲି ତାଙ୍କ ସହ ଭେଟ ହେବ।’ ଯୁଧଷ୍ଠିରଙ୍କଠାରୁ ଏହା ଶୁଣି ବୃକୋଦର ରାଜମହଲର ମୁଖ୍ୟଦ୍ବାର ନିକଟକୁ ଆସି ଉଚ୍ଚ ସ୍ବରରେ ବାରମ୍ବାର କହିଥିଲେ ‘ଆମର ମହାରାଜା କାଲି ପର୍ଯ୍ୟନ୍ତ ‘ଧର୍ମରାଜ’ ଥିଲେ, ହେଲେ ଆଜି ‘ଯମରାଜ’ ହୋଇଯାଇଛନ୍ତି।
ଚିତ୍କାର ଶୁଣି ଯୁଧିଷ୍ଠିର ଭୀମଙ୍କ ନିକଟକୁ ଆସି ପଚାରିଥିଲେ ସେ ଯାହା କହୁଛନ୍ତି ତା’ର ଅର୍ଥ କ’ଣ? ବିନମ୍ରତାପୂର୍ବକ ବୃକୋଦର କହିଥିଲେ- ‘ମହାରାଜ ! ଆଜି ସାହାଯ୍ୟ ଆଶାରେ ଆସିଥିବା ଯାଚକଙ୍କୁ ଆପଣ ନିର୍ଦୟ ଭାବେ ଫେରାଇ ଦେଇ କହିଲେ ଆଗାମୀ କାଲି ଭେଟ ହେବବୋଲି। ଆସୁଥିବା ଆଗାମୀ କାଲି ଉପରେ (କାଳ ଉପରେ) ଆପଣଙ୍କର ଏଭଳି ଅଦ୍ଭୁତ ଭରସା ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ମନକୁ ଆସୁଛି ଆପଣ କାଳଜୟୀ ବୋଲି ଆପଣଙ୍କର ଦୃଢ଼ ବିଶ୍ବାସ ଅଛି କାଲି ଆପଣ ନିଶ୍ଚିତ ଜୀବିତ ଥିବେ ଯାଚକଙ୍କ ଇଚ୍ଛା ପୂରଣ ନିମନ୍ତେ। ମୁଁ ତ ଶୁଣିଛି ଜୀବନ ଉପରେ କାହାର ମୁହୂର୍ତ୍ତେ ବି ଭରସା ନାହିଁ, କାଲି କଥା ଆପଣ କିପରି କହିପାରିଲେ?’
ଯୁଧିଷ୍ଠିର ତତ୍କ୍ଷଣାତ୍ ଆପଣା ଭୁଲ୍ ବୁଝି ପାରିଥିଲେ। ବିଳମ୍ବରେ ପହଞ୍ଚିଥିବା ଯାଚକଙ୍କ ନିକଟକୁ ଯାଇ ତାଙ୍କୁ ଉପଯୁକ୍ତ ଦାନ ଦେଇ ବିଦା କରିଥିଲେ। ଯୁଧିଷ୍ଠିର ସ୍ବୀକାର କରିଥିଲେ ଯେ ଆପଣାର ଆଜିର କାର୍ଯ୍ୟ କାଳକ୍ଷେପଣ ନୀତିରେ କାଲିକୁ ନେବା ଠିକ୍ ନୁହେଁ। ହୋଇପାରେ କାଲି ଆଦୌ ଆସି ନପାରେ। କାଳ ଉପରେ କେବେ ବି ଭରସା କରିବା ଠିକ୍ ନୁହେଁ।
Comments are closed.