www.samajalive.in
Sunday, December 14, 2025
23.1 C
Bhubaneswar

ଦିନ ୧ଟାରେ ନିର୍ଭୟା ରାୟ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହଙ୍କ ପୁନର୍ବିଚାର ପିଟିଶନ ଉପରେ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ଶେଷ ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ବୁଧବାର ଅପରାହ୍ନ ୧ଟାରେ ଏହାର ରାୟ ପ୍ରକାଶ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଉଭୟ ପକ୍ଷର ଓକିଲଙ୍କୁ ୩୦ ମିନିଟ୍‌ ଲେଖାଏ ସମୟ ଦେଇଥିଲେ। ଅକ୍ଷୟଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏ.ପି. ସିଂହ ଅକ୍ଷୟଙ୍କୁ ମୃତ୍ୟୁ ଦଣ୍ଡ ନ ଦେବାକୁ ଅନୁରୋଧ କରି କେତେକ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କ ମହକିଲଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି କହିବା ସହିତ ନିର୍ଭୟା ମୃତ୍ୟୁ ପୂର୍ବରୁ ଅକ୍ଷୟଙ୍କ ନାମ ନେଇ ନ ଥିଲେ ବୋଲି କହିଥିଲେ। ସେହିପରି ସିଂହ ଯୁକ୍ତି ବାଢ଼ିଥିଲେ ଯେ, ଅନ୍ୟତନ ଅଭିଯୁକ୍ତ ରାମ ସିଂହଙ୍କୁ ଜେଲରେ ହତ୍ୟା କରାଯାଇଛି ଏବଂ ସେ ଆତ୍ମହତ୍ୟା କରି ନ ଥିଲା। ଏଥିପାଇଁ ସେ ପୁଲିସକୁ ଦାୟୀ କରିଥିଲେ। ଅନ୍ୟପଟେ ପୀଡ଼ିତାଙ୍କ ପକ୍ଷରୁ ଲଢୁଥିବା ଓକିଲ ଦୋଷୀ ଅକ୍ଷୟର ପୁନର୍ବିଚାର ପିଟିଶନକୁ ଖାରଜ କରିବା ସହିତ ଫାଶୀ ଦଣ୍ଡାଦେଶ ବଳବତ୍ତର ରଖିବା ଲାଗି ଯୁକ୍ତି ବାଢ଼ିଥିଲେ। ଉଭୟ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଅପରାହ୍ନ ୧ଟାରେ ରାୟ ଶୁଣାଇବେ ବୋଲି କହିଥିଲେ।

- Advertisement -

ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ୬ ଜଣ ବ୍ୟକ୍ତି ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରିଥିଲେ। ଏହି ସମୟରେ ନିର୍ଭୟାଙ୍କ ଜଣେ ସାଥି ମଧ୍ୟ ଉକ୍ତ ବସରେ ଥିଲେ। ୬ ଅଭିଯୁକ୍ତ ନିର୍ଭୟା ଓ ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିବା ସହ ନିର୍ଭୟାଙ୍କ ସହ ଗଣବଳାତ୍କାର କରିଥିଲେ। ତାଙ୍କ ବନ୍ଧୁଙ୍କୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ଚଳନ୍ତା ବସରୁ ତଳକୁ ଫିଙ୍ଗି ଦେଇଥିଲେ। ଡିସେମ୍ବର ୧୮ରେ ଦିଲ୍ଲୀ ପୁଲିସ ଏହି ମାମଲାରେ ରାମ ସିଂହ, ମୁକେଶ, ବିନୟ ଶର୍ମା ଓ ବିନୟ ଗୁପ୍ତାକୁ ଗିରଫ କରିଥିଲା। ଡିସେମ୍ବର ୨୧ରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକ ଓ ୬ଷ୍ଠ ଅଭିଯୁକ୍ତ ଅକ୍ଷୟ ସିଂହକୁ ବିହାରରୁ ଗିରଫ କରିଥିଲା। ଡିସେମ୍ବର ୨୯ରେ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ନିର୍ଭୟାଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ସିଙ୍ଗାପୁର ସ୍ଥାନାନ୍ତର କରାଯାଇ ଥିଲା। ହେଲେ ସେଠାରେ ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୨୦୧୩ ମାର୍ଚ୍ଚ ୧୧ରେ ତିହାର ଜେଲରେ ଜଣେ ଅଭିଯୁକ୍ତ ରାମ ସିଂହ ଆତ୍ମହତ୍ୟା କରିଥିଲା। ନାବାଳକ ଅଭିଯୁକ୍ତଙ୍କୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଥିଲା। ୨୦୧୩ ସେପ୍ଟେମ୍ବର ୧୩ରେ ଅନ୍ୟ ୪ ଦୋଷୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଥିବା ୩ ଦୋଷୀ ମୁକେଶ, ପୱନ ଗୁପ୍ତା ଓ ବିନୟ ଶର୍ମାଙ୍କ ପୁନର୍ବିଚାର ପିଟିଶନ୍‍କୁ ଗତ ଜୁଲାଇ ୯ରେ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହାପରେ ଦୋଷୀ ଅକ୍ଷୟ କୁମାର ସିଂହର ଓକିଲ ଅକ୍ଷୟ ପାଇଁ ପୁନର୍ବିଚାର ଆବେଦନ ଦାଖଲ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories