ବିଜେଡି-ବିଜେପି ସମ୍ପର୍କ ଅତୁଟ: ନିରଞ୍ଜନ

0

ଭୁବନେଶ୍ୱର:କେନ୍ଦ୍ରରେ ଏନ୍‍ଡିଏ ଶାସନର ୪ବର୍ଷ ଭିତରେ ଦେଶବାସୀ ଅତିଷ୍ଠ ହୋଇପଡିଲେଣି। ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ହେଲେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡ଼ି ଅନାସ୍ଥା ପ୍ରସ୍ତାବବେଳେ ପଳାୟନ ପନ୍ଥୀ ହେବା ପୁଣି ଥରେ ବିଜେଡ଼ି-ବିଜେପିର ଅତୁଟ ସମ୍ପର୍କକୁ ଦର୍ଶାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ ବିଜେଡି ଓ ବିଜେପି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ୯ ବର୍ଷ ଭାଗୁଆଳି ଶାସନ କରିଥିଲେ। ସେମାନଙ୍କ ସମ୍ପର୍କ ଅତି ମଧୁର। ଲୋକ ଦେଖାଣିଆ ଭାବେ ସେମାନେ ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଛନ୍ତି। କିନ୍ତୁ କେନ୍ଦ୍ରରୁ ଆସୁଥିବା ନେତୃବୃନ୍ଦ ଓ ସଚିବମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ରାଜ୍ୟରେ ଚିଟ୍ଫଣ୍ଡ ଦୁର୍ନୀତିରେ ଲକ୍ଷଲକ୍ଷ ଦରିଦ୍ର ପରିବାର ପ୍ରଭାବିତ ହୋଇଛନ୍ତି। କିନ୍ତୁ ଏହାର ତଦନ୍ତ କେଉଁ ଦିଗରେ ଯାଉଛି ତାହା ସାଧାରଣ ଲୋକ ଜାଣିପାରୁନାହାନ୍ତି। ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ରାମଚନ୍ଦ୍ର ହାଁସଦା, ପ୍ରଶାନ୍ତ ଦାଶ, ଏଟି ଗ୍ରୁପ୍ର ସେଠୀଙ୍କୁ ଗିରଫ କରି ସିବିଆଇ ବଡମାନଙ୍କୁ ଛାଡିଦେଇଛି। ହଜାର ହଜାର କୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତିରେ ଯେଉଁ ବଡମୁଣ୍ଡମାନେ ସଂପୃକ୍ତ ସେମାନଙ୍କୁ ଧରିବା ଦିଗରେ ସିବିଆଇ କାହିଁକି ଆଗ୍ରହ ପ୍ରକାଶ କରୁନାହିଁ ?
ରାଜ୍ୟର କଳାହାଣ୍ଡିଠାରୁ ନେଇ ନଗଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅପପୁଷ୍ଟିର ଶିକାର ହୋଇ ଅଥବା ଉପଯୁକ୍ତ ସ୍ୱାସ୍ଥ୍ୟସେବା ନପାଇ ଶିଶୁ ମରୁଛନ୍ତି। ଗତ ୧୮ ବର୍ଷର ବିଜେଡି ଶାସନ ମଧ୍ୟରେ ରାଜ୍ୟରେ ଏକାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ବିଭିନ୍ନ କୃଷିଜାତ ଜିନିଷର ଅଭାବୀ ବିକ୍ରି ବଢିଛି। ତଥାପି କେନ୍ଦ୍ର ସରକାର ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କରୁଛନ୍ତି। ସରକାରୀ ସ୍କୁଲଗୁଡିକ ନାନା ସମସ୍ୟା ଦେଇ ଗତିକରୁଛି। ରାସ୍ତାଘାଟ, ପାନୀୟଜଳ, ପରିମଳ ଆଦି କ୍ଷେତ୍ରରେ ମଧ୍ୟ ସରକାର ଶୋଚନୀୟ ଭାବେ ବିଫଳ ହୋଇଛନ୍ତି। ତାହାର ଉଦାହରଣ ଭୁବନେଶ୍ୱର ସ୍ମାର୍ଟ ସିଟି। ଦିନଟିଏ ଲଗାଣ ବର୍ଷା ହେଲେ ଏହି ସହରରେ ଡଙ୍ଗା ଚାଲିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ରାଜ୍ୟରେ ସରକାରୀ ଅଥବା ବେସରକାରୀସ୍ତରରେ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିନାହିଁ। ବରଂ ରାଜ୍ୟର ଶିଳ୍ପ କାରଖାନାରେ ଅନ୍ୟ ରାଜ୍ୟର ଲୋକମାନେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଉଛନ୍ତି। ରାଜ୍ୟର ଅନୁସୂଚିତ ଜାତି ଓ ଆଦିବାସୀମାନେ ସବୁକ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ଦୁଇ ଦଳ ବିଜେଡି ଓ ବିଜେପି କେବଳ ଲୋକଦେଖାଣିଆ ଭାବେ ପରସ୍ପରକୁ ଦୋଷ ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଅଛନ୍ତି। ରାଜ୍ୟର ସଚେତନ ଭୋଟର ଏହାର ଠିକଣା ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

 

 

Leave A Reply