ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସି ଅଧୀନ ମିରିଗିଣିସ୍ଥିତ ଖାଣ୍ଡିଆହୁଡ଼ି ଅଞ୍ଚଳରୁ ଆଜି ଏକ ୧୩ଫୁଟ ଲମ୍ବର ଅଜଗର ସାପ ଶିଆଳଙ୍କ ସହ ଲଢ଼ି ଜୀବନ ବଞ୍ଚାଇଛି । ଏହି ସାପଟି ଖାଦ୍ୟ ଅନ୍ୱେଷଣରେ ପାହାଡ଼ରୁ ଜନବସତିକୁ ଖସି ପଳାଇ ଆସିଥିଲା । ଏତିକି ବେଳେ କେତେକ ଶିଆଳ ସାପକୁ ଦେଖି ଲମ୍ଫ ମାରିଥିଲେ । ଅଜଗରଟି ସେମାନଙ୍କ ସହ ଦୀର୍ଘ ସମୟ ଧରି ଲଢ଼ିଥିଲା ।
ଏପରିକି ଶିଆଳଙ୍କୁ ଭୟଭୀତ କରାଇବାକୁ ଉଦ୍ୟମ ଜାରି ରଖିଥିଲା । କିନ୍ତୁ ଶିଆଳମାନେ ଝାମ୍ପ ମାରି ତାକୁ କ୍ଷତାକ୍ତ କରି ଦେଇଥିଲେ । ସ୍ଥାନୀୟ ବସ୍ତିବାସିନ୍ଦା ସେଠାରେ ପହଞ୍ଚି ଶିଳାଳମାନଙ୍କୁ ଘଉଡ଼ାଇବା ଯୋଗୁ ସାପର ଜୀବନ ବଞ୍ଚି ଯାଇଥିଲା । ଖବରପାଇ ସାପଧରାଳି କାର୍ତ୍ତିକ ସେଠୀ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ବନବିଭାଗକୁ ଅବଗତ କରିଥିଲେ । ପରେ ତାକୁ କୁଲଡିହା ଜଙ୍ଗଲରେ ଛାଡ଼ି ଦିଆଯାଇଛି ।



