BJD Bijuli 480×75 Mob

ଓଡ଼ିଶାରେ ଜଳବାୟୁ ଅନୁକୂଳ କୃଷି ପାଇଁ ବିଶ୍ୱ ବ୍ୟାଙ୍କର ସହାୟତା

BJD Bijuli 480×75 Mob

-ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଋଣ ଚୁକ୍ତି
-୧୫ଟି ଜିଲ୍ଲାର ୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ହେବେ ଲାଭାନ୍ୱିତ
-୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ

ନୂଆଦିଲ୍ଲୀ : ରାଜ୍ୟର ମରୁଡ଼ି ପ୍ରବଣ ତଥା ବର୍ଷା ଜଳ ଉପରେ ନିର୍ଭରଶୀଳ ଗ୍ରାମାଞ୍ଚଚଳରେ ‘ଜଳବାୟୁ ଅନୁକୂଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ’ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ରାଜ୍ୟର ୧୫ଟି ଜିଲ୍ଲାର ପାଖାପାଖି ୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ପରିବାର ଲାଭାନ୍ୱିତ ହୋଇପାରିବେ ଏବଂ ୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କୃଷି କାର୍ଯ୍ୟ ହୋଇପାରିବ। ଏ ନେଇ ଗୁରୁବାର  ଭାରତ ସରକାର, ଓଡ଼ିଶା ସରକାର ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟରେ ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଏକ ଋଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପ ଜରିଆରେ କ୍ଷୁଦ୍ର ଚାଷୀଙ୍କୁ ପାଣିପାଗ କୁପ୍ରଭାବରୁ ସୁରକ୍ଷିତ ରହୁଥିବା କିସମର ବିହନ ଏବଂ ଉତ୍ପାଦନ ପ୍ରଯୁକ୍ତି ସମେତ ଉତ୍ତମ ଜଳ ପରିଚାଳନା ଏବଂ ଜଳସେଚନ ସେବା ଯୋଗାଇ ଦିଆଯିବ। ଉତ୍ପାଦନର
ବିପଣନ ପାଇଁ ଅଧିକ ବିବିଧ ତଥା ଉନ୍ନତ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ। ଫଳରେ ସେମାନେ ନିଜ ଫସଲକୁ ସୁରକ୍ଷିତ ରଖିବା ସହିତ ନିଜର ଆୟ ବୃଦ୍ଧି କରିପାରିବେ।
ଏହି ଅବସରରେ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସମୀର କୁମାର ଖାରେ କହିଥିଲେ ଯେ ଭାରତ ସରକାର ଜଳବାୟୁ ପରିବର୍ତନ ଉପରେ ଆଧାରିତ ଜାତୀୟ କାର୍ଯ୍ୟ ଯୋଜନା ଅନ୍ତର୍ଗତ ବିଭିନ୍ନ ଅଭିଯାନକୁ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ଜଳବାୟୁ ଅନୁକୂଳ ଚାଷ ପ୍ରଣାଳୀ ଏବଂ ପ୍ରଯୁକ୍ତିକୁ ବ୍ୟାପକ ଭାବେ ଲାଗୁ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ୨୦୩୦ ସୁଦ୍ଧା କୃଷି ସଂକ୍ରାନ୍ତ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଲାଗି ଆମେ ପ୍ରତିବଦ୍ଧ। ଏଥିପାଇଁ ଭାରତ ସରକାରଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଅନେକ ଯୋଜନା ମଧ୍ୟରୁ ଓଡ଼ିଶାର ଏହି ଯୋଜନା ଅନ୍ୟତମ।
ଏହି ଋଣ ଚୁକ୍ତିରେ ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସମୀର କୁମାର ଖାରେ, ଓଡ଼ିଶା ସରକାରଙ୍କ ପକ୍ଷରୁ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ବନ୍ଦନା ପ୍ରେୟାଶୀ, ଭାରତ ସରକାରଙ୍କର ଅର୍ଥନୈତିକ ବ୍ୟାପାରର ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର, ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତରେ ଅବସ୍ଥାପିତ ରାଷ୍ଟ୍ର ନିର୍ଦ୍ଦେଶକ ମିଃ. ଜୁନୈଦ ଅହମ୍ମଦ ସ୍ୱାକ୍ଷର କରିଥିଲେ।

Image credit : frontpage.lk

ଗତ କିଛି ବର୍ଷ ଧରି ପାଣିପାଗରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ଓଡ଼ିଶାରେ କୃଷି କ୍ଷେତ୍ର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟରେ ମୁଖ୍ୟତଃ ଦୁଇ ହେକ୍ଟରରୁ କମ ଚାଷ ଜମି ଥିବା ଚାଷୀମାନେ କୃଷି କାର୍ଯ୍ୟ କରିଥାନ୍ତି। ଦିନକୁ ଦିନ ଅଧିକରୁ ଅଧିକ କୃଷି କ୍ଷେତ୍ର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ପୂର୍ବରୁ ପ୍ରତି ୫ ବର୍ଷରେ ଥରେ ମରୁଡ଼ି ଦେଖାଦେଉଥିବା ବେଳେ ୨୦୦୯ ପରଠାରୁ ଏହା ହାରାହାରି ପ୍ରତି ୨ ବର୍ଷରେ ଥରେ ଦେଖାଦେଉଛି। ୧୯୭୦ରେ ରାଜ୍ୟର ୪୦ ପ୍ରତିଶତ କୃଷି କ୍ଷେତ୍ର ମରୁଡ଼ି ପ୍ରବଣ ଥିବା ବେଳେ ବର୍ତମାନ ୭୦ ପ୍ରତିଶତ କୃଷି କ୍ଷେତ୍ର ପ୍ରତି ମରୁଡ଼ି ବିପଦ ରହିଛି। ଏପରିକି
୨୦୧୩ ପରଠାରୁ ପାରମ୍ପରିକ କ୍ଷେତ୍ରକୁ ବାଦ ଦେଲେ ଅନ୍ୟ ଅଂଚଳ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଛି। ଶୁଷ୍କ କ୍ଷେତ୍ର ଆହୁରି ଶୁଷ୍କ ହୋଇ ଚାଲିଥିବା ବେଳେ ଆଦ୍ର କ୍ଷେତ୍ର ଆହୁରି ଆଦ୍ର ହେଉଛି। ଓଡ଼ିଶାରେ ଗ୍ରୀନହାଉସ ଗ୍ୟାସ ନିର୍ଗମନର ପ୍ରମୁଖ ଉତ୍ସ ହେଉଛି କୃଷି କ୍ଷେତ୍ର। ରାଜ୍ୟର ପାଖାପାଖି ୨୫ ପ୍ରତିଶତ ଗ୍ରୀନହାଉସ ଗ୍ୟାସ କୃଷି କ୍ଷେତ୍ରରୁ ହିଁ ନିର୍ଗମନ ହୋଇଥାଏ। ‘ସାରା ରାଜ୍ୟରେ କ୍ଷୁଦ୍ର ଚାଷୀମାନେ ଜଳବାୟୁ ପରିବର୍ତନର କୁଫଳ ଭୋଗୁଛନ୍ତି। ଅସ୍ଥିର ଏବଂ ଚରମ ପାଣିପାଗ ଚାଷୀଙ୍କ ଉତ୍ପାଦନ ଏବଂ ଆୟ ହ୍ରାସ କରିବାରେ ଲାଗିଛି’  ବୋଲି ବିଶ୍ୱ ବ୍ୟାଙ୍କ ରାଷ୍ଟ୍ର ନିର୍ଦ୍ଦେଶକ ଜୁନୈଦ ଅହମ୍ମଦ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ପ୍ରକଳ୍ପ ରାଜ୍ୟର କୃଷି କ୍ଷେତ୍ର ପାଇଁ ବ୍ୟାପକ ପରିବର୍ତନ ଆଣିପାରିବ। ଏହା ଅଧିକ ଜଳବାୟୁ ଅନୁକୂଳ ଫସଲ ଉତ୍ପାଦନ ପ୍ରଣାଳୀ ବିକଶିତ କରିବ, ଖାଦ୍ୟ ସୁରକ୍ଷାକୁ ବୃଦ୍ଧି କରିବ, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବ ତଥା ଏହି କ୍ଷେତ୍ରରେ ଗ୍ରୀନ ହାଉସ
ଗ୍ୟାସର ପ୍ରଭାବକୁ ହ୍ରାସ କରିବ ବୋଲି ସେ କହିଥିଲେ।
ଏହି ପ୍ରକଳ୍ପ ଜରିଆରେ ୫୩୨ଟି ଜଳ ଭଣ୍ଡାରର ପୁନରୁଦ୍ଧାର କରାଯିବ ଯାହାଦ୍ୱାରା ୯୧,୪୩୫ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ଏହାଦ୍ୱାରା ମଧ୍ୟ ଚାଷ ଜମିରେ ଉତ୍ପାଦକତା ବୃଦ୍ଧିକୁ ପ୍ରୋତ୍ସାହନ ଏବଂ ଚାଷୀଙ୍କୁ ଖାଦ୍ୟ ଶସ୍ୟ, ବିଶେଷ କରି ଧାନ ଓ ଗହମ ଉପରେ ଅଧିକ ନିର୍ଭରଶୀଳତା ହ୍ରାସ ଦିଗରେ ସହାୟତା କରାଯିବ। ଉଚ୍ଚମୂଲ୍ୟର ଅଧିକ ପୋଷକ ଉତ୍ପାଦ ଯଥା ଫଳ ଓ ପରିବା ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରାଯିବ। ଚାଷୀଙ୍କୁ ବିପଣନ ସହାୟତା ଯୋଗାଇ ଦିଆଯିବ ଯଦ୍ଦ୍ୱାରା ସେମାନେ ଅଧିକ ଲାଭ
ପାଇପାରିବେ।
ପୁନରୁଦ୍ଧାର ହୋଇଥିବା ଜଳଭଣ୍ଡାରରେ ଜଳୀୟ କୃଷି ପାଇଁ ଏହି ପ୍ରକଳ୍ପ ଜରିଆରେ ସହାୟତା ଦିଆଯିବ। କୃଷକମାନଙ୍କୁ ସୁଲଭ ଏବଂ ଉନ୍ନତମାନର ଯାଆଁଳ ଯୋଗାଇ ଦିଆଯିବ। ଏହାଛଡ଼ା ସେମାନଙ୍କୁ ଜଳୀୟ କୃଷି ଏବଂ ଅଣ କୃଷି ଋତୁରେ ଆୟ ପାଇଁ ସହାୟତା ଉପଲବ୍ଧ କରାଯିବ। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକଳ୍ପର ନେତୃତ୍ୱ ନେଉଥିବା ବରିଷ୍ଠ କୃଷି ବିଶେଷଜ୍ଞ ରଞ୍ଜନ ସାମନ୍ତରାୟ କହିଛନ୍ତି ଯେ ଜଳଭଣ୍ଡାରର ପୁନରୁଦ୍ଧାର ଦ୍ୱାରା ରାଜ୍ୟରେ କୃଷି ଅଧିକ ଉତ୍ପାଦନକ୍ଷମ ଏବଂ ଜଳବାୟୁ ଅନୁକୂଳ ହୋଇପାରିବ। ଏହି ପ୍ରକଳ୍ପ ଜରିଆରେ ଜଳବାୟୁ ଅନୁକୂଳ କୃଷି ପାଇଁ ସହାୟତା ଯୋଗାଇ ଦିଆଯିବା ସହିତ ସୁନିଶ୍ଚିତ ଜଳସେଚନ କ୍ଷେତ୍ରକୁ ଅଧିକ ଚାଷ ଜମି ଆସିପାରିବ। ଏହା ଜଳ ଉପଯୋଗ ଦକ୍ଷତା ମଧ୍ୟ ବୃଦ୍ଧି କରିବ ବୋଲି ସେ କହିଥିଲେ।
ଏହି ୧୬ କୋଟି ୫୦ ଲକ୍ଷ ଡଲାର ଋଣ ଅନ୍ତର୍ଜାତୀୟ ପୁନଃନିର୍ମାଣ ଏବଂ ବିକାଶ ବ୍ୟାଙ୍କ (ଆଇବିଆରଡି) ଠାରୁ ନିଆଯାଇଛି। ଏହାର ମୋଟ ଅବଧି ୨୪ ବର୍ଷ ହୋଇଥିବା ବେଳେ ୬ ବର୍ଷର ମହଲତ ଅବଧି ରହିଛି।

Comments are closed.