ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟକ୍ରମ, ପ୍ରସ୍ତାବ ପତ୍ରରେ ଦସ୍ତଖତ କଲେ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକ

ସମ୍ବଲପୁର: ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ସର୍ବୋଚ୍ଚ ତଥା ପ୍ରଥମ ନାଗରିକ ପଦବୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ସହିତ ଉଭୟ ଶାସକ ଓ ବିରୋଧୀ ଦଳଗୁଡିକ ପକ୍ଷରୁ ସେମାନଙ୍କର ପ୍ରାର୍ଥୀ ଘୋଷଣା ମଧ୍ୟ ହୋଇସାରିଛି। କେନ୍ଦ୍ର ଶାସକ ଏନଡିଏ ପକ୍ଷରୁ ଓଡ଼ିଶା ନିବାସୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁ ଶୁକ୍ରବାର ରାଜଧାନୀ ନୂଆଦିଲ୍ଲୀ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଦେଶର କୋଣ ଅଣୁକୋଣରୁ ଭାଜପା ସାଂସଦ, ବିଧାୟକ ଓ ବରିଷ୍ଠ ନେତା ମାନେ ନୁଆଦିଲ୍ଲୀ ପହଂଚି ଥିବା ବେଳେ ଓଡ଼ିଶାରୁ ମଧ୍ୟ ୧୨ ଜଣିଆ ବିଧାୟକ ଦଳ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଓଡ଼ିଶା ଭବନ ଠାରେ ଶ୍ରୀମତି ମୁର୍ମୁଙ୍କୁ ବିଧାୟକମାନେ ସାକ୍ଷାତ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏହା ପରେ ରାଷ୍ଟ୍ରପତି ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମରେ ବିଧାୟକମାନେ ଯୋଗ ଦେଇଥିବା ବେଳେ ୧୨ ଜଣ ବିଧାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଶ୍ରୀମତି ମୁର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ରୂପେ ଦସ୍ତଖତ କରିଛନ୍ତି। ଶ୍ରୀମତି ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା. ଜଗତ ପ୍ରସାଦ ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକମାନେ ଉପସ୍ଥିତ ରହିଥିଲେ।

Comments are closed.