ଭୁବନେଶ୍ୱର : ଓଲିଉଡର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା ବରିଷ୍ଠ ଅଭିନେତା ସ୍ୱରୂପ ନାୟକଙ୍କ ଶୁକ୍ରବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡିତ ହୋଇ ଚିିକିତ୍ସିତ ଥିଲେ। ବହୁ ଓଡିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସହ ଅନେକ ଚଳଚ୍ଚିତ୍ରରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ସେ ଏକାଧାରରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଅଭିନେତା ଥିଲେ। ୮୦ ଦଶକରେ ବହୁ ଫିଲ୍ମରେ ସଫଳ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ୧୯୪୭ ଫ୍ରେବୁଆରୀ ୮ ତାରିଖରେ ସ୍ୱରୂପ ନାୟକ ଜନ୍ମ ଗ୍ରହଣ କରିଥିଲେ। ୪୧ଟି ଓଡିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ୩୦ଟି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି। ୬ଟି ଫିଲ୍ମରେ ପ୍ରଚ୍ଛପଟ୍ଟ ଗାୟକ ଭାବେ ଗୀତ ଗାଇଛନ୍ତି। ୬ଟି ଫିଲ୍ମରେ ଅଭିନୟର ଯାଦୁ ମଧ୍ୟ ଦେଖାଇଛନ୍ତି। ୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୧୯୬୨ରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକ ତାଙ୍କର ଭାଇ ଏବଂ ପାର୍ବତୀ ଘୋଷ ତାଙ୍କର ଭଉଣୀ। ସ୍ୱୟଂସିଦ୍ଧା, କଥାନ୍ତର ଫିଲ୍ମରେ ସ୍ୱରୂପ ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ‘ମନ ରହିଗଲା ତୁମରିଠାରେ’ ଓ ‘କଥାନ୍ତର’ ପାଇଁ ସେ ପୁରସ୍କାର ପାଇଥିଲେ। ସେହିପରି ୨୦୦୬ରେ ବାଇସ୍କୋପ ପୁରସ୍କାର ମଧ୍ୟ ପାଇଛନ୍ତି। ‘ପୁଅ ମୋର ଭୋଳାଶଙ୍କର’, ‘ଆଇ ଲଭ୍ ୟୁ’, ‘ଶାଶୁ ଘର ଚାଲିଯିବି’, ‘ଉଦଣ୍ଡୀ ସୀତା’ର ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ।
ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ
Popular Categories



