ଲଖନଉ : ଉତ୍ତରପ୍ରଦେଶର ଅଯୋଧ୍ୟା ଧାମରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ୨୨ ଜାନୁଆରୀରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସାରା ଦେଶରେ ଉଲ୍ଲାସ ଦେଖାଦେଇଛି। ସଭିଏଁ ଏହି ଦିନକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଉପହାର ନେଇ ପହଞ୍ଚୁଛନ୍ତି। ଏହା ମଧ୍ୟରେ ଗୁଜରାଟର ଭଦୋଦରାରୁ ୧୦୮ ଫୁଟ୍ ଲମ୍ବ ବିଶିଷ୍ଟ ଅଗରବତୀ ଅଯୋଧ୍ୟାକୁ ନିଆଯାଉଛି।
ଅଗରବତୀର ଶୋଭାଯାତ୍ରା ସୋମବାର ସକାଳେ ରାଜସ୍ଥାନର ଭରତପୁରରେ ପହଞ୍ଚିଛି। ଏଠାରୁ ଆଗ୍ରାର ଫତେପୁର ସିକରି ପହଞ୍ଚିଛି। ଏଠାରେ ରାମ ଭକ୍ତ ଅଗରବତୀର ଦର୍ଶନ କରି ଫୁଲମାଳା ଅର୍ପଣ କରିଛନ୍ତି। ସମଗ୍ର ଅଞ୍ଚଳରେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଛି। ଅଗରବତୀ ଶୋଭାଯାତ୍ରା ମଧ୍ୟାହ୍ନ ୧୨ଟାରେ ଫତେପୁର ସିକରୀର ସୀମାରେ ପ୍ରବେଶ କରିଥିଲା। ଏଠାରେ ଶ୍ରଦ୍ଧାଳୁ ଏହାକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି।
ସୂଚନା ଅନୁଯାୟୀ, ୩୬୧୦ କିଲୋ ଓଜନର ୧୦୮ ଫୁଟ୍ ଲମ୍ବ ବିଶିଷ୍ଟ ଏହି ଅଗରବତୀ ଗୁଜରାଟରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନିଆଯାଉଛି।
ଏହି ଅଗରବତୀକୁ ଗୁଜରାଟର ଭଦୋଦରାରେ ତିଆରି କରାଯାଇଛି। ଏହାକୁ ପ୍ରସ୍ତୁତ କରିବାକୁ ୬ ମାସ ସମୟ ଲାଗିଛି। ଏଥିରେ ଅନେକ ପ୍ରକାର ଜଡିବୁଟ୍ଟୀ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଛି। ଯାହା ପ୍ରାୟ ଦେଢ ମାସ ପର୍ଯ୍ୟନ୍ତ ୫୦ କିଲୋମିଟର କ୍ଷେତ୍ର ପର୍ଯ୍ୟନ୍ତ ନିଜ ବାସ୍ନାରେ ମହକାଇବ।
ଅଯୋଧ୍ୟା ଯାଉଛି ୧୦୮ ଫୁଟ୍ ଲମ୍ବ ବିଶିଷ୍ଟ ଅଗରବତୀ ; ଦେଢ ମାସ ବାସ୍ନାରେ ମହକାଇବ
Popular Categories



