ଡେସ୍କ: ବୈଷୟିକ ଜ୍ଞାନ ସୂଚନା ଯୋଗାଇ ଥାଏ କିନ୍ତୁ ଶିକ୍ଷକମାନେ ଠିକ୍ ବାଟ ଦେଖାଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଗୁଜୁରାଟର ଗାନ୍ଧିନଗରଠାରେ ଅଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ୨୯ତମ ଦ୍ୱିବାର୍ଷିକ ଶିକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ସମୟ ବଦଳିବା ସହ ଶିକ୍ଷକମାନଙ୍କ ସମ୍ମୁଖରେ ବର୍ତ୍ତମାନ ସବୁଠୁ ବାସ୍ତବ ଚ୍ୟାଲେଞ୍ଜ ହେଉଛି ପିଲାମାନଙ୍କ ମନରେ ବୃଦ୍ଧି ପାଉଥିବା ଜିଜ୍ଞାସାର ସମାଧାନ କରିବା ଓ ସେମାନଙ୍କୁ ଆବଶ୍ୟକ ଜ୍ଞାନ ପ୍ରଦାନ କରିବା।
ପ୍ରଧାନମନ୍ତ୍ରୀ କହିଛନ୍ତି, ପିତାମାତାଙ୍କ ପରେ ଶିକ୍ଷକ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯାହାଙ୍କ ପାଖରେ ପିଲାମାନେ ସବୁଠୁ ଅଧିକ ସମୟ ବିତାଇଥାନ୍ତି। ଶିକ୍ଷକମାନଙ୍କର ପିଲାମାନଙ୍କ ପ୍ରତି ଦାୟିତ୍ୱଶୀଳତା ହିଁ ଦେଶର ଭବିଷ୍ୟତକୁ ସୁଦୃଢ଼ କରିଥାଏ। ଶ୍ରୀ ମୋଦୀ ନୂଆ ଶିକ୍ଷାନୀତି ବିଷୟରେ କହିଛନ୍ତି ଯେ ଏଥିରେ ବାସ୍ତବିକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛ ଓ ମାତୃଭାଷାରେ ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦିଆଯାଇଛି। ଶିକ୍ଷାଦାନ ପେଶାର ଲୋକପ୍ରିୟତା କମୁଥିବା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିପାଇଁ ସମାଜରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରାଯିବା ଆବଶ୍ୟକ, ଯାହା ଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷକ ହେବାକୁ ମନ ବଳାଇବେ।



