ଦେଶ/ବିଦେଶ ଖବର
ନୂଆଦିଲ୍ଲୀ: କରୋନା ମହାମାରୀର ୩ୟ ତରଙ୍ଗରେ ଶିଶୁମାନେ ସଂକ୍ରମଣର ଶିକାର ହେବେ ବୋଲି ବିଶେଷଜ୍ଞମାନେ ଏବେଠୁ ଚେତାବନୀ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେରିକା ୧୨ରୁ ୧୫ ବର୍ଷର ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ଭାରତ ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛି। ଭାରତରେ ୨ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦେବା ଲାଗି କ୍ଲିନିକାଲ ପରୀକ୍ଷଣ ପାଇଁ ଭାରତ ବାୟୋଟେକ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କରୋନା ଟିକା ସମ୍ବନ୍ଧୀୟ ବସ୍ତୁ ବିଶେଷଜ୍ଞ କମିଟି (ଏସଇସି) ପକ୍ଷରୁ ଏ ନେଇ ସୁପାରିସ କରାଯାଇଥିଲା।
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର୪୨୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୩୩,୪୦,୯୩୮କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୪ ହଜାର ୨୦୫ ସଂକ୍ରମିତ ପ୍ରାଣ ହରାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୫୪,୧୯୭ରେ ପହଞ୍ଚିଛି।
ଗାଜା/ଜେରୁଜେଲମ: ପାଲେଷ୍ଟାଇନର ଆତଙ୍କି ଗୋଷ୍ଠୀ ଏବଂ ଇସଲାମୀୟ ଗୋଷ୍ଠୀ ତେଲ ଆବିବ ଏବଂ ବୀରଶେବା ଉପରେ ଏକାଧିକ ରକେଟ ମାଡ କରିବା ପରେ ଇସ୍ରାଏଲ ବୁଧବାର ପ୍ରତ୍ୟୁଷରେ ଗାଜା ଅଞ୍ଚଳରେ ଆକାଶମାର୍ଗରୁ ଜୋରଦାର ଆକ୍ରମଣ କରିଛି। ରାତିକ ମଧ୍ୟରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଶତ୍ରୁତା ଚରମ ସୀମାରେ ପହଞ୍ଚିବା ସହିତ ଉଭୟ ପକ୍ଷ ମଧ୍ୟରେ ବଡଧରଣର ଆକ୍ରମଣ-ପ୍ରତି ଆକ୍ରମଣ ହୋଇଛି, ଯାହା ୨୦୧୪ ପରେ ପ୍ରଥମ ଥର ଦେଖିବାକୁ ମିଳିଛି। ଏଥିରେ ଗାଜାରେ ଅନ୍ୟୂନ ୩୫ ଜଣ ଏବଂ ଇସ୍ରାଏଲରେ ୫ ଜଣଙ୍କର ପ୍ରାଣହାନି ଘଟିଛି।
ନୂଆଦିଲ୍ଲୀ: ଭାରତରେ ସଂପ୍ରତି କୋଭିଡ-୧୯ ଟିକାକରଣ ଯେଉଁ ହାରରେ ଚାଲିଛି ତାହା ଯଦି ଜାରି ରହେ, ତେବେ ଦେଶରେ ଗୋଷ୍ଠୀ ଶାରୀରିକ ରୋଗ ପ୍ରତିରୋଧ କ୍ଷମତା (ହର୍ଡ ଇମ୍ୟୁନିଟି) ସୃଷ୍ଟି ପାଇଁ ପାଖାପାଖି ୩.୫ ବର୍ଷ ଲାଗିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
ରାଜ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୦, ୯୮୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୩୯ ଜଣ ରହିଛନ୍ତି।
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୨୨୩୨ ଜଣ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



