ଦେବୋତ୍ତର ଖାତାକୁ ଫେରିଥିବା ଜମିରେ ନାଲି ପତାକା
ଆଠଗଡ଼: ଆଠଗଡ଼ ଦେବୋତ୍ତରର ଡାକ୍ତରଖାନା ଓ କନ୍ତୋଲ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ୮.୧୦ଏକର ଜମି ଚଞ୍ଚକତା ପୂର୍ଣ୍ଣ ଭାବେ ୧୯୭୬ମସିହାରେ ଜଣେ ବ୍ୟକ୍ତି ନିଜ ନାମରେ କରାଇ ନେଇଥିଲେ। ସେହି ଜମି ଉପଜିଲ୍ଲାପାଳଙ୍କ ଅଦାଲତର ନିର୍ଦ୍ଦେଶ ପରେ ଦେବୋତ୍ତର ବିଭାଗ ଖାତାକୁ ଫେରି ଆସିଥିବାବେଳେ ସେହି ଜମିକୁ କେହି ଯେପରି ଜବରଦଖଲ କରି ପାରିବେନି ବା ସେଥିରେ କୌଣସି ନିର୍ମାଣ କାର୍ଯ୍ୟ କରିପାରିବେନି ସେଥିପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲ ଓ ଦେବୋତ୍ତର ବିଭାଗ ପକ୍ଷରୁ ମିଳିତ ଭାବେ ଶନିବାର ଜମି ଚିହ୍ନଟ କରାଯିବା ସହ ଉକ୍ତ ଜମିର ଚତୁଃପାର୍ଶ୍ବରେ ଏକାଧିକ ନାଲିପତାକା ଲଗାଯାଇଛି। ଉକ୍ତ ୮.୧୦ଏକର ଜମିରୁ ନିଜ ନାମରେ କରାଇନେଇଥିବା ବ୍ୟକ୍ତି ପ୍ରାୟ ୨ଏକର ଜମି ବିଭିନ୍ନ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛନ୍ତି। ସେହି ୨ ଏକର ଜମି କିଣିଥିବା ଏକାଧିକ ଲୋକ ସେଠାରେ ଘର ମଧ୍ୟ କରିଦେଇଛନ୍ତି। ସେମାନଙ୍କଠାରୁ ଦେବୋତ୍ତର ଜମି କିପରି ଉଦ୍ଧାର କରାଯିବ ବା ମୂଲ୍ୟ ଆଦାୟ କରାଯିବ ସେ ସଂପର୍କରେ ପରବର୍ତ୍ତୀ ସମୟରେ ଉପଜିଲ୍ଲାପାଳଙ୍କ ଅଦାଲତ ନିଷ୍ପତ୍ତି ନେବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ନିଜିଗଡ଼ ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ ଓ ଅନ୍ୟ କର୍ମଚାରୀ ଉକ୍ତ ଜମି ମାପଚୁପ କରି ଚିହ୍ନଟ କରିବା ପରେ ସେଠାରେ ଲାଲ ପତାକା ଲଗାଇଥିଲେ।
Comments are closed.