କେନ୍ଦୁଝରଗଡ଼଼: ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସଧବା ସ୍ତ୍ରୀ ପାଳିଥାନ୍ତି ସାବିତ୍ରୀ ବ୍ରତ। ଏଥିପାଇଁ ନୂତନ ବସ୍ତ୍ର ପରିଧାନ ସହ ଫଳ ପୂଜା କରି ଦିନତମାମ୍ ଉପବାସ ରହିବାକୁ ପଡ଼ିଥାଏ ପତ୍ନୀଙ୍କୁ। ହିନ୍ଦୁଧର୍ମର ଏହି ପବିତ୍ର ପୂଜା ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବାବେଳେ କେନ୍ଦୁଝର ସହରରେ ଏବେଠାରୁ ଶାଢ଼ୀ ଓ ଫଳ ଦୋକାନରେ ନାହିଁନଥିବା ଭିଡ ଦେଖିବାକୁ ମିଳିଛି। ଚଳିତ ବର୍ଷ କେନ୍ଦୁଝର ବଜାରରେ ଆମ୍ବ ମୂଲ୍ୟ କିଲୋ ପ୍ରତି ୭୦ରୁ ୧୦୦ଟଙ୍କା ଥିବାବେଳେ ସାବିତ୍ରୀ ବ୍ରତକୁ ଆଖିଆଗରେ ରଖି ବୁଧବାର ଠାରୁ ଆମ୍ବ କି.ଗ୍ରା.ପ୍ରତି ହଠାତ୍ ୧୨୦ରୁ ୧୬୦ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି ପାଇଛି। ସାବିତ୍ରୀ ବ୍ରତକୁ ଆଖି ଆଗରେ ରଖି ଫଳ ମୂଲ୍ୟ ଆହୁରି ବଢ଼଼ିବ ବୋଲି ଫଳ ବ୍ୟବସାୟୀଙ୍କ ଘୋଷଣା ପରେ ପତ୍ନୀ ମନ ରଖିବା ପାଇଁ ସ୍ୱାମୀ ଆକାଶଛୁଆଁ ଦରରେ ଫଳ କିଣିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ ଫଳ ବ୍ୟବସାୟୀ ବୁଧବାର ଠାରୁ ବିଭିନ୍ନ କିସମର ଫଳକୁ ପୂର୍ବ ଦରଠାରୁ ହଠାତ୍ ୩ଗୁଣ ବୃଦ୍ଧି କରି ଦେଇଛନ୍ତି। ଆମ୍ବ କିଲୋ ପ୍ରତି ୧୨୦ରୁ ୧୬୦ଟଙ୍କା, କଦଳୀ ଡଜନ ପ୍ରତି ୭୦ରୁ ୮୦ଟଙ୍କା, ଲିଚୁ କିଲୋ ପ୍ରତି ୧୨୦ରୁ ୧୪୦ଟଙ୍କା, ସେଓ କିଲୋପ୍ରତି ୨୦୦ରୁ ୩୦୦ଟଙ୍କା, ଅଙ୍ଗୁର କିଲୋପ୍ରତି ୧୩୦ରୁ ୧୮୦ଟଙ୍କା, ସେପ୍ଟା କିଲୋପ୍ରତି ୧୦୦ ରୁ ୧୨୦ଟଙ୍କା, କମଳା କିଲୋପ୍ରତି ୧୬୦ ରୁ ୨୦୦ଟଙ୍କା, ସପୁରୀ ଗୋଟା ପ୍ରତି ୬୦ରୁ ୮୦ଟଙ୍କା, ପଇଡ ଗୋଟା ପ୍ରତି ୫୦ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଅନ୍ୟ ଫଳ ମୂଲ୍ୟ ନକହିବା ଭଲ। ସାବିତ୍ରୀ ବ୍ରତ ପାଇଁ ସହରର ଗାନ୍ଧିଛକ ଠାରୁ ତହସିଲଛକ ମଧ୍ୟରେ ମୁଖ୍ୟରାସ୍ତାକୁ ଅବରୋଧ କରି ପଡୋଶୀ ରାଜ୍ୟର ଫଳ ବ୍ୟବସାୟୀ ଚଢ଼ା ମୂଲ୍ୟରେ ବ୍ୟବସାୟ କରିବା ସହ ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିଲେ ହେଁ ଦରଦାମ୍ ନିୟନ୍ତ୍ରଣରେ ନିୟନ୍ତ୍ରୀତ ବଜାର କମିଟି ଆଖିବୁଜି ଦେଇଥିବା ବେଳେ ଟ୍ରାଫିକ୍ ସମସ୍ୟାରେ ସୁଧାର ଆଣିବା ଦିଗରେ ପ୍ରଶାସନର ସ୍ଥାଣୁତା ସହରବାସୀଙ୍କୁ ନିରାଶ କରିଛି। ଫଳ ବ୍ୟବସାୟୀଙ୍କ ପକ୍ଷରୁ ଲିଚୁ ସମେତ ବହୁ ଫଳକୁ କୁତ୍ରିମ ରଙ୍ଗ ପ୍ରୟୋଗ କରି ବିକ୍ରି କରାଯାଉଥିଲେ ହେଁ ଏଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସାମାନ୍ୟ ନଜର ନପଡ଼ିବା ଗ୍ରାହକଙ୍କୁ ନିରାଶ କରିଛି। ଏଭଳିସ୍ଥିତିରେ ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ସହରର ଫଳ ବ୍ୟବସାୟୀଙ୍କ ଉପରେ ତୁରନ୍ତ ଚଢ଼ଉ କରାଯାଇ ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆଣିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Popular Categories



