ଚୌଦ୍ୱାର: ପୂର୍ବତଟ ରେଳପଥର ଚୌଦ୍ୱାର ନିକଟ ମଙ୍ଗୁଳି ରେଳ ଷ୍ଟେଶନ୍ ପାଖ ରେଳ ଧାରଣା ଉପରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଚୌଦ୍ୱାର ଥାନା ଅଧିନ ବାଣିପଦା ଗ୍ରାମ ହନୁମାନ ସାହିର ତାପସ ରାଉତ(୨୮)। ଯୁବକଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ତେବେ ମୃତକଙ୍କ ପରିବାର ପକ୍ଷରୁ ଚୌଦ୍ୱାର ଥାନାରେ ହତ୍ୟା ଅଭିଯୋଗ କରାଯାଇଛି।
ସୂଚନା ଅନୁଯାୟୀ ବାଣିପଦା ଗ୍ରାମରେ ଚାଲିଥିବା ଅପେରାରରେ ସାଇକେଲ ଷ୍ଟାଣ୍ଡକୁ ନେଇ ଗତ ୩୦ ତାରିଖ ଦିନ ଗ୍ରାମର ଭୋଇସାହି ଓ ହନୁମାନ ସାହିର ଯୁବକ ମାନଙ୍କ ମଧ୍ୟରେ ବିବାଦ ଘଟି ଉଭୟ ପକ୍ଷଙ୍କ ମଧ୍ୟରେ ଗାଳିଗୁଲଜ ସହିତ ହାତାହାତି ଭଳି ଘଟଣା ଘଟିଥିଲା। ଏହି ଗଣ୍ଡଗୋଳରେ ତାପସ ମଧ୍ୟ ସମ୍ପୃକ୍ତ ଥିଲାବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ପ୍ରକାଶ। ପରେ ତାପସ ଘରକୁ ଚାଲିଆସି ଥିବାବେଳେ ଯାତ୍ରା ଚାଲିଥିବା ସମୟରେ ବିଳମ୍ବିତ ରାତିରେ ଭୋଇ ସାହିର କିଛି ଯୁବକ ତାପସଙ୍କ ଘର ଉପରକୁ ଢେଲା ଓ କାଚବୋତଲ ମାଡ କରିବା ସହିତ ତାଙ୍କ ସାନଭାଇଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ତାପସଙ୍କ ସାନଭାଇଙ୍କ ମୁଣ୍ଡ ଫାଟି ଯାଇଥିଲା। ଏନେଇ ତାପସଙ୍କ ପରିବାର ପକ୍ଷରୁ ଟିପିଏମ ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ଘଟଣାର ପରଦିନ ତାପସ ତାଙ୍କ ମାମୁଁ ଘର ଜଗତପୁର ଥାନା ଖଇରା ଗ୍ରାମକୁ ପଳାଇଯାଇଥିଲେ। ପେଷାରେ ଡ୍ରାଇଭର ତାପସ ମାମୁୁଁଘରୁ ସେହିଦିନ ଚୌଦ୍ୱାର ଫେରି ଆସିଥିଲେ ସୁଦ୍ଧା ସେ ଘରକୁ କିମ୍ବା ମାମୁଁ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ରାତି ପ୍ରାୟ ୭ଟା ସମୟରେ ତାପସଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମଙ୍ଗୁଳି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ରେଳବାଇ ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା ପଠାଇ ଚୌଦ୍ୱାର ଥାନାକୁ ଖବର ଜଣାଇଥିଲା। ତାପସଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକଙ୍କ ସହିତ ଗ୍ରାମରେ ତୀବ୍ର ଉତ୍ତଜନା ଦେଖା ଦେଇଥିଲା। ତାପସ ଆତ୍ମହତ୍ୟା କରିନଥିବା ଓ ଦିନକ ପୁର୍ବରୁ ହୋଇଥିବା ଝଗଡ଼ାରେ ସଂପୁକ୍ତ ଥିବା ଯୁବକ ମାନେ ତାକୁ ମାରି ଟ୍ରେନ ଲାଇନରେ ଫେପାଡି ଦେଇଥିବା ତାପସର ମା ଭାରତୀ ରାଉତ ଅଭିଯୋଗ କରିଛନ୍ତି। ତାପସଙ୍କ ମୃତ୍ୟୁର ସଠିକ ତଦନ୍ତ ସହିତ ଏଥିରେ ସଂପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ହନୁମାନ ସାହି ବାସିନ୍ଦା ଓ ପରିବାର ଲୋକେ ତାପସଙ୍କ ଶବକୁ ଦୀର୍ଘ ସମୟ ଧରି ଗ୍ରାମ୍ୟ ରାସ୍ତାରେ ଅଟକାଇ ରଖିଥିଲେ। ପରେ ଜୋନ-୧ ଏସିପି ଅରୁଣ କୁମାର ସ୍ୱାଇଁ ଓ ଆଇଆଇସି ବିରଞ୍ଚି ନାରାୟଣ ପତି ଗ୍ରାମରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ରାସ୍ତା ଅବରୋଧ ହଟାଇଥିଲେ। ଗ୍ରାମରେ କିଛି ଅଘଟଣ ଘଟିବାର ଆଶଙ୍କା କରି ବାଣିପଦା ଗ୍ରାମରେ ୩ ପ୍ଲ।।ଟୁନ ଫୋର୍ସ ମୁତୟନ କରାଯାଇଛି।



