ଆଠଗଡ଼: ଆଠଗଡ଼ ବ୍ଲକ ଓ ଏନଏସିରେ ମେ ୧ତାରିଖ ଅର୍ଥାତ୍ ସୋମବାରଠାରୁ ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସର୍ବେକ୍ଷଣ ଆରମ୍ଭ ହୋଇଛି। ଏହି ସର୍ବେକ୍ଷଣ କାର୍ଯ୍ୟ ବ୍ଲକର ୩୪ଟି ପଞ୍ଚାୟତରେ ୭୪ଟି ସର୍ବେକ୍ଷଣ କେନ୍ଦ୍ରରେ ଚାଲିଥିବାବେଳେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ ସଂପୃକ୍ତ କେନ୍ଦ୍ରଗୁଡିକୁ ଯାଇ ସର୍ବେକ୍ଷଣ କାର୍ଯ୍ୟ ତଦାରଖ କରିଥିଲେ। ଏହି ସମୟରେ ରାଜନଗରସ୍ଥିତ ଜୟନ୍ତୀ ଦେବୀ ବିଦ୍ୟାପୀଠକୁ ସର୍ବେକ୍ଷଣ କାର୍ଯ୍ୟ ଅନୁଧ୍ୟାନ କରିଥିବାବେଳେ ସ୍କୁଲର ମୁଖ୍ୟ ଫାଟକ ବନ୍ଦ ଥିବା ଏବଂ ସେଥିରେ ତାଲା ଲାଗିଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ସର୍ବେକ୍ଷଣ କାର୍ଯ୍ୟରେ ଥିବା ଗଣନାକାରୀଙ୍କୁ ପଚାରିବାରେ ପ୍ରଧାନଶିକ୍ଷକ ମୁଖ୍ୟଫାଟକ ଖୋଲିଲେ ନାହିଁ ବୋଲି ସେ ଉତ୍ତର ଦେଇଥିଲେ। ବିଦ୍ୟାଳୟର କକ୍ଷ ଖୋଲା ରହିଥିଲେ ମଧ୍ୟ ଫାଟକ ବନ୍ଦ ଥିବାରୁ ସର୍ବେକ୍ଷଣ ପାଇଁ ତଥ୍ୟ ଦେବା ପାଇଁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିବା ବିଡିଓ ଉପଲବ୍ଧି କରିଥିଲେ। ଏ ସଂପର୍କରେ ବିଡିଓ ଶ୍ରୀ ସାହୁ କଟକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ସହ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅସହଯୋଗ କରିଥିବା ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ। ବିଡିଓ ଶ୍ରୀ ସାହୁଙ୍କ ସହିତ ଅତିରିକ୍ତ ବିଡିଓ ଉପେନ୍ଦ୍ର କୁମାର ଜେନା ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରଞ୍ଜୁ ଦେଇ ମଧ୍ୟ ଏହି ପରିଦର୍ଶନରେ ଯାଇଥିଲେ।
Popular Categories



