www.samajalive.in
Saturday, December 13, 2025
17.1 C
Bhubaneswar

୫-ଟି ବିଦ୍ୟାଳୟ: ଭିତ୍ତିଭୂମି ହେଉଛି ସୁଦୃଢ, ଶିକ୍ଷାଦାନ ହେଉଛି ଦୁର୍ବଳ

ଆଠଗଡ଼: ରାଜ୍ୟ ସରକାରଙ୍କର ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ରୂପାନ୍ତର ଯୋଜନା ଦ୍ୱାରା ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ ହେଉଛି ସତ, କିନ୍ତୁ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଲାଣି। ସରକାରଙ୍କର ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରିବା କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହେଲେ ମଧ୍ୟ ଶିକ୍ଷାଦାନକୁ ଗୁରୁତ୍ୱ ନଦେବା ପରିତାପର ବିଷୟ ବୋଲି ବହୁ ଶିକ୍ଷାବିତ୍‌‌ ମତପ୍ରକାଶ କରୁଛନ୍ତି। ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକରେ ବିଷୟ ଭିତ୍ତିକ ଶିକ୍ଷକ ପଦବୀ ବହୁସଂଖ୍ୟାରେ ଖାଲିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ସେଥିପାଇଁ ଅଭିଭାବକମାନେ ସରକାରୀ ସ୍କୁଲ ଅପେକ୍ଷା ଘରେଇ ସ୍କୁଲ ଗୁଡିକରେ ନିଜ ପିଲାଙ୍କୁ ପଢ଼ାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଘରୋଇ ବିଦ୍ୟାଳୟ ବିଶେଷକରି ଇଂରାଜୀ ମାଧ୍ୟମ ହେଉ ଅବା ସରସ୍ୱତୀ ଶିଶୁମନ୍ଦିର ଭଳି ଓଡିଆ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ସବୁ ଶ୍ରେଣୀ ଏବଂ ସମସ୍ତ ବିଷୟ ପାଇଁ ଶିକ୍ଷକ ରହିଛନ୍ତି ତାହା ପୁଣି ସରକାରୀ ବିଦ୍ୟାଳୟ ଅପେକ୍ଷା ଯଥେଷ୍ଟ କମ୍‌‌ ପାରିଶ୍ରମିକରେ ଶିକ୍ଷାଦାନ କରୁଛନ୍ତି। ଆଠଗଡ଼ ବ୍ଲକରେ ବିଗତ ବର୍ଷ ପ୍ରଥମ ପର୍ଯ୍ୟାୟରେ ବିଶ୍ୱନାଥ ବିଦ୍ୟାପୀଠ ଏକମାତ୍ର ବିଦ୍ୟାଳୟ ରୂପାନ୍ତର ଯୋଜନାରେ ସାମିଲ ହୋଇଥିଲା। ପରବର୍ତ୍ତୀ ସମୟରେ ୨ୟ ପର୍ଯ୍ୟାୟରେ ଆଉ ୧୨ଟି ବିଦ୍ୟାଳୟ ରୂପାନ୍ତର ପରେ ଉଦ୍‌‌ଘାଟନ ହୋଇସାରିଛି। ଏବେ ୩ୟ ପର୍ଯ୍ୟାୟରେ ଆଉ ୧୨ଟି ଉଚ୍ଚ ବିଦ୍ୟାଳୟ ଏହି ଯୋଜନାରେ ସାମିଲ ହୋଇ ରୂପାନ୍ତର କାର୍ଯ୍ୟ ଚୂଡାନ୍ତ ହୋଇଥିବାବେଳେ ନିକଟରେ ଉଦ୍‌‌ଘାଟିତ ହେବ।

ଆଠଗଡ଼ ବ୍ଲକର ମୋଟ ୩୫ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁୁ ରାଜନଗରର ଜୟନ୍ତୀ ଦେବୀ ବିଦ୍ୟାପୀଠ ଘରୋଇ ହୋଇ ରହିଥିବା ବେଳେ ଅନ୍ୟ ୩୪ଟି ବିଦ୍ୟାଳୟ ମଧ୍ୟରେ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ରହିଛି। ସେଥି ମଧ୍ୟରୁ ୨୫ଟି ବିଦ୍ୟାଳୟ ରୂପାନ୍ତର ଯୋଜନାରେ ସାମିଲ ହୋଇସାରିଥିବା ବେଳେ ଆଉ ୯ଟି ବିଦ୍ୟାଳୟ ୪ର୍ଥ ପର୍ଯ୍ୟାୟରେ ଏହି ଯୋଜନାରେ ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଅଧିକାଂଶ ସରକାରୀ ସ୍କୁଲରେ ସରକାରୀ ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ପଦବୀ ତୁଳନାରେ ଅଧାରୁ କମ୍‌‌ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେଥିରେ ବିଜ୍ଞାନ ଓ କଳା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଭିତ୍ତିକ ଶିକ୍ଷକ ପଦବୀ ଖାଲିପଡ଼ିଥିବାରୁ ଶିକ୍ଷାଦାନ ଦିଗହରା ହୋଇପଡ଼ିଛି। ଆଠଗଡ଼ ସହରର ସର୍ବପୁରାତନ ଏବଂ ଜିଲ୍ଲାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ବିଶ୍ୱନାଥ ବିଦ୍ୟାପୀଠରେ ୨୧ଶିକ୍ଷକ ପଦବୀ ମଧ୍ୟରୁ ମାତ୍ର ୧୩ଜଣ ରହିଥିବାବେଳେ ସରକାରୀ ବାଳିକା ହାଇସ୍କୁଲରେ ୧୭ ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ମଧ୍ୟରୁ ମାତ୍ର ୧୦ଜଣ କାର୍ଯ୍ୟରତ ଅଛନ୍ତି। ସେହିପରି ପ୍ରାୟ ପ୍ରତ୍ୟେକ ସ୍କୁଲରେ ଶିକ୍ଷକ ଅଭାବଜନିତ କାରଣରୁ ପିଲାମାନେ ଗୁରୁତ୍ୱ ବହନ କରୁଥିବା ବିଷୟ ଗୁଡିକର ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଆଠଗଡ଼ ବ୍ଲକରେ ୩୪ଟି ଉଚ୍ଚ ବିଦ୍ୟାଳୟରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୩୦୯ ରହିଥିବାବେଳେ ୨୩୯ଜଣ ଶିକ୍ଷକ କାର୍ଯ୍ୟରତ ରହିଛନ୍ତି।

- Advertisement -

ଏପଟେ ବିଦ୍ୟାଳୟ ରୂପାନ୍ତର ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରାଯାଉଥିବା ବେଳେ ବିଦ୍ୟାଳୟଗୁଡିକର ଉନ୍ନତିକରଣ ନାମରେ ପ୍ରଥମତଃ ଅନେକ ସ୍କୁଲରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି। ତା ଛଡା ବିଦ୍ୟାଳୟରେ ଶ୍ରେଣୀକକ୍ଷ ଗୁଡିକ ମଧ୍ୟରୁ ୨ଟି କକ୍ଷ ସ୍ମାର୍ଟ ଶ୍ରେଣୀକକ୍ଷ, ଗୋଟିଏ ଇ-ଗ୍ରନ୍ଥାଗାର ଓ ଅନ୍ୟଗୋଟିଏ ବିଜ୍ଞାନଗାର ଭାବେ ଉନ୍ନତିକରଣ କରାଯାଇଛି। ଫଳରେ ପ୍ରତ୍ୟେକ ସ୍କୁଲରେ ଏବେ ଶ୍ରେଣୀକକ୍ଷର ଅଭାବ ପରିଲକ୍ଷିତ ହେଉଛି। ବିଦ୍ୟାଳୟ ଗୁଡିକରେ ନୂତନ ଶ୍ରେଣୀକକ୍ଷ ନିର୍ମାଣ ପାଇଁ ସରକାର ସହରାଞ୍ଚଳରେ ପୌରସଂସ୍ଥା ଓ ଗ୍ରାମାଞ୍ଚଳରେ ପଞ୍ଚାୟତ କାର୍ଯ୍ୟାଳୟକୁ ଶ୍ରେଣୀକକ୍ଷ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ୨-୩ଟି ବିଦ୍ୟାଳୟକୁ ଛାଡିଦେଲେ ଅନ୍ୟ କୌଣସି ବିଦ୍ୟାଳୟରେ ନୂତନ ଶ୍ରେଣୀକକ୍ଷ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ଏ ସବୁକୁ ଦୃଷ୍ଟିରେ ରଖି ପିଲାମାନେ କିପରି ଅଧିକ ସଂଖ୍ୟାରେ ସରକାରୀ ବିଦ୍ୟାଳୟରେ ପଢ଼ିବେ ସେ ଦିଗରେ ସରକାର ପଦକ୍ଷେପ ନେବା ପାଇଁ ଦାବି ହେଉଛି। ସେଥିପାଇଁ ପ୍ରତି ବିଦ୍ୟାଳୟରେ ବିଷୟଭିତ୍ତିକ ଶିକ୍ଷକ ପଦବୀ ପୂରଣ କରି ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେବା ଏବଂ ଯେଉଁ ବିଦ୍ୟାଳୟରେ ଶ୍ରେଣୀକକ୍ଷର ଅଭାବ ରହିଛି ସେ ସବୁ ବିଦ୍ୟାଳୟରେ ନୂତନ ଶ୍ରେଣୀକକ୍ଷ ନିର୍ମାଣ କରିବା ଲାଗି ପଦକ୍ଷେପ ନେବା ଦରକାର ବୋଲି ମତପ୍ରକାଶ ପାଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories