କେନ୍ଦୁଝରଗଡ଼: ଭାରତୀୟ ଜନତା ପାର୍ଟି କେନ୍ଦୁଝର ଜିଲା କାର୍ଯ୍ୟାଳୟ ପରିସରରେ ଗୁରୁବାର ଦଳର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦଳୀୟ ପତାକାକୁ ଉତ୍ତୋଳନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ମାଝୀ ଯୋଗଦେଇ ଆଗାମୀ ଦିନରେ ଦଳ କିଭଳି ନିଜର ବିଚାରଧାରା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଯାଇ ପାରିବ ସେଥିପ୍ରତି ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଏହାପରେ ସଭାରେ ଉପସ୍ଥିତ ନେତା ଓ କର୍ମୀ ଡିଜିଟାଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତିଙ୍କ ଅଭିଭାଷଣକୁ ଶୁଣିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଓ ଶୁକଦେବ ମହାନ୍ତ, କିରଣବାଳା ନାଏକ, ଦିଲ୍ଲୀପ କୁମାର ପଣ୍ଡା, ସବୀର ଦାଶ, ଦୁର୍ଗାଚରଣ ବାରିକ, କେନ୍ଦୁଝରଗଡ଼ ପୌରପାଳିକା ନଗରପାଳ ନିକୁ ସାହୁ, କାଉନସିଲର ନିହାର ଦାସ, ପଙ୍କଜ ଦ୍ୱିବେଦୀ, ମିତା ମହାନ୍ତି, ମନ୍ଦାକିନୀ ନାଏକ, ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ, ଜିଲା ସମ୍ପାଦକ ଶିବକୁମାର ରାଠୋର, ନଗର ଯୁବମୋର୍ଚ୍ଚା ସଭାପତି ପ୍ରିୟ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇ ଦଳର ଚିନ୍ତାଧାରା ଓ ଆଭିମୁଖ୍ୟକୁ ବଜାୟ ରଖିବା ପାଇଁ ଶପଥ ନେଇଥିଲେ। ଏହି ଅବସରରେ ବାଂଶପାଳ ଠାରେ ଜିଲା ସଭାପତି ଶ୍ରୀ ମହାନ୍ତବର୍ମା ଓ କେନ୍ଦୁଝର ନଗରରେ ସଦର ବିଧାୟକ ଶ୍ରୀ ମାଝୀ କାନ୍ଥ ଲିଖନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜିଲାର ବିଭିନ୍ନ ସ୍ଥାନରେ ଦଳୀୟ ନେତା ଓ କର୍ମୀଙ୍କ ଦ୍ୱାରା ଦଳୀୟ ପତାକା ଉତ୍ତୋଳନ ସାଙ୍ଗକୁ କାନ୍ଥ ଲିଖନ ଓ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଆଗାମୀ ୭ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ସେବା ସପ୍ତାହ ପାଳନ କରାଯିବ ବୋଲି ଜିଲା ସାଧାରଣ ସମ୍ପାଦକ ଶ୍ରୀ ବେହେରା ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି।
Popular Categories



