ନିର୍ଯାତିତ ବୃଦ୍ଧ ପିତାମାତା, ଶୁଣୁ ନାହାନ୍ତି ବୈଦ୍ୟେଶ୍ୱର ଥାନା ଅଧିକାରୀ

କଳାପଥର(ବାଙ୍କୀ): ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ବୈଦ୍ୟେଶ୍ୱର ପାଣିଗ୍ରାହୀପୁର ପାଟଣାରେ ପୁଅବୋହୂଙ୍କ ଦ୍ୱାରା ନିର୍ଯ୍ୟାତିତ ବୃଦ୍ଧପିତା ହୃଷିକେଶ ଗୁରୁ ଓ ସ୍ତ୍ରୀ ବଦନୀ ଗୁରୁ ନିଜର ଶେଷ ଜୀବନ କଷ୍ଟରେ କଟାଉଥିବା ଜଣାପଡିଛି। ପୁତ୍ର ଚନ୍ଦ୍ରଶେଖର ଗୁରୁ ନିଜ ବିବାହ ପରେ ଏକୁଟିଆ ରହିବା ଲକ୍ଷ୍ୟ ନେଇ ବୃଦ୍ଧ ବାପାମାଆଙ୍କୁ ଅଲଗା ହାଣ୍ଡିଚୂଲି ଧରାଇବା ପରେ ଅନେକ ସମୟରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ମାନସୀକ ଓ ଶାରୀରିକ ଯନ୍ତ୍ରଣା ଦେବା ସହ ସେମାନଙ୍କ ରୋଷେଇ ବାସରେ ବ୍ୟାଘାତ ସୃଷ୍ଟି କରିଥାଏ। ଗତ ତା.୧୯.୧୧.୨୦୨୩ରିଖରେ ମା’ ରୋଷେଇ କରୁଥିବା ଗ୍ୟାସ୍ ସିଲିଣ୍ଡରକୁ ବନ୍ଦ କରିଦେଇ ରୋଷେଇବାସ କଲେ ଜୀବନରେ ମା’କୁ ମାରିଦେବାକୁ ଧମକ ଦେଇଥିଲେ। ବାପା ପ୍ରତିରୋଧ କରିବାରୁ ଅଭିଯୁକ୍ତ ପୁଅ ବାପାକୁ ଧକ୍କା ବେକା ଦେଇ ଦାଣ୍ଡ ଦୁଆର ରାସ୍ତାକୁ ବାହାର କରିଦେଇଥିଲେ। ପୁଅ ଗ୍ରାମର ଭଦ୍ରବ୍ୟକ୍ତିମାନଙ୍କ କଥା ମାନୁନଥିବାରୁ ବାପ ହୃଷିକେଶ ବୈଦ୍ୟେଶ୍ୱର ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। ମାତ୍ର ଥାନା କର୍ତ୍ତୁପକ୍ଷ ନିର୍ଯାତିତ ବୃଦ୍ଧ ବ୍ୟକ୍ତିଙ୍କର ଗୁହାରୀ ନ ଶୁଣିବାରୁ ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘରେ ନିଜର ଦୁଃଖ ଘଟଣା ଜଣାଇଥିଲେ। ସଂଘର ସଭାପତି ବିରଞ୍ଚି ଦାସ ବୈଦ୍ୟେଶ୍ୱର ଥାନାକୁ ଲିଖିତ ଭାବରେ ବୃଦ୍ଧ ବ୍ୟକ୍ତିଙ୍କର ଅଭିଯୋଗ ପତ୍ର ପଠାଇବା ସହ ତାହାର ନକଲ କଟକ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ସ୍ଥାନୀୟ ବାଙ୍କୀ ଉପଖଣ୍ଡ ପୋଲିସ୍ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସଂଘର କର୍ମକର୍ତ୍ତାମାନଙ୍କ ସହ ଯାଇ ଅଭିଯୋଗ ପତ୍ର ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରିଛନ୍ତି। ସରକାରଙ୍କ ଆଇନ୍‌ରେ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗ ଓ ଅସୁବିଧା ତୁରନ୍ତ ସମାଧାନ କରିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ବୈଦ୍ୟେଶ୍ୱର ଥାନା ଅଧିକାରୀ ଏ ଘଟଣାକୁ ନଜରକୁ ନେଉ ନଥିବା ଏକ ଦୁଃଖଦ ଘଟଣା ଅଟେ। ଏଥିପାଇଁ ଉଚ୍ଚ କର୍ତ୍ତୁପକ୍ଷ ନିର୍ଯ୍ୟାତିତ ବରିଷ୍ଠ ନାଗରିକଙ୍କୁ ତ୍ୱରିତ ସୁରକ୍ଷା ଦେବାପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି।

Comments are closed.