ଉପଖଣ୍ଡସ୍ତରୀୟ କୃଷି ଯାନ୍ତ୍ରିକ ମେଳା ଉଦ୍‌‌ଯାପିତ

ଆଠଗଡ଼: ରାଜ୍ୟର କୃଷକମାନେ କିପରି ଆଧୁନିକ ଜ୍ଞାନ କୌଶଳ ଓ ଯନ୍ତ୍ରପାତିର ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି କରିବା ସହିତ ନିଜର ଶ୍ରମ ଓ ବ୍ୟୟ ହ୍ରାସ କରିପାରିବେ ସେମାନଙ୍କୁ ସେଥିଲାଗି ପ୍ରୋତ୍ସାହିତ ଓ ସଚେତନ କରିବା ଉଦ୍ଦେଶ୍ୟରେ ଆଠଗଡ଼ରେ ଚାଲିଥିବା ୩ଦିନିଆ କୃଷି ଯାନ୍ତ୍ରିକ ମେଳା ଶନିବାର ଉଦ୍‌‌ଯାପିତ ହୋଇଯାଇଛି। ଉଦ୍‌‌ଯାପନୀ ଉତ୍ସବରେ ରାଜ୍ୟ କୃଷି, କୃଷକ ସଶକ୍ତିକରଣ ମତ୍ସ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଆମ ଚାଷୀଭାଇମାନେ ବ୍ୟାପକ ଭାବେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବା ସଙ୍ଗେ ସଙ୍ଗେ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ କୃଷି ଉତ୍ପାଦନ ବିଗତ କିଛିବର୍ଷ ମଧ୍ୟରେ ବହୁଗୁଣିତ ହୋଇଛି ଏବଂ ପାରମ୍ପରିିକ ଚାଷ ସହିତ ଚାଷୀଭାଇମାନେ ଅର୍ଥକାରୀ ଫସଲ ଅଧିକରୁ ଅଧିକ କରିବେ ସେ ଦିଗରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ନିରନ୍ତର ପ୍ରୟାସ କରିଚାଲିଛି ବୋଲି ପ୍ରକାଶ କରିଥିଲେ। କୃଷି ସହିତ ଜଡିତ ମତ୍ସ୍ୟ, ପ୍ରାଣୀ ସଂପଦ ଏବଂ କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପ୍ରତିକ୍ଷେତ୍ରରେ ବ୍ୟାପକ ରିଆତି ବ୍ୟବସ୍ଥା କରାଯାଇଛି। ଏବଂ ଏହାର ଭରପୁର ଫାଇଦା ଉଠାଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଷୀଭାଇ ଓ ଭଉଣୀମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ଦ୍ୟୋଗ ଯୋଜନା(ଏମକେୟୁୱାଇ) ମାଧ୍ୟମରେ ଚାଷୀମାନେ ବ୍ୟାପକ ରିଆତି ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏହି ଅବସରରେ ଆଠଗଡ଼ ଉପଖଣ୍ଡରେ କୃଷି ଯନ୍ତ୍ରପାତି ବ୍ୟବହାର କରି ସଫଳ ହୋଇଥିବା ୮ଜଣ ଚାଷୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍‌‌ଯାପନୀ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରା, ମିନତୀ ଗାଗରାଇ ଓ ବଳଭଦ୍ର ବାଘ, ସମବାୟବିତ୍‌‌ ଲଳିତେନ୍ଦୁ ସେନାପତି, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିଭୂରଞ୍ଜନ ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଇତିଶ୍ରୀ ରଥ, ଜିଲ୍ଲା କୃଷି ନିର୍ବାହୀ ଯନ୍ତ୍ରୀ ଦେବବ୍ରତ ଦାସ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା, ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା ପ୍ରମୁଖ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। ଆଠଗଡ଼ କୃଷି ଜିଲ୍ଲା ଅଧିକାରୀ ପର୍ଶୁରାମ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ପ୍ରିୟନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କୃଷି ମେଳାରେ ମୋଟ ୪୦ଟି ଷ୍ଟଲରେ ବିଭିନ୍ନ କୃଷି ଯନ୍ତ୍ରପାତି ବିକ୍ରୟ ପାଇଁ ପ୍ରଦର୍ଶିତ କରାଯାଇଥିବାବେଳେ ୩ଦିନ ମଧ୍ୟରେ ୪୦.୭୦ଲକ୍ଷ ଟଙ୍କାର ଯନ୍ତ୍ରପାତି ବିକ୍ରୟ ହୋଇଥିବା ଜଣାପଡ଼ିଛି। ଆଠଗଡ଼ ଉପଖଣ୍ଡର କୃଷି, ଉଦ୍ୟାନ କୃଷି, ପ୍ରାଣୀ ସଂପଦ ଓ ମତ୍ସ୍ୟ ଚାଷ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି ୩ଦିନିଆ ମେଳାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Comments are closed.