ଦେବଗଡ଼: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ କୁଣ୍ଢେଇଗୋଳା ଥାନା ପୁଲିସ ଦ୍ୱାରା ଗିରଫ ହେବାପରେ ପୁଲିସ କର୍ମଚାରୀଙ୍କୁ ଧକ୍କା ମାରି ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାର ସମ୍ମୁଖରୁ ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଆଜି ଜିଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗିରଫ କରିଛି। ଫେରାର ଅଭିଯୁକ୍ତ କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମର ସୁମନ ବେହେରା (୨୨) ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ବେଳେ ଦେବଗଡ଼ ଏସ୍ଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ ତାକୁ ଗିରଫ କରିଥିଲା।
କୁଣ୍ଢେଇଗୋଳା ଥାନାଂଚଳର ଜଣେ ବ୍ୟକ୍ତି ତାଙ୍କର ୧୭ ବର୍ଷୀୟା ନାବାଳିକା ଝିଅକୁ ଆଉଁଳି ଗ୍ରାମର ସୁମନ ବେହେରା (୨୨) ନାମକ ଜଣେ ଯୁବକ ଅପହରଣ କରିନେଇଥିବା ଗତ ୯ ତାରିଖ ଦିନ କୁଣ୍ଢେଇଗୋଳା ଥାନାରେ ଲିଖୀତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ବିରୁଦ୍ଧରେ ଏକ ଅପହରଣ ମାମଲା ଋଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସୁମନକୁ ଗିରଫ କରିବା ସହ ଅପହୃତା ନାବାଳିକାକୁ ଉଦ୍ଧାର କରି ଡାକ୍ତରୀ ମାଇନା କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ସେହିପରି ଗତ ୨୪ ତାରିଖ ଦିନ ଗିରଫ ଅଭିଯୁକ୍ତ ସୁମନକୁ କୋର୍ଟ ଚାଲାଣ କରିଥିଲା। ତେବେ ଅଦାଲତରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଯାଉଥିଲା। ମାତ୍ର ପୁଲିସ କର୍ମଚାରୀ ମାନେ ତାକୁ ନେଇ ଜେଲ ହାଜତକୁ ଯାଉଥିବା ସମୟରେ ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାର ସମ୍ମୁଖରେ ପୁଲିସ କନଷ୍ଟେବଳଙ୍କୁ ଧକ୍କା ମାରି ସେଠାରୁ ସେ ଫେରାର ହୋଇଯାଇଥିଲା। ଏନେଇ ଦାୟିତ୍ୱରେ ଥିବା କୁଣ୍ଢେଇଗୋଳା ଥାନା କନଷ୍ଟେବଳ ଦେବଗଡ଼ ଥାନାରେ ଲିଖୀତ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତ ସୁମନ ବିରୁଦ୍ଧରେ ଦଫା-୩୫୩,୩୨୩ ଓ ୬୩୧ ଆଇପିସିରେ ଏକ ମାମଲା ଋଜୁ କରିବା ତାକୁ ଧରିବା ପାଇଁ ଉଦ୍ୟମ ତନାଘନା ଚଳାଇଥିଲା ଓ ଏନେଇ ଗତକାଲି କେବଳ ‘ ସମାଜ’ରେ ଏକ୍ସକ୍ଲୁସିଭ ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲା ପୁଲିସ ପକ୍ଷରୁ ଏସ୍ଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହ ଫେରାର ଅଭିଯୁକ୍ତ ସୁମନକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଥିଲା। ଆଜି ସଂଧ୍ୟାରେ ଏସ୍ଡିପିଓ ଶ୍ରୀଯୁକ୍ତ ମଲ୍ଲିକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡର ସଦସ୍ୟ ମାନେ ହଦମୁଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ। ଏନେଇ ଆଜି ସଂଧ୍ୟାରେ ଦେବଗଡ଼ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଶ୍ରୀଯୁକ୍ତ ମଲ୍ଲିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆନୁଷ୍ଠାନିକ ଭାବେ ସୂଚନା ଦେଇଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଥାନା ଅଧିକାରୀ ସରୋଜ କୁମାର ସେଠୀ ମଧ୍ୟ ଉପସ୍ଥିତ ଥିଲେ। ଆଜି ସଂଧ୍ୟାରେ ଗିରଫ ଅଭିଯୁକ୍ତ ସୁମନର ଡାକ୍ତରୀ ପରୀକ୍ଷା କରାଯିବା ସହ ରାତ୍ରିରେ କୋର୍ଟ ଚାଲାଣ କରାଯାଇଥିବା ଦେବଗଡ଼ ଥାନା ପୁଲିସ ସୂତ୍ରରୁ ସୂଚନା ମିଳିଛି।



