ତିଗିରିଆ: ତିଗିରିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତାବଣ୍ଟନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରିବା ସହିତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ନୂତନ ଭତ୍ତା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।
ବ୍ଲକର ମୋଟ ୧୪ ଗୋଟି ପଞ୍ଚାୟତର ସମୁଦାୟ ୫୫୯ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଏଥିରେ ନିଜିଗଡ଼ ପଞ୍ଚାୟତର ୫୪, ଅଚଳକୋଟର ୩୧, ବଡନାଉପୁଟର ୩୨, ବାଲିପୁଟ ୧୬, ଭିରୁଡା ୪୧ ଜଣ, ଭୋଗଡା ୧୭ , ବିନ୍ଧାଣିମା ୪୩, ଗଦାଧରପୁର ୬୯, ହାଟମାଳ ୪୦, ଜେମାଦେଇପୁର ୨୮ , ନୂଆପାଟଣା ୪୬ ,ପାଞ୍ଚଗାଁ ୪୫, ପୁରୁଣା ତିଗିରିଆ ୫୫ ଓ ସୋମପଡl ପଞ୍ଚାୟତର ୪୨ ଜଣ ନୂତନ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ତିଗିରିଆ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ମାନସ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଗଙ୍ଗାଧର ବେହେରା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ, ଜିଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ସସ୍ମିତା ରାଉତ, ନିର୍ଦ୍ଦେଶକ ଗୌରହରି ପରିଡା ପ୍ରମୂଖଙ୍କ ସହିତ ପଞ୍ଚାୟତଗୁଡ଼ିକର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।



