ଫୁଲବାଣୀ: ସ୍ଥାନୀୟ ଏସବିଆଇ ମୂଖ୍ୟ ଶାଖାରେ ହୋଇଥିବା୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଆଉ ଦୁଇଜଣଙ୍କୁ ଗିରଫ କରିଚି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା। ପୁର୍ବରୁ ଏହି ମାମଲାରେ ମୂଖ୍ୟ ଅଭିଯୁକ୍ତ ଆଶୁତୋଷ ଆଚାର୍ୟ୍ୟଙ୍କୁ ଗିରଫ ହୋଇଥିବା ବେଳେ ୩ ମାସ ପରେ ଏଥିରେ ସାମିଲ ଥିବା ତତ୍କାଳିନ ଫୁଲବାଣୀ ଯୋଗାଣ ନିରିକ୍ଷକ ସମରେଶ ରଂଜନ ଦାସ ଓ ହେମନ୍ତ ପଣ୍ଡାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଏଥିରେ ଆହୁରି ବହୁ ବ୍ୟକ୍ତି ସାମିଲ ଥିବା ଏତାଲାରେ ଦର୍ଶାଯାଇଥିବା ବେଳେ ସେମାନେ କେବେ ଗିରଫ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୁଚନା ପ୍ରକାରେ ୨୦୨୨ ମସିହାରେ ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୂଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ୟ୍ୟ ୫୯ ଜଣଙ୍କ ନାମରେ ସରକାରୀ ଚାକିରିଆ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସପ୍ରେସ କ୍ରେଡିଟ ଲୋନ ମଞ୍ଜୁର କରିଥିଲେ, ଯାହାର ପରିମାଣ ଥିଲା ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା। ସେହିଭଳି ସେ ୨୬ ଜଣଙ୍କ ନାମରେ ୯୯ ଲକ୍ଷ ୮୨ ହଜାର ୭୯୫ ଟଙ୍କାର ପେନସନ ଋଣ ମଞ୍ଜୁର କରିଥିଲେ। ଏହିଭଳି ଭାବେ ସମୂଦାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା, ଯାହାକି ପରବର୍ତୀ ସମୟରେ ଆଶୁତୋଷ ନିଜ ଘରଲୋକଙ୍କ ଆକାଉଂଟକୁ ପଠାଇ ଦେଇଥିଲେ। ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ହେବା ପରେ ୧୪/୨୩ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା। ୩ମାସ ପୁର୍ବରୁ ଆଶୁତୋଷ ଗିରଫ ହୋଇଥିଲେ। ଆଜି ତତ୍କାଳିନ ଫୁଲବାଣୀ ଯୋଗାଣ ନିରିକ୍ଷକ ସମରେସ ରଂଜନ ଦାସ ଙ୍କୁ ଗିରଫ କରିଛି ଇଓଡବ୍ଲୁ। ସମରେଶଙ୍କ ଏକାଉଁଟକୁ ୧କୋଟି ୪୬ଲକ୍ଷ ୩୦ହଜାର ଟଙ୍କା ପଠାଯାଇଥିଲା। ତେବେ ଏଥିରେ ସର୍ମ୍ପୁକ୍ତ ଅନ୍ୟବ୍ୟକ୍ତିମାନେ କେବେ ଗିରଫ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘୋଟାଲା ର ଅଧିକ ତଦନ୍ତ ହେଲେ ଉପୋରୋକ୍ତ ବ୍ୟକ୍ତିଙ୍କୁ ବାଦ ଦେଇ ବହୁ ବଡ ବଡ ବକ୍ତି ଙ୍କ ସର୍ମ୍ପୁକ୍ତି ପଦାକୁ ଆସିବା ସହ ଏହି ଘୋଟାଲାର ଚେର କେଉଁ ଜିଲାକୁ ଲମ୍ବିଛି ତାହା ସାମ୍ନାକୁ ଆସିବ।



