ତିଗିରିଆ: ଗୁଜୁରାଟ ଅହମ୍ମଦାବାଦରେ କାର୍ଯ୍ୟରତ ଜଣେ ଯୁବ ଓଡ଼ିଆ ଶ୍ରମିକଙ୍କର ବିଦ୍ୟୁତ୍ ଆଘାତରେ ଶୁକ୍ରବାର ରାତିରେ ମୃତ୍ୟୁ ହୋଇଛି। ଯୁବକ ଜଣକ ତିଗିରିଆ ଥାନା ଅନ୍ତର୍ଗତ ହରିଶରଣପୁର ଗ୍ରାମର ପ୍ରଫୁଲ୍ଲ ରାଉତଙ୍କ ପୁଅ ପ୍ରଶାନ୍ତ ରାଉତ (୩୪) ବୋଲି ଜଣାପଡିଛି। ମୃତ ଯୁବ ଶ୍ରମିକଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରଶାନ୍ତ ଦୀର୍ଘ ୧୭ ବର୍ଷ ହେଲା ଅହମଦାବାଦରେ ବିଭିନ୍ନ ଘରୋଇ ଶିଳ୍ପ କାରଖାନାରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଆସୁଥିଲେ। ପରବର୍ତ୍ତୀ ସମୟରେ ଗତ କିଛି ମାସ ତଳେ ନିଜେ ଗୋଟିଏ ବିଭିନ୍ନ ପ୍ଲାଷ୍ଟିକ ଉପକରଣ ଉତ୍ପାଦନକାରୀ ସପ୍ ପ୍ରତିଷ୍ଠା କରି ବ୍ୟବସାୟ ଚଳାଇ ଥିଲେ। ଗତକାଲି ରାତି ପ୍ରାୟ ୨ଟା ସମୟରେ ନିଜ ସପ୍ ରେ ମେସିନ୍ ଚଳାଉ ଥିବା ବେଳେ ବିଦ୍ୟୁତ୍ ଆଘାତ ପାଇଥିଲେ ଏବଂ ଘଟଣାସ୍ଥଳରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଥିଲେ। ପାଖରେ ଥିବା ଅନ୍ୟ ଗୋଟିଏ ସପରେ କାର୍ଯ୍ୟରତ ଶ୍ରମିକ ପ୍ରଶାନ୍ତ ଏକ ବିଦ୍ୟୁତ୍ ତାରରେ ଗୁଡେ଼ଇ ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ସେଠାରେ କାର୍ଯ୍ୟରତ ଅନ୍ୟ ଓଡ଼ିଆ ଶ୍ରମିକଙ୍କୁ ଖବର ଦେବା ପରେ ତାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିବା ସହିତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପ୍ରଶାନ୍ତଙ୍କ ସାନ ଭାଇ ପୁରୁଷୋତ୍ତମ ରାଉତଙ୍କୁ ମୃତ ଦେହ ହସ୍ତାନ୍ତର କରିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ଏହି ଖବର ପ୍ରକାଶ ପାଇବା ପରେ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଯୁବ ଶ୍ରମିକଙ୍କ ଘରେ ରୋଗିଣା ବାପା ମା ଏବଂ ଗର୍ଭବତୀ ପତ୍ନୀ ରହିଛନ୍ତି। ଉକ୍ତ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣରେ ନିବେଦନ ହୋଇଛି।
Popular Categories



