କେନ୍ଦୁଝରଗଡ଼: ମେ ୧ ତାରିଖ ବଡ଼ବିଲରେ ଘଟିଥିବା ଭୋଲା ସିହ୍ନା ହତ୍ୟାକାଣ୍ଡ ୨ମାସ ପରେ ମଧ୍ୟ ସଠିକ୍ ଯାଞ୍ଚ ନହେବା ଓ ମୁଖ୍ୟ ଅପରାଧୀ ଧରାନପଡ଼ିବା ପୁଲିସର ତଦନ୍ତ ବାଟବଣା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପି ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା ଓ ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳିର ଦଳୀୟ ପ୍ରାର୍ଥୀ ମୁରଲୀ ଶର୍ମା ଶନିବାର କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଉପରୋକ୍ତ ମର୍ମରେ ଅଭିଯୋଗପତ୍ର ପ୍ରଦାନ ସହ ନିରପେକ୍ଷ ତଦନ୍ତ ଦାବି କରି ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜିଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଥିବା ନିତିନ କୁଶଲକରଙ୍କ ନେତୃତ୍ୱରେ ବଡ଼ବିଲରେ ଘଟିଥିବା ଏହି ହତ୍ୟାକାଣ୍ଡର ତଦନ୍ତ ସଠିକ ଦିଗରେ ଆଗେଇବ ବୋଲି ବିଜେପି ନେତା ଶ୍ରୀ ଶର୍ମା ଆଶା ପ୍ରକଟ କରିୀଛନ୍ତି।
ପ୍ରାରମ୍ଭରେ ଏହି ହତ୍ୟା ଏକ ବ୍ୟବସାୟିକ ପ୍ରତିଦ୍ୱନ୍ଦିତାରୁ ହୋଇଥିବା ସନ୍ଦେହ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବଡ଼ବିଲ ଥାନା ଅଧିକାରୀ ଗଣମାଧ୍ୟକୁ ଦେଇଥିବା ପ୍ରେସ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ବିଭତ୍ସ ହତ୍ୟାକାଣ୍ଡ ପଛରେ ବଡ଼ବିଲ ପୌରପାଳିକା ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ସହିତ ବିଜେଡ଼ି ନେତାଙ୍କ ସମ୍ପୃକ୍ତିକୁ ପ୍ରମାଣିତ କରିୀଛି ବୋଲି ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀ ପଣ୍ଡା ଏସ୍.ପି.ଙ୍କୁ ସାକ୍ଷାତ ଅବସରରେ ଏହା କହିଛନ୍ତି। ବଡ଼ବିଲ ଥାନା ଅଧିକାରୀଙ୍କଙ୍କ ବିବୃତ୍ତି ଅନୁଯାୟୀ ସୁଖବିନ୍ଦର କୌର ବଡବିଲ ନଗରପାଳ ଶ୍ରୀ ମହାନ୍ତଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ କେବଳ ନିର୍ବାଚନୀ ପ୍ରଚାରରେ ସୀମିତ ନଥିଲା, ବରଂ ନଗରପାଳ ଶ୍ରୀ ମହାନ୍ତ ଶ୍ରୀମତୀ କୌରଙ୍କ ଦୈନଦିନ ଆବଶ୍ୟକ ଖର୍ଚ୍ଚ ତୁଲାଇ ଆସୁଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ ଆଉ କିଛି ଅଧିକ ମଧୁର ସମ୍ପର୍କ ଥିବା ପ୍ରମାଣ ମିଳୁଛି। ପୁଲିସ ଜାଣିଶୁଣି ଏ ସମସ୍ତ ଘଟଣାକୁ ତଦନ୍ତ ପରିସରଭୁକ୍ତ ନକରି ଅଣଦେଖା କରି ଆସିଛି ବୋଲି ଏହି ଦୁଇ ମବିଜେପି ନେତା ଅଭିଯୋଗ କରିଛନ୍ତି। ପୁଲିସ ଦ୍ୱାରା ପ୍ରସ୍ତୁତ ଅପରାଧ ଉଦ୍ଦେଶ୍ୟ ତଥ୍ୟରେ ଅନେକ ତ୍ରୁଟି ଥିବା ସାଧାରଣରେ ଜଣାପଡ଼ୁଛି। ପ୍ରଶ୍ନ ଉଠୁଛି ଯେ, ନିୟମିତ ଆୟ ନଥାଇ ନଗରପାଳ ଶ୍ରୀ ମହାନ୍ତଙ୍କ ଉପରେ ନିର୍ଭରଶୀଳ ଥିବା ଜଣେ ମହିଳା ହତ୍ୟା ପାଇଁ କେଉଁଠାରୁ ଲକ୍ଷ ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ ? ଏହା ହିଁ ସୂଚାଇ ଦେଉଛି, ଯେ ଏହି ହତ୍ୟା ପଛରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି, ଯାହାଙ୍କୁ ପୁଲିସ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି। କାହାର ଦୈନଦିନ ଖର୍ଚ୍ଚ ବନ୍ଦ କରିବାରୁ ହତ୍ୟା ଯୋଜନା କରିବା ଭଳି ମୁର୍ଖତାପୂର୍ଣ୍ଣ ସିଦ୍ଧାନ୍ତ ହତ୍ୟା ପଛର ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ବଦଳାଇ ପାରିବ ନାହିଁ। ତେଣୁ ପୁଲିସ ଶ୍ରୀ ମହାନ୍ତଙ୍କ ସହ ମୃତକ ଭୋଲା ସିହ୍ନା ଏବଂ ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀମତୀ ସୁଖବିନ୍ଦର କୌରଙ୍କ ସମ୍ପର୍କକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ଆବଶ୍ୟକତା ରହିଛି। ବାରମ୍ବାର ଦାବି ସତ୍ତ୍ବେ ଏ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଜବତ ହେଲାନାହିଁ କିମ୍ବା କଲ ରେକର୍ଡ଼ର ତର୍ଜମା କରାଗଲା ନାହିଁ। ଘଟଣାସ୍ଥଳର ଆଖପାଖରେ ଥିବା ସିସିଟିଭି କ୍ୟାମେରା ଫୁଟେଜ ଗୁଡ଼ିକୁ ମଧ୍ୟ ଟ୍ୟାମ୍ପରିଙ୍ଗ ବା ହସ୍ତକ୍ଷେପ କରାଯାଇଥିବା ଅଭିଯୋଗ ହେଉଛି। ବଡ଼ବିଲ ନଗରପାଳ ଶ୍ରୀ ମହାନ୍ତ ୫-ଟି ସଚିବ ଓ ବିଜେଡ଼ି ରାଜ୍ୟ ସଙ୍ଗଠନ ସମ୍ପାଦକଙ୍କ ପାଇଁ ଅନୈତିକ ଖଣି ବ୍ୟବସାୟ ମାଧ୍ୟମ ଭାବେ କାର୍ଯ୍ୟ କରୁଥିବା କାହାକୁ ଅଛପାନୁହେଁ ବୋଲି ବିଜେପି ନେତା ଶ୍ରୀ ପଣ୍ଡା ଓ ଶ୍ରୀ ଶର୍ମା କହିଛନ୍ତିି। ତେଣୁ ସରକାରୀ ଦଳ ଓ କଳର ସୁରକ୍ଷା ବଳୟରେ ନଗରପାଳ ଶ୍ରୀ ମହାନ୍ତ ଏହିପରି ଅନେକ ଜଘନ୍ୟ ଅପରାଧ କରି ନିର୍ବିଘ୍ନରେ ଘୁରି ବୁଲୁଥିବା ଏହି ଦୁଇ ନେତା ଅଭିଯୋଗ କରିଛନ୍ତି। ତେଣୁ ହତ୍ୟାକାଣ୍ଡର ପ୍ରକୃତ ଦୋଷୀକୁ ଧରିବା ପାଇଁ ପ୍ରତିଟି ଦିଗକୁ ଅନୁସନ୍ଧାନ ପରିସରଭୁକ୍ତ କରିବା ନିମନ୍ତେ ଶ୍ରୀ ପଣ୍ଡା ଓ ଶ୍ରୀ ଶର୍ମା ପୋଲିସ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମେ ୧୧ ତାରିଖରେ ଏହି ମର୍ମରେ ତତ୍କାଳୀନ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଶ୍ରୀ ଶର୍ମା ଦାବିପତ୍ର ପ୍ରଦାନ କରିଥିଲେ ହେଁ ଫଳ ଶୂନ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୭ଦିନ ଦିନ ମଧ୍ୟରେ ହତ୍ୟାକାଣ୍ଡର ପ୍ରକୃତ ଅପରାଧିକୁ ଗିରଫ କରାନଗଲେ ବିଜେପି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହିତ ବଡ଼ବିଲ ଏସ୍ଡ଼ିପିଓ କାର୍ଯ୍ୟାଳୟ ଘେରାଓ କରିବ ବୋଲି ଶ୍ରୀ ଶର୍ମା ଚେତାବନୀ ଦେଇଛନ୍ତି।



