ତିଗିରିଆ: ତ୍ୟାଗ ଓ ବଳିଦାନର ପର୍ବ ତଥା ମୁସଲମାନ ସମ୍ପ୍ରଦାୟର ଭାଇଚାରାର ପର୍ବ ଇଦୁ ଉଲ ଜୁହା (ବକ୍ରୀଇଦ୍) ତିଗିରିଆ ବ୍ଳକ ଅନ୍ତର୍ଗତ କରଡାପଲ୍ଲୀ ଓ ପଙ୍କାଳ ଦୁଇ ମୁସଲମାନ ସମ୍ପ୍ରଦାୟ ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ଗୁରୁବାର ପାଳିତ ହୋଇଯାଇଛି। ଜେମାଦେଇପୁର ପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ଇଦଗାହ୍ ପଡ଼ିଆ ଠାରେ ଆୟୋଜିତ ସାମୂହିକ ନମାଜ ପାଠ କାର୍ଯ୍ୟକ୍ରମରେ ମୌଲାନା ସେକ ଅବଦୁଲ୍ କାଦିର ଉପସ୍ଥିତ ପୁରୁଷ ଜନସାଧାରଣଙ୍କୁ ନମାଜ ପାଠ କରାଇଥିଲା ବେଳେ ମସଜିଦ ଠାରେ ମୌଲାନା ଏହେସାନ ଖାଁ ସମବେତ ମହିଳାଙ୍କୁ ନମାଜ ପାଠ କରାଇଥିଲେ। ସେହିଭଳି ନିଜିଗଡ଼ ପଞ୍ଚାୟତ ଅନ୍ତର୍ଗତ କରଡାପଲ୍ଲୀସ୍ଥିତ ଜାମା ମସ୍ଜିଦ୍ ପରିସରରେ ଆୟୋଜିତ ସାମୂହିକ ନମାଜ ପାଠ କାର୍ଯ୍ୟକ୍ରମରେ ମୌଲାନା ଅବଦୁଲ ହଲିମ୍ ନମାଜ ପାଠ କରିଥିବା ବେଳେ ମୁସଲମାନ ଭାଇଭଉଣୀମାନେ ପରସ୍ପରକୁ ଇଦ୍ ଶୁଭକାମନା ଜଣାଇଥିଲେ। ନମାଜ ପାଠ ପରେ ମୌଲାନା ସାହେବ ଭାଇଚାରା, ବିଶ୍ବଶାନ୍ତି ତଥା ଗରିବ ଓ ଅସହାୟମାନଙ୍କ ସାହାଯ୍ୟ ଓ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ପରିଶେଷରେ ବିଶ୍ୱଶାନ୍ତି ସ୍ଥାପନା ପାଇଁ ପ୍ରାର୍ଥନା କରାଯାଇଥିଲା।
Popular Categories



