ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ମାଲଗୁଣ୍ଡି ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଖଜୁରୀପଡା ଥାନାରେ ଏତଲା ଦେଇଛନ୍ତି ମହିଳାଙ୍କ ଭାଇ।
ସୂଚନା ଅନୁଯାୟୀ, ବଲସକୁମ୍ପା ପଞ୍ଚାୟତ ସୁନ୍ଦରଗଡ଼ ଗ୍ରାମର ସୁଜତା ଦିଗାଲ ପକନା ଗାଁର ସଞ୍ଜୟ ଦିଗାଲଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ତିନି-ଚାରି ବର୍ଷ ହେଲା ସେ ଭୁବନେଶ୍ବର ଠାରେ ତାଙ୍କ ଭାଇଙ୍କ ଘରେ ରହୁଥିଲେ ଏବଂ ମୁନସୀ ପାଲଟି ଅଞ୍ଚଳରେ କାମ କରୁଥିଲା। ଗତ ତିନି ଚାରି ଦିନ ତଳେ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିବାରୁ ସେ ଫୁଲବାଣୀରେ ଅଛି ବୋଲି କହିଥିଲେ। ଗୁରୁବାର ସକାଳେ ସୁଜାତାଙ୍କୁ ଖଜୁରୀପଡା ଥାନା ଅନ୍ତର୍ଗତ ମାଲଗୁଣ୍ଡି ଗ୍ରାମର କାହ୍ନୁ ଚରଣ ସେଠୀଙ୍କ ଘରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିବା ଘରଲୋକେ ଖବର ପାଇଥିଲେ। ସେଠାକୁ ଯାଇ ସୁଜତାଙ୍କ ମୃତ୍ୟୁ ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ। ଏଭଳି ସ୍ତଳେ ସୁଜାତାଙ୍କୁ କାହ୍ନୁ ଚରଣ ସେଠୀ, ସୌରଙ୍ଗ ସେଠୀ ଏବଂ ମଞ୍ଜୁ ସେଠୀ ମିଶି ହତ୍ୟା କରିଥିବା ନେଇ ତାଙ୍କ ଭାଇ ଦିଲ୍ଲୀପ ଦିଗାଲ (ସାନୁ) ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଥାନାରେ ୮୩/୨୩ରେ ମାମଲା ରୁଜୁ କରିବା ସହିତ କାହୁଁ ଚରଣ ସେଠୀଙ୍କୁ ଅଟକ ରଖି ପଚରାଉଚରା କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଗେଲୀ କୁମାରୀ ସାହୁ ସୂଚନା ଦେଇଛନ୍ତି। ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣା ପଡ଼ିବ।



