ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କ୍ରମରେ ସମ୍ବଲପୁର ଜିଲାର ଫାଶିମାଲ ଓ ଟାମ୍ପରକେଲା ଠାରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଆଜି ଓଡ଼ିଶା ଏକ ବଡ ସମସ୍ୟା ଦେଇ ଗତି କରୁଛି। ମନ୍ତ୍ରୀ ମାନେ ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି, ଯାହା ସମ୍ବିଧାନ ବିରୋଧୀ ବୋଲି ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ଜମନକିରା ବ୍ଲକର ଫାଶୀମାଲ ଠାରେ ଆୟୋଜିତ ପୁରାତନ କାର୍ଯ୍ୟକର୍ତ୍ତା ବୈଠକ ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଟାମ୍ପରକେଲା ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଓଡ଼ିଶାର ଭାବାବେଗ ସହିତ ଯାହାର ସମ୍ପର୍କ ନାହିଁ, ସେମାନେ ଆଜି ଦାୟିତ୍ୱରେ ରହିଛନ୍ତି। ରାଜ୍ୟରେ ସମ୍ବିଧାନ ବିରୋଧୀ ସମୁହ ଓ ଭ୍ରଷ୍ଟାଚାରୀ ସମୁହ ଙ୍କୁ ଓଡ଼ିଶାରୁ ବାହାର କରିବା ପାଇଁ ପଡ଼ିବ ଏବଂ ମୋଦୀ ଙ୍କ ଶାସନ ପ୍ରଣାଳୀ ଙ୍କୁ ଆଗକୁ ନେବା ପାଇଁ ଶ୍ରୀ ପ୍ରଧାନ କହିଛନ୍ତି।
ସାରା ବିଶ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱକୁ ସ୍ୱୀକାର କରୁଛି। ମୋଦୀ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସମ୍ବଲପୁର ଜିଲା ଲାଭାର୍ଥୀ ଅଛି। ସମ୍ବଲପୁର ସମେତ ଦେଶରରେ ମୋଦୀ ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ଗରିବ, ଚାଷୀ, ମହିଳା, ଯୁବକ ଓ ବଞ୍ଚିତ ବର୍ଗର ଲୋକଙ୍କ ଜୀବନଶୈଳୀ କୁ ପରିବର୍ତ୍ତନ କରିଛି। ମୋଦୀ ଙ୍କ ଗରିବ କଲ୍ୟାଣରେ ଦେଶ, ରାଜ୍ୟ ଓ ଅଞ୍ଚଳର ଆଭ୍ୟନ୍ତରୀଣ ସୁରକ୍ଷା ଓ ସ୍ୱାଭିମାନର କଥା ରହିଛି। ସମ୍ବଲପୁର କଳା, ସଂସ୍କୃତି, ପରମ୍ପରରା ଓ ସଙ୍ଗୀତକୁ ସମୃଦ୍ଧର ଭୂମି ଅଟେ। ଏହି ମାଟିର ସୁଯୋଗ୍ୟ ସନ୍ତାନ ମାନଙ୍କୁ ଯଥା ମିତ୍ରଭାନୁ ଗୌନ୍ତିଆ, ଜିତେନ୍ଦ୍ର ହରିପାଲ, କ୍ରିଷ୍ଣା ପଟେଲ ଙ୍କୁ ମୋଦୀ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରି କଳା ଓ ଅଣୟ ପ୍ରତିଭାଙ୍କୁ ଯଥୋଚିତ ସମ୍ମାନ ଦେଇଛନ୍ତି। ସମ୍ବଲପୁର ଜିଲାରେ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ମ୍ୟାନେଜମେନ୍ଟ ଶିକ୍ଷା ଦେବା ପାଇଁ ଆଇଆଇଏମ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା କରାଯାଇଛି। ଅତି ଶିଘ୍ର ଏହାର ମୁଖ୍ୟ ସ୍ଥାୟୀ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଲୋକାର୍ପଣ କରାଯିବ। ଏହା ହିଁ ଜନସେବାର ନିଚ୍ଛକ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୯ ବର୍ଷର ସେବା ଓ ସୁଶାସନରେ ସମ୍ବଲପୁର ଜିଲାକୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପରିବାର ପିଛା ପାଖାପାଖି ପ୍ରାୟ ୫ ଲକ୍ଷ ଟଙ୍କା ସମର୍ପି ଦେଇଛନ୍ତି। ମୋଦୀ ସରକାର ଗରିବ କଲ୍ୟାଣ ଅନ୍ନ ଯୋଜାନରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜାନରେ ଶୌଚାଳୟ ସହ ଉଜ୍ୱଳା ଯୋଜନାରେ ଗ୍ୟାସ, ମୁଦ୍ର ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସମ୍ବଲପୁର ଜିଲାର ୧ ଲକ୍ଷ ୬୪ ହଜାର ୫୭୪ଟି ପରିବାରକୁ ସର୍ବମୋଟ ୭ ହଜାର ୯୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯାହାକି ଜିଲାର ପ୍ରତି ପରିବାର ପିଛା ୪ ଲକ୍ଷ ୮୧ ହଜାର ୧୨୧ ଟଙ୍କା ମୋଦୀ ସରକାର ପ୍ରଦାନ କରିଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସମ୍ବଲପୁର ଜିଲାର ୭ ଲକ୍ଷ ୫୭ ହଜାର ୬୦୬ ଜଣ ହିତାଧିକାରୀଙ୍କୁ ଜଣ ପିଛା ମାସିକ ୫ କିଗ୍ରା ଚାଉଳ ହିସାବରେ ୧ ହଜାର ୬୩୬ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ସହର ଓ ଗ୍ରାମୀଣରେ ପ୍ରାୟ ୬୬ ହଜାରରୁ ଉର୍ଦ୍ଧ ଘର ନିର୍ମାଣ ପାଇଁ ୧ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଦେଇଛନ୍ତି। ଜିଲାରେ ସ୍ୱଚ୍ଛ ଭାରତ ଯୋଜାନରେ ୧୯୮ କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ୬୫ ହଜାର ୩୫୯ ଶୌଚାଳୟ ନିର୍ମାଣ ହୋଇଛି। ଉଜ୍ୱଳା ଯୋଜନା ଜରିଆରେ ୧ ଲକ୍ଷ ୨୨ ହଜାର ୫୮୩ ହିତାଧିକାରୀଙ୍କୁ ୧୯.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ମୁଦ୍ରା ଋଣ ଯୋଜନା ଜରିଆରେ ୮ ଲକ୍ଷ ୩୯ ହଜାର ୧୧ ଜଣଙ୍କୁ ୩ ହଜାର ୩ ଶହ ୯ କୋଟି ୪୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ମନରେଗାରେ ୨.୩୬ କୋଟି ଦିନର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇ ୬୩୯.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଷ୍ଟାଣ୍ଡ ଅଫ ଇଣ୍ଡିଆ ୨୮୧ ଜଣଙ୍କୁ ୭୦.୧୧ କୋଟି ଋଣ ପ୍ରଦାନ କରାଯାଇଛି। ସ୍ୱନିଧି ଯୋଜନାରେ ୩୩୧୧ ଜଣ ଉଠା ଦୋକାନୀ ଙ୍କୁ ୪.୨୪ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମୋଦୀ ସରକାର ୫୭୪.୨୨ କୋଟି ସହାୟତା ଋଣ, ସାମାଜିକ ଭତ୍ତା ଯଥା ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ଆଦି ପାଇଁ ୪୯ ହଜାର ୨୩୫ ଜଣଙ୍କୁ ୪୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଶକ୍ତି ସଞ୍ଚୟ ସହିତ ସଂରକ୍ଷଣ ପାଇଁ ସମ୍ବଲପୁରରେ ହିତାଧିକାରୀ ମାନଙ୍କୁ ୧୮.୫୫ କୋଟି ମୂଲ୍ୟର ୧୪ ଲକ୍ଷ ୮୩ ହଜାର ୮୨୮ ଟି ଏଲଇଡି ବଲବ ବିତରଣ କରାଯାଇଛି। କାର୍ଯ୍ୟକର୍ତ୍ତା ମାନଙ୍କର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ସମ୍ବଲପୁର ଜିଲାରେ ପ୍ରତି ଘରକୁ ପହୁଞ୍ଚାଇବା ଆମର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ପୂର୍ବତନ ବିଧାୟକ ରବି ନାୟକ ଙ୍କ ସମେତ ଅନ୍ୟ ରାଜ୍ୟ, ଜିଲାସ୍ତରୀୟ ପଦାଧିକାରୀ ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।



