ବୌଦ୍ଧ: ସ୍ଥାନୀୟ ପ୍ରଣାମ ନୃତ୍ୟାନୁଷ୍ଠାନର ଛାତ୍ରୀ ପ୍ରତ୍ୟାଶା ମହାପାତ୍ରଙ୍କ କଳାର ପାରଦର୍ଶିତା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ର, ନୂଆଦିଲ୍ଲୀ ଦ୍ଵାରା ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟରେ ପ୍ରତିଭାସମ୍ପନ୍ନ ୧୦ରୁ ୧୪ ବର୍ଷ ବୟସ୍କ ବାଳକ ଓ ବାଳିକା ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଭିତ୍ତିରେ ମନୋନୀତ କରି ନିଜ ଦକ୍ଷତା ବିକାଶ ପାଇଁ ମାସିକ ବୃତ୍ତି ପ୍ରଦାନ କରିଥାଏ। ଦେଶରେ ଚଳିତ ବର୍ଷ ଓଡ଼ିଶୀ ନୃତ୍ୟରେ ୨୨ ଜଣ ଏହି ବୃତ୍ତି ପାଇବାରେ ଯୋଗ୍ୟତା ଅର୍ଜନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାର ପ୍ରତ୍ୟାଶା ଜଣେ। ପ୍ରତ୍ୟାଶାଙ୍କ ହେତୁ ଏହି ସମ୍ମାନଜନକ ବୃତ୍ତି ତାଙ୍କ ଗୁରୁ ପ୍ରଶାନ୍ତ କୁମାର ଭାଇନାଙ୍କୁ ମଧ୍ୟ ମିଳିବା ପାଇଁ ବିଭାଗ ତରଫରୁ ସୂଚନା ମିଳିଛି।
ପିତା ଆଶିଷ ମହାପାତ୍ର ଏବଂ ମାତା ସଂଗୀତା ମହାପାତ୍ରଙ୍କ କନିଷ୍ଠା କନ୍ୟା ପ୍ରତ୍ୟାଶା। ସେ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧର ସପ୍ତମ ଶ୍ରେଣୀ ଛାତ୍ରୀ। ପ୍ରଥମ ଶ୍ରେଣୀ ଠାରୁ ଏପର୍ୟ୍ୟନ୍ତ ପ୍ରଣାମ ନୃତ୍ୟାନୁଷ୍ଠାନ, ବୌଦ୍ଧ ଠାରେ ଗୁରୁ ପ୍ରଫେସର ଡ଼ଃ ମନୋଜ କୁମାର ବେହେରା ଏବଂ ଗୁରୁ ପ୍ରଶାନ୍ତ କୁମାର ଭାଇନାଙ୍କ ତତ୍ତ୍ଵକ୍ଷବଧାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କରିଆସୁଛନ୍ତି। ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାରୁ ଏହି ସମ୍ମାନ ଜନକ କଳା ବୃତ୍ତି ପାଇବାର ଯୋଗ୍ୟତା ଅର୍ଜନ କରିଥିବାରୁ ପ୍ରଣାମ ନୃତ୍ୟାନୁଷ୍ଠାନର ପ୍ରତିଷ୍ଠାତା ସୁକାନ୍ତି ସିଂ,ସଭାପତି ବସନ୍ତ କୁମାର ସାହୁଙ୍କ ସହ ସମସ୍ତ କର୍ମକର୍ତ୍ତା ଖୁସି ପ୍ରକଟ କରିବା ସହ ପ୍ରତ୍ୟାଶାକୁ ଶୁଭେଚ୍ଛା ଜଣାଇଥିଲେ। ଏବଂ ବିଶେଷ ଭାବରେ ଗୁରୁ ପ୍ରଫେସର୍ ଡ଼ଃ ମନୋଜ କୁମାର ବେହେରା ଏବଂ ଗୁରୁ ପ୍ରଶାନ୍ତ କୁମାର ଭାଇନାଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



