ଗୋପାଳପୁର: ଅଧ୍ୟାପକଟିଏ ଜୀବନ କାଳ ଜଣେ ଅଧ୍ୟୟନରତ ଛାତ୍ର। ବିଶେଷକରି ଭାଷା-ସାହିତ୍ୟର ଅଧ୍ୟାପକମାନଙ୍କ କ୍ଷେତ୍ରରେ ଏ ଉକ୍ତିର ପ୍ରାସଙ୍ଗିକତା ଯଥେଷ୍ଟ ଅଧିକ। ଓଡ଼ିଆ ଭାଷା-ସାହିତ୍ୟର ଅଧ୍ୟାପକ ନିଜକୁ ଅଧ୍ୟାପକ କମ୍ ଏବଂ ବେଶି ଛାତ୍ର ମନେ କରିବା ଆବଶ୍ୟକ ବୋଲି ଶାନ୍ତି ନିକେତନ ବିଶ୍ୱଭାରତୀ ଭାଷା ଭବନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ କଇଳାଶ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।
ଗୋପାଳପୁର ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ ଜାତୀୟ ଅଧିବେଶନ ଓ କର୍ମଶାଳାର ଦ୍ବିତୀୟ ଦିବସ ପ୍ରଥମ ବୈଷୟିକ ଅଧିବେଶନରେ ବିଷୟ ବିଶାରଦ ରୂପେ ବକ୍ତବ୍ୟ ପ୍ରଦାନ କରି ପ୍ରଫେସର୍ ପଟ୍ଟନାୟକ ଓଡ଼ିଆ ଅଧ୍ୟାପକଙ୍କ ପ୍ରାଶାସନିକ ବ୍ୟକ୍ତିତ୍ୱ ବିକାଶର ଅନେକ ସୂତ୍ର ଓ ସାଧନ ବିଷୟରେ ଉଲ୍ଲେଖ କରିଥିଲେ।
ଡ. ହୃଷୀକେଶ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ‘ଓଡ଼ିଆ ଅଧ୍ୟାପକଙ୍କ ପ୍ରାଶାସନିକ ଦକ୍ଷତା’ ଶୀର୍ଷକ କର୍ମଶାଳାରେ ରେଭେନ୍ସା ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରଫେସର୍ ବାଉରିବନ୍ଧୁ ସାହୁ, ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର୍ ଉତ୍ତମା ଜେନା ଓ ଡୁରା ରାମ ନାରାୟଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ବନମାଳୀ ପାଣିଗ୍ରାହୀ ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ଓଡ଼ିଆ ଅଧ୍ୟାପକ ରୂପେ ଶୈକ୍ଷିକ ସଂସ୍ଥାନର ପ୍ରାଶାସନିକ ଦାୟିତ୍ୱ ନିର୍ବାହ ସମ୍ପର୍କରେ ନିଜ ନିଜ ଅଭିଜ୍ଞତାରୁ ସଦୃଷ୍ଟାନ୍ତ ଆଲୋଚନା କରିଥିଲେ।
ଦ୍ବିତୀୟ ଦିନ ଦ୍ବିତୀୟ ବୈଷୟିକ ଅଧିବେଶନ ଡ. ନଳିନୀ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ପ୍ରଖ୍ୟାତ ଲୋକତତ୍ତ୍ୱବିଦ୍ ପ୍ରଫେସର୍ କଇଳାଶ ପଟ୍ଟନାୟକ, ଭଞ୍ଜ ସାହିତ୍ୟର ବିଶିଷ୍ଟ ଗବେଷକ ଡ. କମ୍ବୁପାଣି ସାମନ୍ତ, ବିଶିଷ୍ଟ ଆଲୋଚକ ଡ. ପ୍ରଦୀପ୍ତ କୁମାର ପଣ୍ଡା, ଲୀଳା ସାହିତ୍ୟର ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ‘ଓଡ଼ିଆ ଅଧ୍ୟାପକଙ୍କ ବ୍ୟକ୍ତିତ୍ୱ ବିକାଶ ଦକ୍ଷତା’ ଶୀର୍ଷକ ବିଷୟ ଉପରେ ବିସ୍ତାରିତ ଆଲୋଚନା କରିଥିଲେ। ତୃତୀୟ ଅଧିବେଶନରେ ୬୨ ଜଣ ସେବାନିବୃତ୍ତ କୃତବିଦ୍ୟ ଓଡ଼ିଆ ପ୍ରଫେସର୍ ଓ ପ୍ରାଧ୍ୟାପକମାନଙ୍କୁ ଉପାୟନ ଓ ପ୍ରଶସ୍ତିପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ହୃଷୀକେଶ ମହାଖୁରଙ୍କ ସଂଯୋଜନାରେ ପଞ୍ଚମ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ‘ଓଡ଼ିଆ ଅଧ୍ୟାପନା ଓ ପାଠଦାନ ଶୈଳୀରେ ସୃଜନଶୀଳତା’ ଶୀର୍ଷକ ଏହି କର୍ମଶାଳାରେ ଶାନ୍ତି ନିକେତନ ବିଶ୍ୱଭାରତୀର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟା ପ୍ରଫେସର୍ ଗିରିବାଳା ମହାନ୍ତି, କବି ଓ ଗାଳ୍ପିକ ଡ. ଅଜୟ ସ୍ୱାଇଁ, କଥାଶିଳ୍ପୀ ଅରବିନ୍ଦ ରାୟ ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ଏକାଧିକ ଦିଗରୁ ସର୍ଜନଶୀଳତାର ନୀରାଜନା ଓ ଉପଯୋଗ ବିଷୟରେ ତତ୍ତ୍ୱପୂର୍ଣ୍ଣ ବ୍ୟାଖ୍ୟା କରିଥିଲେ।
ସନ୍ଧ୍ୟାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓ.ପି.ଏସ୍.ସି. ଓ ଏସ୍.ଏସ୍.ବି. ପାଇ ନୂତନ ଭାବେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଯୋଗ ଦେଇଥିବା ୧୮ ଜଣ ନବାଗତ ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ ପକ୍ଷରୁ ପ୍ରମାଣପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. କୁଳମଣି ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରିଥିଲେ ଏବଂ ସମ୍ପାଦକ ଡ. ଶରତ କୁମାର ଜେନା ଏଭଳି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାତିରେ ଗୁରୁ ସନ୍ତୋଷ କୁମାର ପାଢ଼ୀ ଓ ସାଥୀ କଳାକାରମାନେ ‘ଭାରତଲୀଳା’ ପରିବେଷଣ କରିଥିଲେ। ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶା ଓ ଓଡ଼ିଶା ବାହାରୁ ଶତାଧିକ ଓଡ଼ିଆ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗ ଦେଇଛନ୍ତି। ଆଜି ଏହି ଜାତୀୟ କର୍ମଶାଳା ଉଦଯାପିତ ହେବ।



