www.samajalive.in
Saturday, December 13, 2025
23.1 C
Bhubaneswar

୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ ସମ୍ବଲପୁରର ଯୋଶେଫ ତିର୍କୀ

ସୁନ୍ଦରଗଡ଼: ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି’’, ଏହା କହିଛନ୍ତି ସମ୍ବଲପୁର ମହୁଲମୁଣ୍ଡା ଗ୍ରାମର ଯୋଶେଫ ତିର୍କୀ। ତାଙ୍କ ଜୀବନର ଏହି ଖୁସି ପାଇଁ ସେ ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

୧୯୯୬ ମସିହାର ଘଟଣା। ଯୋଶେଫ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ସମ୍ବଲପୁରରୁ ରାଉରକେଲା ଆସୁଥିଲେ। ହେଲେ ଟ୍ରେନରେ ତାଙ୍କ ଗୋଡ଼ ଖସିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଡାହାଣ ଗୋଡ ହରାଇଥିଲେ। ସେହିଦିନଠାରୁ ଯୋଶେଫଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା। ତାଙ୍କର ସବୁ ସ୍ୱପ୍ନ ମଧ୍ୟ ଚୂରମାର ହୋଇଗଲା। ଆଶାବାଡ଼ି ପାଲଟିଗଲା ଯୋଶେଫଙ୍କ ଜୀବନର ସବୁଠାରୁ ବଡ଼ ସାଥୀ!

- Advertisement -

ସ୍ଥାନୀୟ ଏଏନଏମ ଦିଦିଙ୍କଠାରୁ ଯୋଶେଫ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସମ୍ପର୍କରେ ଜାଣିବାକୁ ପାଇଲେ। ଏଠାରେ ଭିନ୍ନକ୍ଷମମାନଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ମିଳୁଥିବା ଖବର ପାଇ ଯୋଶେଫ ତାଙ୍କ ବାପା ଏବଂ ସାଙ୍ଗ ଜୟଚନ୍ଦ୍ର ଚୌଧୁରୀଙ୍କୁ ଧରି ସୁନ୍ଦରଗଡ଼ ଆସିଥିଲେ।

‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ରେ ସମସ୍ତ ପ୍ରମାଣପତ୍ର ଦାଖଲ କରି କୃତ୍ରିମ ଗୋଡ଼ ପାଇଁ ମାପ ଦେଇଥିଲେ ଯୋଶେଫ। ନିକଟରେ ତାଙ୍କୁ କୃତ୍ରିମ ଗୋଡ଼ ମିଳିଛି। ଏହି କୃତ୍ରିମ ଗୋଡ଼କୁ ସେ କିଭଳି ଭାବରେ ବ୍ୟବହାର କରିବେ ସେ ନେଇ ତାଙ୍କୁ ସେଠାରେ ତାଲିମ ମଧ୍ୟ ଦିଆଯାଇଛି। ଏବେ ଯୋଶେଫ କୃତ୍ରିମ ଗୋଡ଼ ସାହାଯ୍ୟରେ ଛିଡ଼ା ହୋଇପାରୁଛନ୍ତି।

‘‘ପଶ୍ଚିମ ଓଡ଼ିଶାର ଭିନ୍ନକ୍ଷମ ଭାଇଭଉଣୀଙ୍କ ପାଇଁ ସୁନ୍ଦରଗଡ଼ରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଚିକିତ୍ସା ଓ ପୁନର୍ବାସ ଲାଗି ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ରୋବୋଟିକ୍ସ ଫିଜିଓଥେରାପି ସହିତ କମ୍ପ୍ୟୁଟର ମାଧ୍ୟମରେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ଯୋଗ୍ୟ ହିତାଧିକାରୀଙ୍କୁ ମାଗଣାରେ ଦିଆଯାଉଛି। ତେଣୁ ଜିଲ୍ଲାର ହିତାଧିକାରୀମାନେ କିପରି ଏହି ସେବା ପାଇ ପାରିବେ ସେଥିପାଇଁ ଆମେ ବ୍ୟବସ୍ଥା କରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଲ୍ଲାରେ ଏହି ହିତାଧିକାରୀମାନଙ୍କୁ ଚିହ୍ନଟ କରି ତାଲିକା ପଠାଇବାକୁ ଜିଲ୍ଲାପାଳ ରାଉରକେଲା ମହାନଗର ନିଗମ, ବିଭିନ୍ନ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମସ୍ତ ବ୍ଲକର ବିଡିଓଙ୍କୁ ଚିଠି ଲେଖିଛନ୍ତି। ସେହି ତାଲିକା ଆଧାରରେ ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଏଆରସିରେ ମାଗଣାରେ ଚିକିତ୍ସା ଓ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ।

‘‘ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ଏଆରସି ସେବାକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବ୍ଲକସ୍ତରରେ ହିତାଧିକାରୀ ଚିହ୍ନଟ ପାଇଁ ସମନ୍ୱୟ କମିଟି ଗଠନ କରାଯାଇଛି। ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କ ଜରିଆରେ ଗାଁ ଗାଁରେ ସର୍ଭେ କରାଯାଉଛି। ତେଣୁ ହିତାଧିକାରୀଙ୍କୁ ଚିହ୍ନଟ କରି ପର୍ଯ୍ୟାୟକ୍ରମେ ସେମାନଙ୍କୁ ଏହି ସେବା ଯୋଗାଇ ଦିଆଯିବ’’, ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ବିଶି।

ଜିଳ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ନିର୍ମିତ ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ମିଳୁଛି। ବ୍ରେନ ଷ୍ଟ୍ରୋକ, ସେରିବ୍ରାଲ ପାଲସି, ମେରୁଦଣ୍ଡ ଆଘାତ ଲାଗି ଏହି ଚିକିତ୍ସା ବେଶ୍ ଲାଭଦାୟକ ହୋଇପାରିଛି। ତା’ ସହିତ ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କାରୁ କମ୍ ଉପାର୍ଜନକାରୀ, ବିପିଏଲ କାର୍ଡଧାରୀ, ରାସନ କାର୍ଡଧାରୀ ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି।

ସୁନ୍ଦରଗଡ଼ ସହିତ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼, ବରଗଡ଼ ଏବଂ କଳାହାଣ୍ଡି ଭଳି ୭ଟି ଜିଲ୍ଲାର ଭିନ୍ନକ୍ଷମମାନଙ୍କୁ ରୋବୋଟିକ୍ସ ଫିଜିଓଥେରାପି ଚିକିତ୍ସା ସହ କୃତ୍ରିମ ଅଙ୍ଗ ପ୍ରଦାନ କରିବା ହେଉଛି ସୁନ୍ଦରଗଡ଼ ଏଆରସିର ଲକ୍ଷ୍ୟ। ତେଣୁ ସୁନ୍ଦରଗଡ଼ ଛଡ଼ା ଅନ୍ୟ ଜିଲ୍ଲାର ହିତାଧିକାରୀମାନେ ନିଜ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀଙ୍କ (ବିଏସଏସଓ) ଜରିଆରେ ସେବା ପାଇଁ ଆବେଦନ କରିପାରିବେ। ଏହି କେନ୍ଦ୍ରରେ ଚିକିତ୍ସା ଓ କୃତ୍ରିମ ଅଙ୍ଗରୋପଣ କରିବାକୁ ଚାହୁଁଥିବା ବ୍ୟକ୍ତି ଏଆରସିର ମୋବାଇଲ୍ ନମ୍ବର   ୭୩୨୭୮୧୫୧୨୫ କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବରମାଧ୍ୟମରେ ଯୋଗାଯୋଗ କରିପାରିବେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories