www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠୁ ଲାଗୁ ହେଲା ନୂଆ ଫୌଜଦାରୀ ଆଇନ

ନୂଆଦିଲ୍ଲୀ : ବ୍ରିଟିଶ ଆଇନର ଅନ୍ତ ଘଟାଇବା ପୂର୍ବକ ସୋମବାର (ଜୁଲାଇ ୧) ଠାରୁ ଦେଶରେ ନୂଆ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ବ୍ରିଟିଶ ଆଇନ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି), ଫୌଜଦାରୀ ଦଣ୍ଡବିଧି ଆଇନ (ସିଆରପିସି) ଓ ଭାରତୀୟ ସାକ୍ଷ୍ୟ ଆଇନ (ଆଇଇଏ) ସ୍ଥାନରେ ନୂଆ ଆଇନ ଭାବେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହେବ। ଏହି ନୂଆ ଆଇନ କାର୍ଯ୍ୟକାରୀ ହେବା ଦ୍ବାରା ଦେଶରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିବ। ନୂଆ ଆଇନର ବ୍ୟବସ୍ଥା ଅନୁଯାୟୀ ଜଣଙ୍କୁ ଥାନାକୁ ଯାଇ ଏଫଆଇଆର ଦାୟର କରିବାକୁ ପଡିବ ନାହିଁ। ଅନଲାଇନ ମାଧ୍ୟମରେ ଜଣେ ଯେକୌଣସି ସ୍ଥାନରୁ ପୁଲିସ ନିକଟରେ ଅଭିଯୋଗ ଦାୟର କରିପାରିବ। ଥାନା ପରିସୀମା ବାହାରେ ଜଣେ ଲୋକ ଯେକୌଣସି ଥାନାରେ ନିଜର ଏଫ୍ଆଇଆର ଦାୟର କରିପାରିବ। ସେହିପରି ଇଲେକଟ୍ରୋନିକ୍ ମାଧ୍ୟମ ଯଥା ଏସଏମଏସ୍ ମାଧ୍ୟମରେ ଅଭିଯୁକ୍ତକୁ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧର ଭିଡିଓଗ୍ରାଫ୍ କରାଯିବା ବାଧ୍ୟତାମୂଳକ। ନୂଆ ଆଇନର ବ୍ୟବସ୍ଥା ଅନୁଯାୟୀ ଶୁଣାଣି ଶେଷର ୪୫ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ। ସେହିପରି ପ୍ରଥମ ଶୁଣାଣିର ୬୦ଦିନ ମଧ୍ୟରେ ଚାର୍ଜଫ୍ରେମ୍ କରାଯିବ। ବଳାତ୍କାର ପୀଡିତାଙ୍କ ବୟାନ ମହିଳା ପୁଲିସ ଅଧିକାରୀଙ୍କ ଦ୍ବାରା ରେକର୍ଡ କରାଯିବ। ବୟାନ ରେକର୍ଡ ସମୟରେ ପୀଡିତାଙ୍କର ଅଭିଭାବକ କିମ୍ବା ସମ୍ପର୍କୀୟ ଉପସ୍ଥିତ ରହିବେ। ବଳାତ୍କାର ମାମଲାର ଡାକ୍ତରୀ ମାଇନା ରିପୋର୍ଟ ୭ଦିନ ମଧ୍ୟରେ ଦିଆଯିବ। ସଂଗଠିତ ଅପରାଧ ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ବ୍ୟାପକ କରାଯାଇଛି। ଦେଶଦ୍ରୋହ ଅପରାଧ ସ୍ଥାନରେ ଦେଶପ୍ରତି ବିଶ୍ବାସଘାତକତାର ନୂଆ ଆଇନ ଅଣାଯାଇଛି। କୌଣସି ଅପରାଧର ତଦନ୍ତ କ୍ରମରେ ହେଉଥିବା ଯାଞ୍ଚ ଓ ଜବତ କ୍ଷେତ୍ରରେ ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ କରାଯାଇଛି। ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ପାଇଁ ନୂଆ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶିଶୁ ବିକ୍ରି ଓ କ୍ରୟ କ୍ଷେତ୍ରରେ କଠୋର ଦଣ୍ଡ ବିଧାନ ହୋଇଛି। ସେହିପରି ନାବାଳିକାକୁ ଗଣବଳାତ୍କାର କ୍ଷେତ୍ରରେ ମୃତ୍ୟୁ କିମ୍ବା ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିବ। ପୂର୍ବରୁ ଆଇପିସିରେ ୫୧୧ଟି ଦଫା ରହିଥିବାବେଳେ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଧାରା ରହିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories