୩୨ ବର୍ଷ ତଳେ ଆଜିର ଦିନରେ ନିଜ ଜୀବନ ଦେଇ ୩୫୯ ଜଣଙ୍କୁ ବଞ୍ଚାଇଥିଲେ ’ନୀରଜା’

0

ନୂଆଦିଲ୍ଲୀ : ନୀରଜା ଭନୋଟ୍‍, ସେପ୍ଟେମ୍ବର ୫ ତାରିଖ ଓ ୩୫୯ ଲୋକଙ୍କ ଜୀବନ – ଏହି ଘଟଣା ସହିତ ଅନେକ ପରିଚିତ। କାରଣ ୨୦୧୬ରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ନୀରଜା’ ମାଧ୍ୟମରେ ଅନେକ ଏହି ଘଟଣା ବିଷୟରେ ଅବଗତ ହୋଇ ପାରିଛନ୍ତି। ଆଜକୁ ୩୨ ବର୍ଷ ତଳର ଘଟଣା।
୧୯୮୬ ମସିହା ସେପ୍ଟେମ୍ବର ୫ ତାରିଖରେ ମୁମ୍ବଇରୁ କରାଚୀ ଦେଇ ଆମେରିକା ଯାଉଥିବା ବିମାନକୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ମୁମ୍ବଇରୁ ଯାତ୍ରା ଆରମ୍ଭ କରିଥିବା ପ୍ୟାନ ଏମ୍‍ ଫ୍ଲାଇଟ-୭୩ କରାଚୀ ପହଞ୍ଚିବା ବେଳକୁ ଅପହୃତ ହୋଇଯାଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ପୋଷାକରେ ବିମାନ ଭିତରକୁ ପ୍ରବେଶ କରିଥିଲେ। ବିମାନ ଭିତରେ ପ୍ରବେଶ କରିବାମାତ୍ରେ ଅବୁ ଜିନ୍ଦଲ ସଙ୍ଗଠନର ଆତଙ୍କବାଦୀମାନେ ଗୁଳି ଫୁଟାଇ ବିମାନକୁ ନିଜ ଅଧିକାରକୁ ନେଇ ଯାଇଥିଲେ। ଆତଙ୍କବାଦୀମାନେ ଏହି ବିମାନକୁ ଇସ୍ରାଏଲକୁ ନେଇ ଦୁର୍ଘଟଣା ଘଟାଇବା ପାଇଁ ଯୋଜନା କରିଥିଲେ। ସେହି ସମୟରେ ବିମାନରେ ୩୭୯ ଜଣ ଲୋକ ଥିଲେ।
ଆତଙ୍କବାଦୀମାନେ ବିମାନ ପରିଚାରିକା ନୀରଜା ଭନୋଟଙ୍କୁ ସମସ୍ତ ଯାତ୍ରୀଙ୍କ ଠାରୁ ପାସପୋର୍ଟ ସଂଗ୍ରହ କରିବାକୁ କହିଥିଲେ। କିନ୍ତୁ ନୀରଜା ଏହି ବିପଦ ସମୟରେ ଅସାଧାରଣ ସାହସର ପରିଚୟ ଦେଇଥିଲେ। ସେ ଆତଙ୍କବାଦୀମାନଙ୍କର ଧମକକୁ ଖାତିର ନ କରି ଜରୁରୀ କାଳୀନ ଦ୍ୱାର ଦେଇ ଯାତ୍ରୀମାନଙ୍କୁ ବାହାରକୁ ଛାଡିବା ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ। ଆତଙ୍କବାଦୀମାନେ ଏହା ଜାଣି ଯାତ୍ରୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ନୀରଜା ସମେତ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହା ପରେ ଆତଙ୍କବାଦୀମାନେ ଫେରାର ହୋଇଯାଇଥିଲେ।
ଏହି ସାହସିକ କାର୍ଯ୍ୟ ପାଇଁ ନୀରଜାଙ୍କୁ ମରଣୋତ୍ତର ସର୍ବୋଚ୍ଚ ସୈନିକ ସମ୍ମାନ ଭାବେ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଥିଲା। ପାକିସ୍ତାନ ସରକାର ମଧ୍ୟ ନୀରଜାଭ୍‍କୁ ‘ତମଗା-ଏ ଇନସାନିୟତ’ ପୁରସ୍କାରରେ ସମ୍ମାନିତ କରିଥିଲେ।
କିନ୍ତୁ ଏବେ ମଧ୍ୟ ନୀରଜାଙ୍କ ହତ୍ୟାକାରୀମାନେ ଗିରଫ ହୋଇ ନାହାନ୍ତି। ତେବେ ଆମେରିକା ଗୁଇନ୍ଦା ସଂସ୍ଥା ଏଫବିଆଇ ଜୁନ ମାସରେ ନୀରଜା ଭନୋଟଙ୍କ ହତ୍ୟାକାରୀଙ୍କ ଫଟୋ ସାମଜିକ ଗଣମାଧ୍ୟମରେ ଜାରି କରିଛି। ଏହି ଆତଙ୍କବାଦୀମାନଙ୍କ ନାମରେ ୫୦ ଲକ୍ଷ ଆମେରିକୀୟ ଡ଼ଲାରର ପୁରସ୍କାର ଘୋଷଣା କରାଯାଇଛି।

Leave A Reply