ଏନ୍‌ସିପିରୁ ୧୨ ବିଦ୍ରୋହୀ ବହିଷ୍କୃତ

ଶରଦଙ୍କ ବୈଠକର ବୈଧତା ନାହିଁ: ଅଜିତ, ମୁଁ କର୍ମଠ ଓ ପ୍ରଭାବଶାଳୀ ରହିଛି: ଶରଦ

ନୂଆଦିଲ୍ଲୀ/ମୁମ୍ବଇ : ଏନ୍‌ସିପି ବିବାଦ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଛି । ଗୁରୁବାର ଏଠାରେ ଶରଦ ପୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଜତୀୟ କାର୍ଯ୍ୟକାରିଣୀରେ ଅଜିତ ପୱାରଙ୍କ ସହ ଏନ୍‌ସିପିର ୧୨ ବିଦ୍ରୋହୀ ନେତାଙ୍କୁ ଶରଦ ପୱାର ଦଳରୁ ବହିଷ୍କାର କରିଛନ୍ତି । ବହିଷ୍କୃତଙ୍କ ମଧ୍ୟରେ ଅଛନ୍ତି ଅଜିତଙ୍କ ସମେତ ୯ ମନ୍ତ୍ରୀ, ପ୍ରଫୁଲ୍‌ ପଟେଲ, ସୁନୀଲ ତତ୍‌କାଡ଼େ, ଛଗନ ଭୁଜବଳ ପ୍ରମୁଖ। ଅଦ୍ୟାବଧି ସେ ଏନ୍‌ସିପି ସଭାପତି ଅଛନ୍ତି ବୋଲି ଶରଦ ଦାବି କରିବା ସହ ‘ମୁଁ ଏନ୍‌ସିପି ସଭାପତି ରହିଛି। ଅନ୍ୟ କେହି ଯଦି ନିଜକୁ ସଭାପତି ଘୋଷଣା କରୁଛନ୍ତି ତାହା ଭୁଲ୍‌’ ବୋଲି କହିଛନ୍ତି। ଏହି ବୈଠକରେ ବହିଷ୍କୃତ ନେତାଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ଉପସ୍ଥିତ ଥିଲେ ଏବଂ ଏହା ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିଥିବା ସେ କହିଛନ୍ତି। ତାଙ୍କ ବୟସକୁ ନେଇ ବୁଧବାର ଅଜିତ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହାର ଜବାବ ଦେଇଛନ୍ତି ଶରଦ। ସେ କହିଛନ୍ତି, ‘ମୋତେ ୮୨ ହେଉ କି ୯୨, ମୁଁ କର୍ମଠ ଓ ପ୍ରଭାବଶାଳୀ ରହିଛି। ଅବସର ନେବାର ଅବକାଶ ନାହିଁ’।
ଅପରପକ୍ଷରେ ଶରଦଙ୍କର ଏଭଳି ବୈଠକ ଡାକିବା କ୍ଷମତା ନାହିଁ କିମ୍ବା ତାଙ୍କ ବୈଠକର ବୈଧତା ନାହିଁ ବୋଲି କହିଛନ୍ତି ଅଜିତ। ଅଜିତ ନିର୍ବାଚନ ଆୟୋଗଙ୍କ ନିକଟରେ ତାଙ୍କ ଗୋଷ୍ଠୀକୁ ସ୍ବୀକୃତି ଦେବା ପାଇଁ ଦାବି କରିଛନ୍ତି। ସେମାନେ ନ୍ୟାୟିକ ଉପାୟରେ ସରକାରରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଛଗନ। କୌଣସି ପରିସ୍ଥିତିରେ ସେମାନଙ୍କ ସଦସ୍ୟପଦ ରଦ୍ଦ ହୋଇପାରିବ ନାହିଁ। ଅଜିତ ପୱାର ହିଁ ଏନ୍‌ସିପିର ରାଷ୍ଟ୍ରୀୟ ସଭାପତି ଓ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟ ଘଟଣାରେ ଏନ୍‌ସିପିର ଛାତ୍ର ସଂଗଠନ ‘ରାଷ୍ଟ୍ରବାଦୀ ବିଦ୍ୟାର୍ଥୀ କଂଗ୍ରେସ’ ଅଜିତଙ୍କୁ ବିଶ୍ବାସଘାତକ (ଗଦ୍ଦର) ଦର୍ଶାଇ ଦିଲ୍ଲୀ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାନର ଲଗାଇଛି। ଏଥିରେ ଶରଦଙ୍କୁ ‘ବାହୁବଳୀ’ ସିନେମାର ବାହୁବଳୀ ଓ ଅଜିତଙ୍କୁ କଟ୍ଟାପ୍ପା ଭାବେ ଚିତ୍ରଣ କରାଯାଇଛି। ବାହୁବଳୀଙ୍କୁ କଟ୍ଟାପ୍ପା ପଛରୁ ଛୁରିକାଘାତ କରୁଥିବାର ଚିତ୍ର ବ୍ୟାନରରେ ପ୍ରଦର୍ଶିତ ହୋଇଛି। ‘ନିଜ ଲୋକଙ୍କ ଚରିତ୍ର ଦେଶବାସୀ ଦେଖୁଛନ୍ତି, ସେମାନଙ୍କୁ କଦାପି କ୍ଷମା ଦେବେ ନାହିଁ’ ବୋଲି ଏଥିରେ ଲେଖାଯାଇଛି। ଏପରି ବିବାଦୀୟ ସ୍ଥିତିରେ ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଏକ ସର୍ବଦଳୀୟ ବୈଠକ ଆହ୍ବାନ କରିଛନ୍ତି ବାଚସ୍ପତି ରାହୁଲ ନର୍ବେକର। ଶୁକ୍ରବାର ଏହି ବୈଠକ ବସିବ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶରଦ ପୱାରଙ୍କୁ ସାକ୍ଷାତ କରିଛନ୍ତି । ଶରଦଙ୍କ ପ୍ରତି କଂଗ୍ରେସର ଶତ ପ୍ରତିଶତ ସମର୍ଥନ ରହିଥିବା ଏବଂ ଯେତେବେଳେ ଯାହା ଆବଶ୍ୟକ ସାହାଯ୍ୟ କରିବାକୁ କଂଗ୍ରେସ ପ୍ରସ୍ତୁତ ଥିବା ରାହୁଲ ଘୋଷଣା କରିଛନ୍ତି। ବିରୋଧୀ ଦଳଙ୍କର ଆସନ୍ତା ବୈଠକରେ ବିଜେପି କିପରି ଆଞ୍ଚଳିକ ଦଳଗୁଡ଼ିକୁ ଭାଙ୍ଗିବାରେ ଲାଗିଛି ସେ ସମ୍ପର୍କରେ ଆଲୋଚନା ହେବ ବୋଲି ରାହୁଲ କହିଛନ୍ତି। ସର୍ବୋପରି କଂଗ୍ରେସ ସମର୍ଥନରେ ଶରଦ ଶକ୍ତି ପ୍ରଦର୍ଶନ ପ୍ରୟାସ କରିଛନ୍ତି।
ଏନ୍‌ସିପିର ଅଜିତ ପୱାରଙ୍କ ଗୋଷ୍ଠୀ ଆସନ୍ତା ସାଧାରଣ ନିର୍ବାଚନରେ ୧୩ରୁ ୧୫ଟି ଲୋକସଭା ଏବଂ ୯୦ଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ। ଏ ନେଇ ବିଜେପି ସହିତ ବୁଝାମଣା ହୋଇଥିବା ଅଜିତଙ୍କ ଗୋଷ୍ଠୀର ଜଣେ ନେତାଙ୍କ ସୂତ୍ରରୁ ପ୍ରକାଶ। ଲୋକସଭା ପାଇଁ ୨୦୧୯ ନିର୍ବାଚନଠାରୁ ଅଧିକ ୪ଟି ଆସନରେ ଏହା ପ୍ରତିଦ୍ବନ୍ଦ୍ବିତା କରିବ। ଏହି ଆସନରୁ ସମ୍ପ୍ରତି ଏନ୍‌ସିପି ପ୍ରତିନିଧିତ୍ବ କରୁଛି। ଅପରପକ୍ଷରେ ଏବେ ଏନ୍‌ସିପିର ୫୩ ବିଧାୟକ ଅଛନ୍ତି। ଦୁଇ ସମର୍ଥକ ସ୍ବାଧୀନ ସଦସ୍ୟଙ୍କୁ ମିଶାଇଲେ ଏହା ୫୫ ହେଉଛି। କଂଗ୍ରେସର ୪୫ ସଦସ୍ୟ ଅଛନ୍ତି। ମେଣ୍ଟ ଯୋଗୁଁ ଏମାନଙ୍କୁ ବିଜୟରେ ସହାୟତା କରିଥିଲା ଏନ୍‌ସିପି; ତେଣୁ ଏହି ଆସନ ମଧ୍ୟରୁ ଏନ୍‌ସିପି କେତେକ ଦଖଲ କରିବା ସମ୍ଭାବନା ରହିଛି। ଏସବୁକୁ ହିସାବ କଲେ ୯୦ ଆସନରେ ଏନ୍‌ସିପିର ବିଜୟ ସମ୍ଭାବନା ରହିଥିବାରୁ ଅଜିତ ଗୋଷ୍ଠୀ ଏତିକି ସଂଖ୍ୟା ଦାବି କରିଥିବା ପ୍ରକାଶ।

Comments are closed.