ନୟାଗଡ଼ : ନୟାଗଡ଼ ଜିଲାକୁ ବାହାର ରାଜ୍ୟରୁ ଫେରିବା ନିମନ୍ତେ ରବିବାର ପର୍ଯ୍ୟନ୍ତ ୨୬ହଜାର ୯୮୭ଜଣ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି। ଆଜି ସୁଦ୍ଧା ଭୁବନେଶ୍ୱର ଏମ୍ସ ଏବଂ ଇନ୍ଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସକୁ ୧୫୯୭ଟି ସ୍ୱାବ ପରୀକ୍ଷା ନିମନ୍ତେ ପଠାଯାଇଛି। ତେବେ,ବର୍ତ୍ତମାନ ସୁଦ୍ଧା ସେଥିମଧ୍ୟରୁ ୬ଟି ପଜିଟିଭ ବାହାରିଛି। ସମ୍ପୃକ୍ତ ୬ଜଣ ପୀଡ଼ିତଙ୍କୁ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ ପଠାଯାଇଛି ବୋଲି ସିଡ଼ିଏମଓ ଡା. ଶ୍ୱେତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।
ଟ୍ରେନ ଯୋଗୁଁ ଜିଲାର ଲୋକମାନେ ଭିଟାମାଟିକୁ ଫେରୁଥିଲା ବେଳେ ବିଭିନ୍ନ ଷ୍ଟେସନରୁ ସେମାନଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଅଣାଯାଉଛି ବୋଲି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୂଚନା ଦେଇଛନ୍ତି। ଖୋର୍ଦ୍ଧାରୋଡ଼, କେନ୍ଦୁଝର, ନିର୍ଗୁଣ୍ଡି, ବଲାଙ୍ଗୀର, ଭଦ୍ରକ, ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ଓହ୍ଲାଇଥିବା ଲୋକମାନଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ନୟାଗଡ଼ ଅଣାଯାଇଛି ବୋଲି ଶ୍ରୀ ରାୟ କହିଛନ୍ତି। ଆଜି ମଧ୍ୟ କେନ୍ଦୁଝର ଷ୍ଟେସନରେ ଓହ୍ଲାଇଥିବା ୧୫ଜଣ ଝିଅଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଜିଲାକୁ ଅଣାଯାଇଛି।
ଅନ୍ୟପକ୍ଷରେ,ଜିଲାରେ ମୋଟରେ ୪୪୫ କ୍ୱାରେଣ୍ଟାଇନ ସେଣ୍ଟର ରହିଥିଲା ବେଳେ ସେଥିମଧ୍ୟରୁ ୧୦୯ଟି ସେଣ୍ଟରରେ ୨୩୨୫ଜଣ ପ୍ରବାସୀଙ୍କୁ ରଖାଯାଇଛି। ୧୫ହଜାର ଲୋକଙ୍କୁ ଏସବୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବାର ସମସ୍ତ ବନ୍ଦୋବସ୍ତ ପ୍ରଶାସନ ପକ୍ଷରୁ କରାଯାଇଥିବା ସୂଚନା ମିଳିଛି। ପ୍ରବାସୀମାନେ ରହିଥିବା କ୍ୱାରେଣ୍ଟାଇନ ସେଣ୍ଟର ଗୁଡ଼ିକରେ ପୁଲିସ ହୋମଗାର୍ଡ଼ ରାତ୍ରିରେ ଜଗିବାର ବ୍ୟବସ୍ଥା କରାଯାଇଥିଲା ବେଳେ ବାହାର ଲୋକଙ୍କୁ ସେଣ୍ଟର ମଧ୍ୟରେ ପଶିବାକୁ ଅନୁମତି ଦିଆଯାଉନାହିଁ। ଜିଲାରେ ପ୍ରତ୍ୟେକ ସରପଞ୍ଚମାନଙ୍କୁ ସେମାନଙ୍କ ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ଗୁଡ଼ିକ ସୁଚାରରୂପେ ଚଳାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯାଉଛି ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି। ଜିଲାକୁ ଫେରୁଥିବା ପ୍ରବାସୀମାନେ ଯଦି ବାଟରେ କୌଣସି ଅସୁବିଧାରେ ସମ୍ମୁଖିନ ହୁଅନ୍ତି ତେବେ ସେମାନେ ତୁରନ୍ତ ନିକଟବର୍ତ୍ତୀ ଥାନା ବା ଫାଣ୍ଡିକୁ ଜଣାଇଥିଲେ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ସାହାଯ୍ୟ ସହଯୋଗ କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ,ଚାଲି କରି ଆନ୍ଧ୍ରରୁ ଗାଁକୁ ଫେରୁଥିବା ଗଣିଆ ବ୍ଲକ ହରିପୁର ଗ୍ରାମ ଜଣେ ଦାଦନ ଶ୍ରମିକ ବ୍ରହ୍ମପୁର ଠାରେ ମୃତ୍ୟୁବରଣ କରିଥିବା ପ୍ରଶାସନ ଦୃଷ୍ଟିକୁ ଆସିଛି ବୋଲି ଶ୍ରୀ ରାୟ କହିଛନ୍ତି। ଅନ୍ୟପକ୍ଷରେ,କ୍ୱାରେଣ୍ଟାଇନରେ ଥିବା ସମସ୍ତ ଅନ୍ତେବାସୀଙ୍କୁ ଅନ୍ୟପକ୍ଷରେ,ଆଗାମୀ ଦିନରେ ଏସବୁ ଶ୍ରମିକ ମାନଙ୍କୁ ଏମ୍ଜିଏନ୍ଆର୍ଇଜିଏସ୍ରେ କାମ ଯୋଗାଇଦିଆଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖନୀୟ ଯେ,ପଶ୍ଚିମବଙ୍ଗ,କେରଳ,ସୁରତ,ବମ୍ବେ,ତାମିଲନାଡୁ,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରୁ ଜିଲାକୁ ପ୍ରବାସୀ ମାନେ ପେରୁଥିବା ବେଳେ ସୁରତ ଏବଂ ପଶ୍ଚିମବଙ୍ଗ ଫେରନ୍ତା। ଜିଲା ପ୍ରଶାସନର ନିଦ ହଜାଇ ଦେଇଛନ୍ତି। କାରଣ ବର୍ତ୍ତମାନ ସୁଦ୍ଧା ଯେଉଁ ୬ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି ସେମାନେ ସୁରତ ଏବଂ ପଶ୍ଚିମବଙ୍ଗରୁ ହିଁ ଫେରିଥିଲେ। ଅନ୍ୟପକ୍ଷରେ, ଜିଲାରେ ଅଟକି ରହିଥିବା ଛତିଶଗଡ଼,ସୋନପୁର,ବୌଦ୍ଧ ଏବଂ ନୂଆପଡ଼ା ଜିଲାର ଶ୍ରମିକ ମାନଙ୍କୁ ଅନୁରୂପ ଭାବେ ସ୍ୱତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କ ଭିଟାମାଟିକୁ ପଠାଇଦିଆଯାଇଛି।



