‘ଆବଶ୍ୟକ ପଡ଼ିଲେ ପୁଣି ସୀମା ପାର ଆକ୍ରମଣ’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଭାରତ ସରକାର ଦେଶର ସୀମା ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ସୀମାକୁ ସୁରକ୍ଷା ଦେବା ଲାଗି ଯେକୌଣସି ପ୍ରକାର କଠୋର ପଦକ୍ଷେପ ନେବାକୁ ସର୍ବଦା ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସୋମବାର ଜାମ୍ମୁ ବିଶ୍ବବିଦ୍ୟାଳୟରେ ସୁରକ୍ଷା ସମ୍ମିଳନୀକୁ ସମ୍ବୋଧନ କାଳରେ ରାଜନାଥ କହିଛନ୍ତି ଯେ ଭାରତ ଦିନକୁ ଦିନ ସାମରିକ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଅତୀତର ଭାରତ ଭଳି ଆଉ ଦୁର୍ବଳ ନୁହେଁ। ନିଜର ସୀମା ସୁରକ୍ଷା ପାଇଁ ଆବଶ୍ୟକ ପଡିଲେ ଭାରତ ପୁନର୍ବାର ସୀମାପାର ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବ ନାହିଁ। ମୋଦୀଙ୍କ ନେତୃତ୍ବ ସରକାର ବିଗତ ଦିନରେ ପାକିସ୍ତାନ ସୀମା ମଧ୍ୟରେ ସର୍ଜିକାଲ ଷ୍ଟ୍ରାଇକ କରିବା ଭଳି ଦୃଢ ନିଷ୍ପତ୍ତି ନେଇଛି। ଆବଶ୍ୟକ ପଡିଲେ ଏପରି ଷ୍ଟ୍ରାଇକ ପୁନର୍ବାର କରାଯିବ ବୋଲି ରାଜନାଥ କହିଛନ୍ତି। ୨୦୧୬ରେ ମୋଦୀ ସରକାର ପାକିସ୍ତାନ ସୀମାରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ। ସେହିପରି ୨୦୧୯ରେ ପାକିସ୍ତାନର ବାଲାକୋଟ ଉପରେ ବିମାନ ଆକ୍ରମଣ କରିଥିଲେ। ଏହା ମୋଦୀଙ୍କ ଦୃଢ ନିଷ୍ପତ୍ତିର ପରିଚୟ। ଆଉ ଏପରି ନିଷ୍ପତ୍ତି ନେବାକୁ ମୋଦୀ ମାତ୍ର ୧୦ମିନିଟ୍ ସମୟ ନେଇଥାନ୍ତି। ରାଜନାଥ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଅଧିକାଂଶ ଅଞ୍ଚଳରୁ ଆଫସ୍ପା (ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ) ପ୍ରତ୍ୟାହାର କରିନିଆଯାଇଛି। ଆଗାମୀ ଦିନରେ ଜାମ୍ମୁ-କାଶ୍ମୀରରୁ ମଧ୍ୟ ଆଫସ୍ପା ପ୍ରତ୍ୟାହାର କରାଯାଇ ସମ୍ପର୍ଣ୍ଣ ଶାନ୍ତି ଫେରାଇ ଅଣାଯିବ। ବର୍ତ୍ତମାନ ସମୟରେ ବିଶ୍ବର ବଡବଡ ରାଷ୍ଟ୍ରଗୁଡିକ ଆତଙ୍କବାଦ ବିରୋଧରେ ଏକଜୁଟ୍ ହେବାରେ ଲାଗିଛନ୍ତି। ଆତଙ୍କବାଦକୁ ବିଶ୍ବରୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ପରସ୍ପରକୁ ସହଯୋଗ କରିବାକୁ ଭାରତ-ଆମେରିକା ମଧ୍ୟରେ ବୁଝାମଣା ହୋଇଛି। ଚୀନ ସହିତ ସୀମା ବିବାଦ ଉପରେ ରାଜନାଥ କହିଛନ୍ତି ଯେ ଚୀନ ସେନା ସୀମା ବୁଝାମଣାକୁ ବାରମ୍ବାର ଉଲ୍ଲଙ୍ଘନ କରୁଥିବାରୁ ଉତ୍ତେଜନା ଦେଖାଯାଇଛି।
Comments are closed.