ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୪୮ମାମଲା ଫଇସଲା, ୧୦କୋଟି ୯୫ଲକ୍ଷ ଟଙ୍କା ଜୋରିମାନା ଓ କ୍ଷତିପୂରଣ ଆଦାୟ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆ ଅତିରିକ୍ତ ଜିଲା କୋର୍ଟ ଏବଂ ବଡବିଲ, ହାଟଡିହି ଓ ତେଲକୋଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମଗ୍ର ଜିଲାର ବିଭିନ୍ନ ଅଦାଲତରେ ସମୁଦାୟ ୩୪୮ଟି ମକଦ୍ଦମାର ଚୂଡାନ୍ତ ଫଇସଲା କରାଯାଇ ୧୦କୋଟି ୯୫ଲକ୍ଷ ୧୦ହଜାର ୭୩୪ଟଙ୍କା ଜୋରିମାନା ଓ କ୍ଷତିପୁରଣ ଆଦାୟ ହୋଇଛି।

ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡା ଶୁଭାରମ୍ଭ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ରଶ୍ମୀତା ଦଳେଇ, ପରିବାର ଅଦାଲତ ବିଚାରପତି ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲା ଓ ଦୌରାଜଜ ମମିତା ଦାଶ, ମହିଳା ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ପତଞ୍ଜଳି ସାହୁ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ରଞ୍ଜୁଲତା ଲେଙ୍କା, ରେଜିଷ୍ଟ୍ରାର ସିଭିଲ କୋର୍ଟ ସଶ୍ମୀତା ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର, ଉପଖଣ୍ଡୀୟ ବିଚାରପତି ସୁମିତ୍ରା ଦାଶ, ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଶିବାନୀ ମହାପାତ୍ର ଓ ଅମ୍ବିକେଶ ପାଣିଗ୍ରାହୀ ପ୍ରମୁଖ ନିଜ ନିଜ କୋର୍ଟ ପରିଚାଳନା କରିଥିଲେ।

ଜିଲା ଆଇନସେବା ପ୍ରାଧିକରଣ ସଚିବ ମାମୀ ବେହେରା ସମସ୍ତ କୋର୍ଟର ତଦାରଖ ଦାୟିତ୍ୱ ସହ ନିଜ କୋର୍ଟ ପରିଚାଳନା କରିଥିଲେ। କୋର୍ଟ ମ୍ୟାନେଜର ଅଚ୍ୟୁତାନନ୍ଦ ସାମନ୍ତରା ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ ଓ ପରିଚାଳନାର ସଂଯୋଜନା କରିଥିଲେ। ଦେଶର ଅଦାଲତ ଗୁଡିକରେ ବହୁ ମାମଲା ବିଚାର ନିମନ୍ତେ ପଡି ରହିଥିବାରୁ ତାହାର ଆଶୁ ସମାଧାନ, ବହୁମୂଲ୍ୟ ସମୟ ସହ ଅର୍ଥ ସଞ୍ଚୟ ଏବଂ ଗରିବ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଜାତୀୟ ଆଇନସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଆସୁଛି ବୋଲି ଜିଲା ଓ ଦୌରାଜଜ୍‍ ଶ୍ରୀ ପଣ୍ଡା କହିଚନ୍ତି। ବିଶେଷକରି ଉଭୟପକ୍ଷଙ୍କ ସହମତିଭିତ୍ତିରେ ପାରିବାରିକ ବିବାଦର ଆପୋଷ ସମାଧାନ, ଛାଡପତ୍ର ସମ୍ବନ୍ଧୀୟ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟା, ଜମିଜମା ସଂକ୍ରାନ୍ତୀୟ ମାମଲାର ଫଇସଲା, ବ୍ୟାଙ୍କ ଋଣ ଖିଲାପକାରୀଙ୍କ ଆଶୁ ସମାଧାନ ଏହି ଲୋକ ଅଦାଲତରେ ଫଇସଲା କରାଯାଇ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଏହି ଅଦାଲତର ମୂଳ ଲକ୍ଷ୍ୟ ବୋଲି ଜିଲା ଓ ଦୌରାଜଜ୍‍ ଶ୍ରୀ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୧୧ଟି ପ୍ରାକ୍‍ ବ୍ୟାଙ୍କ ମକଦ୍ଦମାର ସମାଧାନ କରାଯାଇ ୫କୋଟି ୧୪ଲକ୍ଷ ୧୭ହଜାର ୮୮୧ଟଙ୍କା ଓ ବିଏସ୍‍ଏନ୍‍ଏଲର ୨୫ଟି ମାମଲାର ଚୂଡାନ୍ତ ବିଚାର କରାଯାଇ ୧ଲକ୍ଷ ୩୪ହଜାର ୫୯୧ଟଙ୍କା, ୫୧ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ଚୂଡାନ୍ତ ବିଚାର କରାଯାଇ ୪କୋଟି ୪ଲକ୍ଷ ୩୫ହଜାର କ୍ଷତିପୂରଣ ପ୍ରଦାନ ନିମନ୍ତେ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ହୋଇଛି। ୧୦୬ଟି ଫୌଜଦାରୀ ମକଦ୍ଦମାର ଚୂଡାନ୍ତ ଫଇସଲା କରାଯାଇ ୧କୋଟି ୧୦ଲକ୍ଷ ୭୦ହଜାର ୧୫୮ଟଙ୍କା ଜୋରିମାନା ଆଦାୟ କରାଯାଇଛି।

୩୭ଟି ଦେୱାନୀ ମକଦ୍ଦମାର ଫଇସଲା କରାଯାଇ ୬୪ଲକ୍ଷ ୫୩ହଜାର ୪୦୪ଟଙ୍କା ଜୋରିମାନା ଓ ରାଜସ୍ୱ ଆଦାୟ ହୋଇଥିବା ବେଳେ ପରିବାର ଅଦାଲତର ୧୫ଟି ମକଦ୍ଦମା ସମାଧାନ କରାଯାଇଛି। ଖାଉଟି ଅଦାଲତରେ ୩ଟି ମାମଲାର ଚୂଡାନ୍ତ ଫଇସଲା କରାଯାଇଛି। କୋର୍ଟ ସହକାରୀ ନାଜିର ନିର୍ମଳ କୁମାର ନାଏକ, ପ୍ୟାନେଲ ଅଧିବକ୍ତା ସୁଧିର କୁମାର ସାହୁ, ମନୋଜ କୁମାର ମହାକୁଡ, ଅର୍ଚ୍ଚନା ଦାଶ, କରୁଣାକର ବ୍ରହ୍ମ, ବିଶ୍ୱରଞ୍ଜନ ସାହୁ, ରେଣୁଦେବୀ ସିଂହ, ପ୍ରାଧିକରଣକର୍ମୀ ସତ୍ୟରଞ୍ଜନ ଦାସ, ଦେବବ୍ରତ କୁମାର ଦାସ, ସ୍ନେହଲତା ବାସ୍କେ, ମାନସ ରଞ୍ଜନ ନାଏକ, ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ଅଦାଲତ ପରିଚାଳନାରେ ସହାୟତା କରିଥିଲେ।

Comments are closed.