ୱାଶିଂଟନ: ଚନ୍ଦ୍ର ପୃଷ୍ଠରେ ଜଳ ଅନୁସନ୍ଧାନ ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଚନ୍ଦ୍ରକୁ ଏକ ଚଳନକ୍ଷମ ରୋବଟ ପଠାଇବ। ୨୦୨୩ରେ ଏହି ରୋବଟ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ସେଠାରେ ବରଫ ଓ ଜଳ ଉପସ୍ଥିତି ଅନୁସନ୍ଧାନ କରିବ। ତାହାସହିତ ଚନ୍ଦ୍ର ପୃଷ୍ଠଭାଗ ତଳେ ଆଉ କଣ ସବୁ ରହିଛି ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରିବ ଏହି ରୋବଟ। ଭୋଲାଟାଇଲ୍ସ ଇନଭେଷ୍ଟିଗେଟିଂ ପୋଲାର ଏକ୍ସପ୍ଲୋରେସନ ରୋଭର (ଭାଇପର) ନାମକ ଏହି ଚଳନକ୍ଷମ ରୋବଟ ସଂଗ୍ରହ କରୁଥିବା ତଥ୍ୟ ଆଧାରରେ ନାସା ଚନ୍ଦ୍ର ପୃଷ୍ଠରେ ରହିଥିବା ସମ୍ପଦ ସମ୍ପର୍କରେ ଗବେଷଣା କରିବ। ହୁଏତ ଆଗାମୀ ଦିନରେ ଏହାକୁ ଦୀର୍ଘସୂତ୍ରୀ ଆକାରରେ ଜନସାଧାରଣଙ୍କ ଉପଯୋଗ ନିମନ୍ତେ ସଂଗ୍ରହ କରାଯାଇପାରିବ ବୋଲି ନାସା କହିଛି। ଏହି ରୋବଟସୂର୍ଯ୍ୟ ଶକ୍ତିରେ ପରିଚାଳିତ ହେବ। ଏହାକୁ ଏଭଳି ପ୍ରସ୍ତୁତ କରାଯାଇଛି, ଯଦ୍ୱାରା ଏହା ଚନ୍ଦ୍ରପୃଷ୍ଠରେ ସମସ୍ତ ପ୍ରକାର ଭୂଭାଗରେ ମଧ୍ୟ ଚଳପ୍ରଚଳ କରିପାରିବ। ଏହା ଦେହରେ ଦି ରିଗୋଲିଥ ଆଣ୍ଡ ଆଇସ ଡ୍ରିଲ୍ ଫର ଏକ୍ସପ୍ଲୋରିଂ ନିୟୁ ଟେରାନ୍ସ (ଟ୍ରାଇଡେଣ୍ଟ) ହାମର ଡ୍ରିଲ, ମାସ୍ ସ୍ପେକ୍ଟ୍ରୋମିଟର ଅବଜରଭିଂ ଲୁନାର ଅପରେସନ୍ସ (ଏମସୋଲୋ) ଉପକରଣ, ନିୟର ଇନଫ୍ରାରେଡ ଭୋଲାଟାଇଲ୍ସ ସ୍ପେକ୍ଟ୍ରୋମିଟର ସିଷ୍ଟମ (ଏନଆଇଆରଭିଏସଏସ) ଏବଂ ନ୍ୟୁଟ୍ରନ ସ୍ପେକ୍ଟ୍ରୋମିଟର ସିଷ୍ଟମ (ଏନଏସଏସ) ଆଦି ଖଞ୍ଜାଯାଉଛି।
ଚନ୍ଦ୍ର ପୃଷ୍ଠରେ ଜଳ ଅନୁସନ୍ଧାନ ପାଇଁ ନାସା ପଠାଇବ ଚଳନକ୍ଷମ ରୋବଟ
Popular Categories



