www.samajalive.in
Sunday, December 14, 2025
15.1 C
Bhubaneswar

ହାଇକୋର୍ଟରେ ନାଲକୋକୁ କୋଇଲା ପରିବହନ ମାମଲା ; ଏମସିଏଲକୁ ସତ୍ୟପାଠ ଦାଖଲ ନିର୍ଦେଶ

କଟକ : ନାଲକୋକୁ କୋଇଲା ଯୋଗାଣ ପ୍ରସଂଗରେ ମେ ୫ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଏମସିଏଲକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏପ୍ରିଲ ୨୭ର ନିର୍ଦ୍ଦେଶ ପରେ କେତେ ପରିମାଣର କୋଇଲା ଏମସିଏଲ ପକ୍ଷରୁ ନାଲକୋକୁ ଯୋଗାଣ କରାଯାଇଛି ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ କହିଛନ୍ତି।
ଏଥି ସହିତ କୋଇଲା ଯୋଗାଣ ପ୍ରସଂଗକୁ ନେଇ ବେଦାନ୍ତ ଓ ହିଣ୍ଡାଲକୋ ଦାୟର କରିଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ପକ୍ଷ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଣି, ଶକ୍ତି, କୋଇଲା ମନ୍ତ୍ରଣାଳୟ ସହିତ ରେଲବାଇ ବୋର୍ଡ ପ୍ରତିନିଧିଙ୍କୁ ନେଇ ପ୍ୟାନେଲ ଗଠନ କରି ଏହି ସବୁ ଶିଳ୍ପ ସଂସ୍ଥାର ଅଭିଯୋଗ ଉପରେ କେବେ ଶୁଣାଣି କରାଯିବ ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଜଣାଇବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଏପରି ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ କଣ ମଧ୍ୟବର୍ତ୍ତିକାଳୀନ ବ୍ୟବସ୍ଥା କରାଯିବ ସେ ନେଇ ମଧ୍ୟ କେନ୍ଦ୍ର ସରକାର ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲା ଗୁଡିକର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ନାଲକୋକୁ କୋଇଲା ଯୋଗାଣ କମ୍ କରାଯିବା ଯୋଗୁଁ ପ୍ଲାଣ୍ଟ ବନ୍ଦ ହେବାର ସମ୍ଭାବନା ଦେଖା ଦେଇଛି। ଯଦି ନାଲକୋକୁ ପୂର୍ବ ଭଳି କୋଇଲା ଯୋଗାଣ ଜାରି ନ ରୁହେ; ତେବେ ପ୍ଲାଣ୍ଟ ଚାଲିବ ନାହିଁ ଓ ଉତ୍ପାଦନ ବନ୍ଦ ହେବ। ଥରେ ପ୍ଲାଣ୍ଟ ବନ୍ଦ ହେଲେ ପୁଣି ଥରେ କାର୍ଯ୍ୟକ୍ଷମ ହେବାକୁ ୧୨ ମାସ ଲାଗିପାରେ। ଏଭଳି ପ୍ରସଙ୍ଗ ନେଇ ନାଲକୋ ଅଫିସରସ୍ ଆସୋସିଏସନ୍ ଏକ ମାମଲା ଦାୟର କରିଛି। ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଖଣି ମନ୍ତ୍ରଣାଳୟ, ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ ସଚିବ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ମିଳିତ ଭାବେ ବୈଠକ କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏପ୍ରିଲ ୨୬ ସଂଧ୍ୟା ୬ଟା ସୁଦ୍ଧା ଏହି ବୈଠକ ଆୟୋଜନ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ହାଇକୋର୍ଟ କହିଥିଲେ। ଏଥି ଅନୁଯାୟୀ ବୈଠକ ଆୟୋଜନ ହୋଇଥିଲା ଓ ଏହାର ବିବରଣୀ ହାଇକୋର୍ଟରେ ଦାଖଲ ହୋଇଥିଲା। ଏପ୍ରିଲ ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ମିଳିତ ବୈଠକର ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ କୋଇଲା ଯୋଗାଣରେ ହ୍ରାସ ଯୋଗୁଁ ଶିଳ୍ପ ସଂସ୍ଥା ବନ୍ଦ ହେବାର ସମ୍ଭାବନା ରହିଛି ବୋଲି ଦର୍ଶାଇ ବେଦାନ୍ତ ଓ ହିଣ୍ଡାଲକୋ ମଧ୍ୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯଦି ଉପଯୁକ୍ତ ପରିମାରଣର କୋଇଲା ଯୋଗାଣ ନ ହେବ ତେବେ ଏହି ସବୁ ସଂସ୍ଥାର ଶିଳ୍ପ ବନ୍ଦ ହେବ। ଫଳରେ ଏହି ସବୁ ଶିଳ୍ପ ସଂସ୍ଥା ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକ ଜୀବିକା ହରାଇବେ ବୋଲି ଆବେଦନରେ ଦର୍ଶାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories